Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଦାଖଲ ଖାରଜ ମୋକଦ୍ଦମାରେ ଗଳାବାଟ ଯୋଗୁଁ କ୍ରେତା କ୍ଷତିଗ୍ରସ୍ତ

1 min read

କୋରାପୁଟଜିଲ୍ଲା/ଜୟପୁର (ସଖପ୍ର): ଘରବାରି ଜମି ଓ ଚାଷଜମି କିଣିବା ପରେ ପଟ୍ଟା ନିଜ ନାମରେ କରିବା ପାଇଁ ଜନ ସାଧାରଣ ତହସିଲ କାର୍ଯ୍ୟାଳୟକୁ ଯାଇଥାନ୍ତି। ଜଣେ ବ୍ୟକ୍ତି ଚାଷଜମି କିମ୍ବା ଘରବାରି ଜମି କିଣିଲେ ତାହାର ମାଲିକାନା ପରିବର୍ତ୍ତନ ତହସିଲ କାର୍ଯ୍ୟାଳୟରେ ତହସିଲଦାରଙ୍କ ତତ୍ତ୍ବାବଧାନରେ କରାଯାଇଥାଏ। ସେହିପରି ଜମି କିଣାବିକାର ପଞ୍ଜିକରଣ ସବ୍ ରେଜିଷ୍ଟ୍ରରଙ୍କ ତତ୍ତ୍ବାବଧାନରେ ହୋଇଥାଏ। ଗତ ଦିନରେ ଗୋଟିଏ ଜମିକୁ ଦୁଇଥର ତିନିଥର ବିକ୍ରି ହୋଇଥିବା ନଜରକୁ ଆସିଛି ଓ ଜମି କିଣିବା ଓ ବିକ୍ରୀ କରିବା ଲୋକ ଥାନା କୋର୍ଟ କଚେରୀକୁ ଯାଇ କେସ୍ ଲଢି ଟଙ୍କା ପଇସା କ୍ଷତିସହ ଜୀବନକୁ ମଧ୍ୟ ବିପଦମୁଖି କରିଥିବା ପ୍ରମାଣ ରହିଛି। କିନ୍ତୁ ସରକାର ଏସବୁକୁ ଦୃଷ୍ଟିରେ ରଖି ରେଜିଷ୍ଟ୍ରେସନ ରୁଲରେ କିଛି ପରିବର୍ତ୍ତନ କରିବାରୁ ଜମି କ୍ରୟ ବିକ୍ରୟ ସମୟରେ ୯୯ ପ୍ରତିଶତ ସ୍ବଚ୍ଛତା ବଜାୟ ରହୁଥିବା ଦେଖିବାକୁ ମିଳୁଛି। କାରଣ ଜମି କ୍ରୟ ବିକ୍ରୟ ସମୟରେ କ୍ରେତା ବିକ୍ରେତାର କମ୍ଫୁଟର ଜରିଆରେ ଫଟୋ ଓ ଦସ୍ତଖତ ସଂଗ୍ରହ ଏବଂ ସେହିଦିନ ପର୍ଯ୍ୟନ୍ତ ଜମିର EC ର ସଦ୍ୟ ସଂଗୃହୀତ ନକଲ ଦାଖଲ ଯୋଗୁଁ ଏହାର ସ୍ବଚ୍ଛତା ବଜାୟ ରହିବା ସମ୍ଭବ ହୋଇପାରୁଛି। କିନ୍ତୁ ଜମି କ୍ରୟ ବିକ୍ରୟ ପରେ ଯେତେବେଳେ ତହସିଲଦାରଙ୍କ କାର୍ଯ୍ୟାଳୟରେ ଦାଖଲ ଖାରଜ ମୋକଦ୍ଦମାର ଅର୍ଡର ପାସ୍ କରାଯାଉଛି କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦିଆଯାଉ ନାହିଁ । ଯାହା ଫଳରେ କ୍ରେତାମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଜୟପୁର ତହସିଲଦାରଙ୍କ କାର୍ଯ୍ୟାଳୟରେ ଏହିପରି ବ୍ୟତିକ୍ରମ ଦେଖିବାକୁ ମିଳିଛି। ତାହାର ଉଦାହରଣ ଜଣେ ଜମି କିଣିଲା ପରେ ଯଦି କୌଣସି କାରଣରୁ ତହସିଲଦାରଙ୍କ କାର୍ଯ୍ୟାଳୟରେ ନିଜ ନାମରେ ପଟ୍ଟା କରାଇବାକୁ ଆବେଦନ କରିନାହିଁ ଓ ସେହି ଅବସ୍ଥାରେ ବିକ୍ରୟକାରୀଙ୍କ ପକ୍ଷରୁ ଉତ୍ତରାଧିକାରୀଙ୍କ ଆବେଦନକୁ ଆଧାର କରି ତାଙ୍କ ନାମରେ ପଟ୍ଟା ପରିବର୍ତ୍ତନ କରାଯାଉଥିବା ଦେଖିବାକୁ ମିଳିଛି। ଦାଖଲ ଖାରଜ ଦାୟିତ୍ବରେ ଥିବା ଅଫିସରଙ୍କ କହିବା ମୁତାବକ ମ୍ୟୁଟେସନ୍ ରୁଲରେ ଯେଉଁ ଦିଗପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଅଛି ଆମେ ସେହି ବିଷୟଗୁଡିକୁ ଯାଞ୍ଚକରି ଦାଖଲ ଖାରଜ ମୋକଦ୍ଦମାର ଫଇସଲା କରୁଛୁ। ଅର୍ଥାତ ପଟ୍ଟାରେ ଉତ୍ତରାଧିକାରୀଙ୍କ ନାମକୁ ବଜାୟ ରଖୁଛୁ। ଦାଖଲ ଖାରଜ ମୋକଦ୍ଦମାର ଫଇସଲା ସମୟରେ ରେଜିଷ୍ଟ୍ରେସନ ଅଫିସରଙ୍କ ସୂଚନା କିମ୍ବା EC ର କପିକୁ ଦାଖଲ ଖାରଜ ଦାୟିତ୍ବରେ ଥିବା ଅଫିସର ଧ୍ୟାନ ଦେଉ ନାହାଁନ୍ତି। ଫଳରେ ବିକ୍ରୟକାରୀ ଜମି ବିକ୍ରୟ ଦଲିଲ ସମ୍ପାଦନକରି ଟଙ୍କା ପାଉଛି ଓ ବନ୍ଧକ ଦଲିଲ ସମ୍ପାଦନକରି କରଜ ନେଉଛି ଓ ବିକ୍ରୟକାରୀଙ୍କ ମୃତ୍ୟୁପରେ ଉତ୍ତରାଧିକାରୀଙ୍କ ଆବେଦନ ଅନୁସାରେ ପୁନର୍ବାର ଜମି ବିକ୍ରୟକାରୀଙ୍କ ନିକଟକୁ ଚାଲିଯାଉଛି। ଯାହାଫଳରେ ଜମି କ୍ରୟକରିଥିବା ଲୋକଟି କ୍ଷତିର ସମ୍ମୁଖୀନ ହେଉଛି ଓ ଆଇନ ଶୃଙ୍ଖଳା ପରିସ୍ଥିତି ବିଗାଡି ଯାଉଛି। ଦାଖଲ ଖାରଜ ମୋକଦ୍ଦମା ଫଇସଲା ସମୟରେ ରେଜିଷ୍ଟ୍ରେସନ ଅଫିସରଙ୍କ ସୂଚନା କିମ୍ବା ସଦ୍ୟ ସଂଗୃହୀତ EC ର ନକଲକୁ ଦାଖଲ ଖାରଜ ରେକର୍ଡରେ ଅନ୍ତର୍ଭୁକ୍ତ କରିବାକୁ ବୁଦ୍ଧିଜୀବୀ ମହଲରୁ ସରକାରଙ୍କ ଠାରେ ଦାବୀ ହେଉଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *