Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଆରଟିଆଇ ତଥ୍ୟ ଖୋଲିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଦୁର୍ନୀତି ପେଡି

1 min read

ଖୋର୍ଦ୍ଧା:(ସଖପ୍ର) ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାଂଘାତିକ ଦୁର୍ନୀତି ଅଭିଯୋଗ । ଏହିଭଳି ଅଭିଯୋଗ କୌଣସି ଉପାନ୍ତ ଅଞ୍ଚଳରୁ ନୁହେଁ ବରଂ ପ୍ରଶାସନର ନାକ ତଳେ ଥିବା ଖୋର୍ଦ୍ଧା ଜିଲ୍ଲାରୁ ଆସିଛି । ପୂର୍ବରୁ ଜିଲ୍ଲାର ବଡମାଣତ୍ରୀ ପଞ୍ଚାୟତରୁ ଏହି କେଳେଙ୍କାରୀ ସାମନାକୁ ଆସିଥିଲା । ଏବେ ପୋଡାଡିହ ପଞ୍ଚାୟତରୁ ଏନେଇ ଅଭିଯୋଗ ଆସିଛି । ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ଅଯୋଗ୍ୟ ହିତାଧିକାରୀଙ୍କ ନାଁରେ ଦିଆଯାଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର । ଆରଟିଆଇରୁ ମିଳିଥିବା ଏହି ତଥ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।

ରିପୋର୍ଟ ଅନୁସାରେ, ଗରିବ, ଖଟିଖିଆ ଭଙ୍ଗା ମାଟି ଦଦରା ଘରେ ଜୀବନ କାଟୁଥିବାବେଳେ ଆର୍ଥିକ ସ୍ବଚ୍ଛଳ ବର୍ଗ ନାଁରେ ଦିଆଯାଇଛି ଦୁଇଟି ଦୁଇଟି ଘର । ପଞ୍ଚାୟତର ଜଣେ କି ଦୁଇ ଜଣ ନୁହେଁ ଏମିତି ଅନେକ ପରିବାର ସରକାରଙ୍କ ଏହି ବାସଗୃହ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି । ଗ୍ରାମରେ ଗୁରୁ ପାଣିଗ୍ରାହୀ ନାମକ ଜଣେ ବ୍ୟକ୍ତିଙ୍କ ମାଟି ଘରକୁ ପକ୍କା ଘର ଦର୍ଶାଉ ବାସଗୃହ ଯୋଜନାରୁ ବାଦ ଦିଆଯାଇଛି । ସେହିପରି ଅନେକ ପରିବାର ଠାରୁ ମୋଟା ଅଙ୍କର ଲାଞ୍ଚ ମଗାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ସତେଯେମିତି ଲାଞ୍ଚ ନାହିଁ ତ ପ୍ରକୃତ ହିତାଧୀକାରୀଙ୍କ ପାଇଁ ବାସଗୃହ ବି ନାହିଁ ।
ପୋଡାଡିହ ପଞ୍ଚାୟତରେ ଏହି ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିକୁ ପଦାକୁ ଆଣିଥିଲେ ସମାଜସେବୀ ବିଭୂତି ଦାସ । ସେ ହସ୍ତଗତ କରିଥିବା ରିପୋର୍ଟରେ ପୋଡାଡିହର ମେଳଛ ସେଠୀ ୨୦୦୮-୦୯ ମସିହାରେ ଇନ୍ଦିରା ଆବାସ ଯୋଜନାରେ ବାସଗୃହ ପାଇଥିଲେ । ପୁଣି ଥରେ ୧୭-୦୮-୨୦୧୯ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ପାଇଛନ୍ତି । ସେହିପରି ୨୦୧୨-13ରେ ହାଲୁରୀ ସାହୁଙ୍କ ସ୍ତ୍ରୀ ନିଛୋମଣୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ହାତେଇଥିବା ବେଳେ ତାଙ୍କ ସ୍ବାମୀ ହାଲୁରୀ ୨୦୧୬-୧୭ରେ ଏହି ଯୋଜନାରେ ଘର ପାଇଛନ୍ତି । ଏହିଭଳି ଅନେକ ଦୁର୍ନୀତିର ରିପୋର୍ଟରେ ଖୁଲାସା ହୋଇଥିବା ସେ କହିଛନ୍ତି ।
ତେବେ ଆଗାମୀ ଦିନରେ ଏସବୁର ତଦନ୍ତ କରି କାର୍ଯାନୁଷ୍ଠାନ ଗ୍ରହଣ ସହିତ ଯୋଗ୍ୟ ହିତାଧିକାରୀଙ୍କୁ ବାସଗୃହ ଯୋଜନାରେ ପକ୍କା ଘର ଯୋଗାଇ ଦେବାକୁ ବିଭୂତି ଏବଂ ଗ୍ରାମବାସୀ ଦାବି କରିଛନ୍ତି । ଏନେଇ ବିଭୂତି ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ପହଞ୍ଚି ମାମଲାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେବା ପରେ ସେ ଅନଶନରୁ ଉଠିଥିଲେ । ସେପଟେ ଏନେଇ ଆମ ପ୍ରତିନିଧି ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ । ହେଲେ ଘଟଣାସମ୍ପର୍କରେ କିଛି କହିବାକୁ ସିଧାସଳଖ ମନା କରି ଦେଇଥିଲେ ଜିଲ୍ଲାପାଳ ।
ଗରିବ, ଖଟିଖିଆଙ୍କ ମୁଣ୍ଡରେ ଛାତଟିଏ ଦେବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବ୍ୟବସ୍ଥା କରିଛନ୍ତି । ଏପରିକି ପ୍ରଶାସନିକ ସ୍ତରରେ ସ୍ବଚ୍ଛତା ଆଣିବାକୁ 5’ଟି’ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ତଥାପି ପ୍ରକୃତ ହିତାଧିକାରୀ ନିଜ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି । ତେବେ ପଞ୍ଚାୟତ ସ୍ତରରେ ହେଉଥିବା ଏହି ଦୁର୍ନୀତି ବିରୋଧରେ ସରକାର କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁର୍ନୀତିଖୋରଙ୍କୁ ଉଚିତ୍ ଦଣ୍ଡରେ ଦଣ୍ଡିତ କରୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିବ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *