ମାଓ ପୋଷ୍ଟର ଦ୍ୱାରା ପୋଲିସକୁ କଡା ଚ୍ୟାଲେଞ୍ଜ ଦେଇଛନ୍ତି ମାଓବାଦୀମାନେ

ରାୟଗଡ଼ା ଜ଼ିଲ୍ଲା (ପ୍ରତିନିଧି ଅମୁଲ୍ୟ ନିଶଙ୍କ) ୧୬/୧୦/୧୯ ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ରାମନାକୁପୁଲି ଛକ ନିକଟରେ ବୁଧବାର କିଛି ମାଓବାଦୀ ବ୍ୟାନର ଓ ପୋଷ୍ଟର ଲାଗିଥିବା ଦେଖାଯାଇଛି । ଉକ୍ତ ମାଓବାଦୀ ବ୍ୟାନର ଓ ପୋଷ୍ଟରଗୁଡିକ ସରକାରୀ ଫାଶିବାଦୀ ସମାଧାନ ଦମନ ବିରୋଧରେ ଲାଗିଛି । ଅକ୍ଟୋବର ୨୫କୁ ଓଡିଶା ଓ ଛତିଶଗଡ ବନ୍ଦକୁ ସଫଳ କର, ଫାଶିବାଦ ଦମନ ବନ୍ଦ କର, ମାଓବାଦୀ ବିପ୍ଲବୀଙ୍କୁ ମିଛ ଗୁଳି ବିନିମୟରେ ହତ୍ୟା କରିବା ବନ୍ଦ କର, ତ୍ରିଲୋଚନପୁର ପଞ୍ଚାୟତ ଅଫିସରୁ ସିଆରପିଏଫଙ୍କୁ ହଟାଓ, ଲାଞ୍ଜିଗଡରେ ଜନତାଙ୍କୁ ରାତି ଅଧିଆ ଗିରଫ କରିବା ବନ୍ଦ କର, କାଶ୍ମୀରଙ୍କ ଉପରେ ହେଉଥିବା ଜୁଲୁମ ବନ୍ଦ କର ବୋଲି ପୋଷ୍ଟରରେ ଓଡିଶା ରାଜ୍ୟ କମିଟି ସିପିଆଇ (ମାଓବାଦୀ) ନାମରେ ଏସବୁ ଉଲ୍ଲେଖ ଅଛି।
ଏନେଇ ଦୁଇଟି ବ୍ୟାନର ଓ କିଛି ପୋଷ୍ଟର ଲାଗିଥିବା ଦେଖାଦେଇଛି । ଖବର ପାଇ ମୁନିଗୁଡା ପୋଲିସ ପହଞ୍ଚି ବ୍ୟାନର ଓ ପୋଷ୍ଟର ଜବତ କରି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ପ୍ରଥମ ଥର ପାଇଁ ଏହି ଅଞ୍ଚଳରେ ମାଓବାଦୀ ବ୍ୟାନର ଓ ପୋଷ୍ଟର ଲାଗିଥିବାରୁ ଅଞ୍ଚଳବାସୀ ଭୟଭୀତରେ ଥିବା ଜଣାପଡିଛି । ଅନ୍ୟପଟେ ମାଓବାଦୀମାନେ ଏହି ବ୍ୟାନର ଓ ପୋଷ୍ଟର ଲଗାଇ ଅଞ୍ଚଳରେ ନିଜର ଉପସ୍ଥିତ ଜାହିର କରିବା ସହ ପୋଲିସକୁ କଡା ଚ୍ୟାଲେଞ୍ଜ ଦେଇଛନ୍ତି ।