Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ନବରଙ୍ଗପୁର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର ରୂପରେଖ

1 min read

ନବରଙ୍ଗପୁରଜିଲ୍ଲା: ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର ମୂଳ ଉଦ୍ଦେଶ୍ୟ ଥିଲା ପ୍ରତ୍ୟେକ ଗ୍ରାମକୁ ମୁଖ୍ୟ ରାସ୍ତା ସହ ଯୋଡିବା। ଖାସ ସେଥିପାଇଁ ୧୫ ଅଗଷ୍ଟ ୨୦୦୦ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ,କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁଦାନ ଥିବା ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ଶୁଭାରମ୍ଭ କରିଥିଲେ। ସେଥିରେ ଗୋଟିଏ ନିୟମ ଅନୁସାରେ ରାସ୍ତାଟି ୯ ମାସ ମଧ୍ୟରେ ସାରିବାକୁ ହେବ। କୌଣସି ପ୍ରାକୃତିକ ବିପର୍ଯ୍ୟସ୍ତ କ୍ଷେତ୍ରରେ ରାସ୍ତାଟିକୁ ୧୨ ମାସ ଭିତରେ ସାରିବାକୁ ନିର୍ଦ୍ଦେଶ ରହିଛି। ଏହାଠାରୁ ବିଳମ୍ବ ହେଲେ ଆଗକୁ ମିଳିବାକୁ ଥିବା ଅନୁଦାନ ବନ୍ଦ କରିବା ନିର୍ଦ୍ଦେଶ ଅଛି। ପୁଣି ନିର୍ଦେଶ ଅଛି ଯେ ଏହି ଯୋଜନାରେ ନିର୍ମାଣ ହେଉଥିବା ରାସ୍ତା ଗୁଡିକ ଉତ୍ତମ ମାନର ହେବା ଆବଶ୍ୟକ, ଯେଉଁଥିରେ ଅତିକମରେ ୫ ବର୍ଷ ପର୍ଯ୍ୟନ୍ତ କୌଣସି ବଡ ଧରଣର ମରାମତିର ଆବଶ୍ୟକତା ପଡିବ ନାହିଁ। ଏଥିପାଇଁ ନିର୍ମାଣ ଠିକାଦାରଙ୍କ ସହ ଚୁକ୍ତି କରିବାର ନିୟମ ରହିଛି।
ଏଥିପାଇଁ ପି.ଆଇ.ୟୁ ମାନଙ୍କ ଦାଇତ୍ୱ ହେଲା କାର୍ଯ୍ୟରେ ବ୍ୟବହାର ହେଉଥିବା ସାମଗ୍ରୀ ମାନଙ୍କ ମାନ ଯାଞ୍ଚ କରିବା ତଥା ଆବଶ୍ୟକ ପଡିଲେ ଉକ୍ତ ପଥର କୁଆଁରୀକୁ ଯାଇ ପଥରର ମାନ ଯାଞ୍ଚ କରିବା।
ଏହିଠି ପ୍ରଶ୍ନ ଉଟୁଛି କଣ ଏହି ସବୁ ନିୟମ ପାଳନ କରାଯାଉଛି କି ? ତାହାର ଉତ୍ତର ହେଉଛି ନାଁ। ଏକ ଉଦାହରଣ ମାଧ୍ୟମରେ ଏହାର ଆଲୋଚନା କରିବା।
ନବରଙ୍ଗପୁର ଜିଲ୍ଲା, କୋଷାଗୁମୁଡ଼ା ବ୍ଲକର ସନ୍ତୋଷପୁର ଠାରୁ ତେଲିଗୁଡା ରାସ୍ତା । ଯାହାର ମୋଟ ଦୂରତା ହେଉଛି ୩ କି.ମି ଏବଂ ୨୪୦ ମିଟର। ରାସ୍ତା କଡରେ ଲାଗିଥିବା ସୂଚନା ଫଳକ ଅନୁସାରେ ଏହି କାର୍ଯ୍ୟ ପାଇଁ ଅଟକଳ ମୂଲ୍ୟ ୧ କୋଟି ୩୩ ଲକ୍ଷ ୪୬ ହଜାର ୫୫୨ ଟଙ୍କା ଧାର୍ଯ୍ୟ କରାଯାଇଛି । ତଥା ପାଞ୍ଚ ବର୍ଷର ରକ୍ଷଣା ବେକ୍ଷଣ ପାଇଁ ଧାର୍ଯ୍ୟ ହୋଇଛି ୧୨ ଲକ୍ଷ ୨୭୪ ଟଙ୍କା। କାର୍ଯ୍ୟ ଆରମ୍ଭ ହେବା ତାରିଖ ୨୭-୦୨-୨୦୧୯ ଥିବା ବେଳେ କାର୍ଯ୍ୟ ଶେଷ ତାରିଖ ୨୬-୦୮-୨୦୧୯ ବୋଲି ସୂଚନା ଫଳକରେ ଉଲ୍ଲେଖ କରାଯାଇଛି।
ହେଲେ କାର୍ଯ୍ୟକାରୀ ସଂସ୍ଥା ତଥା ନିର୍ବାହୀ ଯନ୍ତ୍ରୀ, ଗ୍ରାମ ନିର୍ମାଣ ବିଭାଗ,ନବରଙ୍ଗପୁର ,ଓଡିଶା ସରକାରଙ୍କ ଦାଇତ୍ୱହୀନତା ତଥା ଠିକାଦାର ପ୍ରୀତି ପାଇଁ ଆଜି କାର୍ଯ୍ୟଟି କଛପ ଗତିରେ ଆଗକୁ ବଢୁଛି।କାର୍ଯ୍ୟକାରୀ ସଂସ୍ଥା ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକାର ଫଳ ନିରୀହ ଗ୍ରାମୀଣ ଆଦିବାସୀ ଭୋଗୁଛନ୍ତି।
ଆମେ ଆପଣଙ୍କୁ ସୂଚାଇ ଦେବାକୁ ଚାହୁଁ ଯେ, ଯେଉଁ କିସମର ପଥର ବା ଗୋଡି ବ୍ୟବହାର ହେବାର ନିୟମ ରହିଛି ତାହା ହେଉନାହିଁ। ତଥା ଗ୍ରାନାଇଟ ପଥର ବଦଳରେ ଛତିଶଗଡ଼ ଅଞ୍ଚଳରୁ ବାହାରୁଥିବା ନିମ୍ନମାନର ତଥା କମ ମୂଲ୍ୟର ଲାଇମଷ୍ଟନ ପଥର ମିଶ୍ରଣ କରି ବ୍ୟବହାର କରାଯାଉଛି। ପୁଣି ସୂଚନା ଫଳକ ଅନୁସାରେ ଅବଧି ସରିବା ପରେ ମଧ୍ୟ କାର୍ଯ୍ୟଟି ନ ସରିବା ଦର୍ଶାଉଛି। ଠିକାଦାର ଏବଂ ସରକାରୀ ବଡ ପଣ୍ଡିତ ମିଶି ରକ୍ଷଣା ବେକ୍ଷଣ ବାବଦରେ ମିଳିଥିବା ଅର୍ଥ ହଡ଼ପ କରିବାର ଯୋଜନା କରିଛନ୍ତି, ଏଥିରେ ସନ୍ଧେହ ନାହିଁ।
ନବରଙ୍ଗପୁର ଜିଲ୍ଲାପାଳ ଏହି କାର୍ଯ୍ୟଟିରେ ହସ୍ତକ୍ଷେପ କରି, ଦୋଷୀଙ୍କୁ ଉଚିତ ଦଣ୍ଡ ଦିଅନ୍ତୁ ବୋଲି ଗ୍ରାମବାସୀ ଅନୁରୋଧ କରିଛନ୍ତି। ଏହା ହେଲେ ରାଜ୍ୟ ସରକାରଙ୍କ 5T ଯୋଜନାଟି ସଫଳ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ନବରଙ୍ଗପୁରରୁ ଭବାନୀ ପାଢୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *