ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ ; ଗୁଡାରୀ ପୋଲିସ ଦ୍ୱାରା ୨୨୪ କେଜି ଗଞ୍ଜେଇ ଜବତ
ରାୟଗଡ଼ ଜ଼ିଲ୍ଲା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡ ଜିଲ୍ଲା ଗୁଣପୁର ଉପଖଣ୍ଡ ଅନ୍ତର୍ଗତ ଗୁଡାରୀ ଠାରେ ପୋଲିସ ବିଭାଗକୁ ଗତକାଲି ଏକ ବଡ଼ ସଫଳତା ମିଳିଛି । ଗୁଡାରୀ ପୋଲିସ ୨୨୪ କେଜି ୩୫୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଉକ୍ତ ଗଞ୍ଜେଇ ୪ ଗୋଟି ଧଳା ରଙ୍ଗର ଜରି ବ୍ୟାଗରେ ଭରି ହୋଇ ଓଡ଼ି ୧୮ ଏଫ୍ ୨୨୬୩ ନମ୍ବର ରେଜିଷ୍ଟ୍ରି ଭୁକ୍ତ ଏକ ବୋଲେରୋ ପିକପ୍ ଭ୍ୟାନରେ ନିଆ ଯାଉଥିବା ବେଳେ ପୋଲିସ ଗୁଡାରୀ ଠାରୁ ୧୦ କିମି ଦୁର ଚନ୍ଦ୍ରପୁର ରାସ୍ତାର ବୁଜିଙ୍ଗଗୁଡା ଛକ ଠାରେ ଜବତ କରିଛି ।
ଏଥି ସହିତ ନଗଦ ୧ ଲକ୍ଷ ଟଙ୍କା , ଏୟାରଟେଲ ସିମ୍ କାର୍ଡ ଏବଂ ୨ ଗୋଟି ମେମୋରି କାର୍ଡ ବ୍ୟବହୃତ ୨ ଗୋଟି ମୋବାଇଲ ଫୋନ ସହ ଗଣପତି ପାତିକାଙ୍କ ନାମରେ ଥିବା ଏସ୍ ବି ଆଇ ଏ.ଟି.ଏମ୍ କାର୍ଡ ଜବତ କରିଛି ।
ଏହି ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସ ଗୁଡାରୀ ଥାନା ଅନ୍ତର୍ଗତ କମନାଗୁଡା ଗ୍ରାମର ଦତ୍ତ ପାତିକାଙ୍କ ପୁଅ ଗଣପତି ପାତିକା (୫୦) ଏବଂ ଗଣପତିଙ୍କ ସ୍ତ୍ରୀ ବୁଡୁ ପାତିକା (୪୦) , ଶାନ୍ତି ନଗର ସ୍ଥିତ ରାମଚନ୍ଦ୍ର କାଡ୍ରାକାଙ୍କ ପୁଅ ଜିତୁ କାଡ୍ରାକା (୩୦) , ପଞ୍ଜାବ ରାଜ୍ୟ ସ୍ଥିତ ଅମ୍ରିତସର ଜିଲ୍ଲା ବାଲା ଥାନା ଅନ୍ତର୍ଗତ ଅମ୍ରିତ୍ ଗ୍ରାମର ସତବୀର ସିଂ ଙ୍କ ପୁଅ ଦାସ୍ (୩୫) ଏବଂ ହରିଆଣା ସ୍ଥିତ ହିସାର୍ ଜିଲ୍ଲା ବାରୱାଲା ଥାନା ଅଧିନସ୍ଥ ରାଜଲି ଗ୍ରାମର କୁରୁଡ଼ିଆ ରାମଙ୍କ ପୁଅ ସାନ୍ତଲାଲ୍ (୩୩) ଙ୍କୁ ଗିରଫ କରି ଗୁଡାରୀ ଥାନା କେସ୍ ନମ୍ବର ୭୮/୧୯ କ୍ରମେ ମାମଲା ଦାୟର କରିଛି ।
ଗୁଣପୁର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାୟଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଏମ୍ ଶ୍ରବଣ ବିବେକ କୁମାର ଉକ୍ତ ବିଷୟରେ ସୁଚନା ଦେଇଛନ୍ତି ।
ତଦନ୍ତରୁ ଜଣାପଡିଛି ଗଣପତି ପାତିକା ଏବଂ ତାଙ୍କ ସ୍ତ୍ରୀ ବୁଡୁ ପାତିକା ନିୟମିତ ବୁଲା ଗଞ୍ଜେଇ ବିକାଳୀ ଏବଂ କିଛି ବର୍ଷ ଧରି ଉଭୟେ ଗଞ୍ଜେଇ ରପ୍ତାନି ଓ ବିକ୍ରି କରୁଛନ୍ତି । ସେମାନେ ବେଆଇନ ଭାବେ ବାରମ୍ବାର ପଞ୍ଜାବ , ହରିଆଣା , ବିହାର ଏବଂ ଛତିଶଗଡ଼ ରାଜ୍ୟକୁ ବେଆଇନ ଗଞ୍ଜେଇ ରପ୍ତାନି କରିବା ସହ ରାୟଗଡ ଜିଲ୍ଲାରେ ଲାଭ ନିମନ୍ତେ ଗଞ୍ଜେଇ ବିକ୍ରି କରୁଅଛନ୍ତି ।
ଅଭିଯୁକ୍ତ ଦାସ୍ ଏବଂ ସାନ୍ତାଲାଲ୍ ଉଭୟେ ଗଣପତି ପାତିକାଙ୍କ ସମ୍ଭାବ୍ୟ ଅଂଶିଦାର ଅଟନ୍ତି ଓ କମ ଦରରେ ଚନ୍ଦ୍ରପୁର ଇଲାକାରୁ ଗଞ୍ଜେଇ କିଣି ପଞ୍ଜାବ , ହରିଆଣା ବିହାର ରାଜ୍ୟରେ କେଜି ପିଛା ୫୦୦୦ ଟଙ୍କା ଲାଭରେ ବିକ୍ରି କରୁଛନ୍ତି। ଗତ ୧୨/୧୦/୨୦୧୯ ତାରିଖ ଦିନ ସନ୍ଧ୍ୟା ସମୟରେ ଗଣପତି ପାତିକାଙ୍କ ସହ ତାଙ୍କ ସ୍ତ୍ରୀ ଏବଂ ଅନ୍ୟ ଅଭିଯୁକ୍ତ ମାନେ ଚନ୍ଦ୍ରପୁର ଅଞ୍ଚଳର ବିଭିନ୍ନ ଗ୍ରାମକୁ ଯାଇ କମ ଦରରେ ଗଞ୍ଜେଇ ସଂଗ୍ରହ କରିଥିଲେ ।
ପର ଦିନ ଅର୍ଥାତ ୧୩/୧୦/୨୦୧୯ ତାରିଖ ସକାଳ ୦୯ ଘଣ୍ଟା ସମୟରେ ଅଭିଯୁକ୍ତ ମାନେ ଚନ୍ଦ୍ରପୁର ଠାରୁ ଗୁଡାରୀ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ଗୁଡାରୀ ପୋଲିସ ଦଳ ଏମାନଙ୍କୁ ଧରିଛି। ଅଭିଯୁକ୍ତ ଜିତୁ କାଡ୍ରାକା ଜଣେ ଦକ୍ଷ ଗାଡି ଚାଳକ ଏବଂ ସେ ବହୁ ସମୟରେ ଏହି କ୍ଷେତ୍ରରେ ଅଭିଯୁକ୍ତଙ୍କୁ ସହଯୋଗ କରୁଥିବା ଓ ଜବତ କରାଯାଇଥିବା ୧ ଲକ୍ଷ ଟଙ୍କା ରପ୍ତାନି ଖର୍ଚ୍ଚ ବ୍ୟବହାର ପାଇଁ ରଖାଯାଇଥିବା ପୋଲିସ କହିଛି । ଜବତ କରାଯାଇଥିବା ବୋଲେରୋଟି ଅଭିଯୁକ୍ତ ଗଣପତି ପାତିକାଙ୍କର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଭାରତୀୟ ପିଙ୍ଗଳ କୋର୍ଟ ଧାରା ୨୦ ବି (୨) ସି ଏନ.ଡ଼ି.ପି.ସି ଆକ୍ଟ ୧୯୮୫ କ୍ରମେ କେସ୍ ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ କରାଯାଉଥିବା ଏଭଳି ମାଦକଦ୍ରବ୍ୟ ଚାଷ , ବିକ୍ରୟ ଓ ରପ୍ତାନିକୁ ରୋକିବା ଦିଗରେ ଜନସାଧାରଣ ପୋଲିସ କତୃପକ୍ଷଙ୍କୁ ସହଯୋଗର ହାତ ବଢାଇବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଏଭଳି ସୁଚନା ଦେବା ବ୍ୟକ୍ତିଙ୍କ ନାମ ଗୋପନ ରଖିବା ସହ ସୁଚନା ଦାତା ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯିବ ବୋଲି କୁହାଯାଇଛି ।
ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଗୁଣପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜ କିଶୋର ଦାସ , ଗୁଣପୁର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରଶ୍ମି ରଂଜନ ପ୍ରଧାନ ଓ ଗୁଡାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଏସ୍ କେ ତାଉଡ଼ିଆଙ୍କ ସମେତ ଗୁଣପୁର ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହିଥିଲେ ।