ମଦ୍ୟପ ଡ୍ରାଇଭରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଯୋଗୁଁ କମୁଛି ଦୁର୍ଘଟଣା
କଟକ:(ସଖପ୍ର) ମଦ୍ୟପ ଗାଡି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଯୋଗୁଁ ରାଜ୍ୟରେ ଦୁର୍ଘଟଣା ହାର କମିଛି । କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ଏହି ସୂଚନା ଦେଇଛନ୍ତି । ଗତ ସେପ୍ଟେମ୍ବର ମାସରୁ ଚଳିତବର୍ଷ ସେପ୍ଟେମ୍ବର ମାସ ମଧ୍ୟରେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ପାଖାପାଖି ଶହେ କମିଛି ବୋଲି ସନ୍ତୋଷ କହିଛନ୍ତି ।
ରାଜ୍ୟର ସମସ୍ତ ଜିଲ୍ଲାରେ ମଦ୍ୟପ ଗାଡି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଏକ ଲକ୍ଷ ୯୦ ହଜାରରୁ ଅଧିକ ଗାଡି ଯାଞ୍ଚ କରାଯାଇଥିବାବେଳେ ୫ହଜାର ୮ ଶହ ୫୬ ଜଣ ମଦ୍ୟପ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ଗଞ୍ଜାମ ଜିଲ୍ଲାର ସର୍ବାଧିକ ୧୧୯୧ ଜଣ ମଦ୍ୟପ ଡ୍ରାଇଭରଙ୍କୁ ଗିରଫ କରାଯାଇଥିବା ବେଳେ ମୟୂରଭଞ୍ଜରୁ ୭୦୨ ଜଣ, ଯାଜପୁରରୁ ୬୩୫, ଅନୁଗୁଳରୁ ୩୯୫ ଜଣ ମଦୁଆ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ତେବେ ଏହି ପ୍ରକ୍ରିୟା ଆଗକୁ ଆହୁରି କଡାକଡ଼ି କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି।