ଆସନ୍ତା୧୫ରୁ କ୍ୟାପିଟାଲ ରିଜନ ରିଙ୍ଗରୋଡ୍ ଡିପିଆର କାମ, ଅଣ୍ଟା ଭିଡିଲା ‘ଏନ୍ଏଚ୍ଏଆଇ’
ଭୁବନେଶ୍ୱର ୨୬/୧୨: କ୍ୟାପିଟାଲ ରିଜନ ରିଙ୍ଗ୍ରୋଡ୍ ପ୍ରକଳ୍ପ ଆଗେଇବା ପାଇଁ ଅଣ୍ଟା ଭିଡ଼ିଛି ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) । ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ପ୍ରସ୍ତୁତି କାମ ଆସନ୍ତା ଜାନୁଆରୀ ୧୫ ବେଳକୁ ଆରମ୍ଭ ହୋଇଯିବ । ଏହାସହ ପୂର୍ବରୁ ପ୍ରସ୍ତୁତ ପ୍ରକଳ୍ପ ନକ୍ସାରେ କିଛି ପରିବର୍ତ୍ତନ କରାଯିବ । ଆଉ ନୂଆ ନକ୍ସାକୁ ଚୂଡ଼ାନ୍ତ ରୂପ ଦିଆଯିବ ।
ପ୍ରସ୍ତାବିତ ରିଙ୍ଗରୋଡ୍ କେଉଁ ବାଟ ଦେଇ ଯିବ, ନକ୍ସାରେ ତାହାର ରୁଟ୍ ଚୂଡ଼ାନ୍ତ କରାଯିବ । ରିଙ୍ଗ୍ରୋଡ୍ ନିର୍ମାଣ ପାଇଁ କେଉଁଠି କେତେ ଜମି ଆବଶ୍ୟକ, ଚୂଡ଼ାନ୍ତ ନକ୍ସା ପ୍ରସ୍ତୁତ ହେଲେ ହିଁ ତାହା ଜଣାପଡ଼ିବ । ତେଣୁ ନକ୍ସା ଚୂଡ଼ାନ୍ତ ହେବା ପରେ ଜମି ଅଧିଗ୍ରହଣ କାମ ଆରମ୍ଭ ହେବ । ସମ୍ଭବତଃ ଫେବ୍ରୁଆରୀ ଶେଷ ସୁଦ୍ଧା ନକ୍ସା ପ୍ରସ୍ତୁତ ହେବ । ସେହିପରି ୪ ମାସ ଭିତରେ ଡିପିଆର କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।
ଭୁବନେଶ୍ୱର-କଟକ ସହର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରୁ ଟ୍ରାଫିକ ଭିଡ଼ କମାଇବା ପାଇଁ ସହର କଡ଼େ କଡ଼େ ବାଇପାସ ନିର୍ମାଣ ଯୋଜନା ରହିଛି । ପ୍ରାୟ ୫ ବର୍ଷ ତଳେ ଉଭୟ କେନ୍ଦ୍ର ଓ ରାଜ୍ୟ ମିଶି ଏ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ୨୦୧୫ ଜାନୁଆରୀରେ ଭୁବନେଶ୍ୱରରେ ଆୟୋଜିତ ଇଣ୍ଡିଆନ ରୋଡ୍ କଂଗ୍ରେସରେ ଏ ନେଇ ଘୋଷଣା ହୋଇଥିଲା। ସେତେବେଳେ କୁହାଯାଇଥିଲା, ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱର ଏନ୍ଏଚ୍ରୁ ଭିଡ଼ କମାଇବା ପାଇଁ ଖୋର୍ଦ୍ଧା ପିତାପଲ୍ଲୀ ଛକରୁ ମଙ୍ଗୁଳି ଛକକୁ ଫିଟିବ ବାଇପାସ୍ । ଯୋଜନା ଥିଲା ଯେ ଏହା ରିଙ୍ଗ୍ରୋଡ୍ ଭଳି ଭୁବନେଶ୍ୱର ଓ କଟକ ସହର କଡ଼େ କଡ଼େ ଯାଇ ଏନଏଚ୍ ୫୫ ଓ ଏନଏଚ୍ ୧୬କୁ ସଂଯୋଗ କରିବ । ପରେ ପ୍ରକଳ୍ପର ନାଁ ଦିଆଗଲା କ୍ୟାପିଟାଲ ରିଜନ ରିଙ୍ଗ୍ରୋଡ୍ ।
ଯୋଜନା ମୁତାବକ ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ସହର ପାଖ ପାଳତୋଟାପଡ଼ାରୁ ଚୌଦ୍ୱାର ନିକଟସ୍ଥ ବଉଳା ପର୍ଯ୍ୟନ୍ତ ୬୮ କିଲୋମିଟର ରାସ୍ତା ନିର୍ମାଣ ହେବ । ଏହି ରାସ୍ତା କୁଣ୍ଡିଲୋ, ମୁକ୍ତାପୁର, ଅଂଶୁପା, ରାଧାମୋହନପୁର ଦେଇ ବଉଳା ନିକଟରେ ଏନ୍ଏଚ୍ ୫୫ରେ ମିଶିବ । ଦ୍ୱିତୀୟ ପର୍ଯ୍ୟାୟରେ ବଉଳା ପାଖରୁ ରାସ୍ତା ବାହାରି ଏନଏଚ୍ ୧୬ରେ ଟାଙ୍ଗୀ ନିକଟସ୍ଥ ବନ୍ଦାଲୋରେ ମିଶିବ । ଦ୍ୱିତୀୟ ପର୍ଯ୍ୟାୟ ରାସ୍ତାର ଲମ୍ବ ୨୧ କିମି ରହିବ । ମାତ୍ର ଏଯାବତ୍ ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପ କାମ ଆରମ୍ଭ ହୋଇନି । ଡିପିଆର ମଧ୍ୟ ପ୍ରସ୍ତୁତ ହୋଇନି ।
ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପ ପାଇଁ ପୂର୍ତ୍ତ ବିଭାଗ ପ୍ରସ୍ତୁତ କରିଥିବା ଡିପିଆରକୁ ଏନ୍ଏଚ୍ଏଆଇ ନାପସନ୍ଦ କରିଥିଲା । କାରଣ ପ୍ରଥମ ଡିପିଆରରେ ୪ ଲେନ୍ ରାସ୍ତା ନିର୍ମାଣ ପ୍ରସ୍ତାବ ଥିଲା । ହେଲେ ଏନଏଚଏଆଇ ଏହାକୁ ୬ ଲେନ୍ ରାସ୍ତା କରିବାକୁ ପ୍ରସ୍ତାବ ରଖିଛି । ତେଣୁ ଆଉ ଥରେ ଡିପିଆର ପ୍ରସ୍ତୁତ ହେବ । ଏଥର ଏହି ଦାୟିତ୍ୱ ଏନ୍ଏଚ୍ଏଆଇ ନେଇଛି । ଏଥିପାଇଁ ଏନ୍ଏଚ୍ଏଆଇ ଟେଣ୍ଡର ଆହ୍ୱାନ କରିଥିଲା । ୨୨ଟି କନସଲଟାଣ୍ଟ ସଂସ୍ଥା ଆବେଦନ କରିଥିଲେ । ଏଥିମଧ୍ୟରୁ ଯୋଗ୍ୟ ସଂସ୍ଥାକୁ ଚୟନ କରାଯାଇଥିବାବେଳେ ଚୂଡ଼ାନ୍ତ ଅନୁମୋଦନ ପାଇଁ ଫାଇଲ୍ ଏନ୍ଏଚ୍ଏଆଇ ମୁଖ୍ୟାଳୟକୁ ପଠାଯାଇଛି । ଆସନ୍ତା ସପ୍ତାହେ ମଧ୍ୟରେ ଏଥିରେ ମୋହର ବାଜିବ । ୨୦୨୦ ଜାନୁଆରୀ ୧୫ ସୁଦ୍ଧା ଡିପିଆର କାମ ଆରମ୍ଭ ହେବ । ୪ ମାସ ମଧ୍ୟରେ ସରିବ ଡିପିଆର ।
ଅନ୍ୟପକ୍ଷରେ ଡିପିଆର କାମ ଆରମ୍ଭ ହେବା ସହ ପ୍ରକଳ୍ପ ପାଇଁ ପୂର୍ବରୁ ପ୍ରସ୍ତୁତ ନକ୍ସାରେ ପରିବର୍ତ୍ତନ କରାଯିବ । କାରଣ ପୂର୍ବରୁ ୪ ଲେନ୍ ରାସ୍ତା ପାଇଁ ନକ୍ସା ପ୍ରସ୍ତୁତ ହୋଇଥିଲା । ଏବେ ୬ ଲେନ୍ ପାଇଁ ନକ୍ସା ପ୍ରସ୍ତୁତ କରାଯିବ । ଡିପିଆର କାମ ସହ କନସଲଟାଣ୍ଟ ସଂସ୍ଥା ନକ୍ସା ପ୍ରସ୍ତୁତି କାମ ମଧ୍ୟ ଆରମ୍ଭ କରିବ । ପ୍ରାୟ ଦେଢ଼ ମାସ ଭିତରେ ଏହାକୁ ଚୂଡ଼ାନ୍ତ ରୂପ ଦିଆଯିବ । ପ୍ରକଳ୍ପ କେଉଁ ବାଟ ଦେଇ ଯିବ, ସେ ସମ୍ପର୍କିତ ନକ୍ସା ଚୂଡ଼ାନ୍ତ ହେବା ପରେ ଜମି ଅଧିଗ୍ରହଣ କରାଯିବ । ଜମି ଅଧିଗ୍ରହଣ କାମ ଏନ୍ଏଚ୍ଏଆଇ କରିବ । ହେଲେ ଜମି ଅଧିଗ୍ରହଣ ବାବଦ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଏନ୍ଏଚ୍ଏଆଇ ଆଞ୍ଚଳିକ ଅଧିକାରୀ ଆର୍.ପି.ପଣ୍ଡା ସୂଚନା ଦେଇଛନ୍ତି ।