Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଅବକାରୀ ବିଭାଗ ପକ୍ଷରୁ ମହିଳାଙ୍କୁ ମିଥ୍ୟା ଆରୋପ କରି ଗିରଫ୍ କରାଯାଇଥିବା ଅଭିଯୋଗ

1 min read

ତିହିଡି,୨୨/୧୧(ସଖପ୍ର) ଭଦ୍ରକ ଜିଲ୍ଲା ତିହିଡି ଥାନାଧିନ ସିନ୍ଦୋଳ ଗ୍ରାମର ଜନୈକ ମହିଳାଙ୍କୁ ମିଥ୍ୟାରୋପ କରି ଅବକାରୀ ବିଭାଗ ପକ୍ଷରୁ ବଳପୂର୍ବକ ଗିରଫ୍ କରାଯାଇଥିବା ଅଭିଯୋଗ ହୋଇଛି । ନକଲି ମଦ ତିଆରି କରି ବିକ୍ରି କରୁଥିବା ଅଭିଯୋଗରେ ଏହି ଗ୍ରାମର ନିରଞ୍ଜନ ଦାସଙ୍କ ସ୍ତ୍ରୀ ଗୀତାଞ୍ଜଳୀ ଦାସଙ୍କୁ ଗିରଫ୍ କରାଯାଇଥିଲା । ସର୍ତମୂଳକ ଜାମିନରେ ଆସି ଅବକାରୀ ବିଭାଗ ବିରୋଧରେ ସେ ମୁହଁ ଖୋଲିଛନ୍ତ । କେବଳ ସେତିକି ନୁହେଁ ବେଆଇନଭାବେ ଏବଂ ବିନା ପ୍ରମାଣରେ ତାଙ୍କୁ ଗିରଫ୍ କରାଯାଇଛି ଏବଂ ଭଦ୍ରକ କାର୍ଯ୍ୟାଳୟରେ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରାଯିବା ସହିତ ମାଡ ମରାଯାଇଥିବା କହିଛନ୍ତି । ବିଭିନ୍ନ ମଦ ବୋତଲ ଓ ଅନ୍ୟାନ୍ୟ ସାମଗ୍ରୀ ଗୁଡିକୁ ସଜେଇ ମଝିରେ ବସାଇ ଏକ ନାଟକୀୟ ଭଙ୍ଗିରେ ଗିରଫ୍ କରାଯାଇଛି । ମାନ୍ୟବର ଅଦାଲତରେ ଆଶ୍ରୟ ନେବେ ବୋଲି ଗୀତାଞ୍ଜଳୀ କହିଛନ୍ତି । ବିଗତ ୨ ବର୍ଷ ହେଲା ଗୀତାଞ୍ଜଳୀ ରୋଗାଗ୍ରସ୍ତ ଥିବା ଏବଂ ୩ ଥର ପେଟର ଆପେଣ୍ଡିସାଇଟ୍ ଅସ୍ତ୍ରୋପଚାର ହୋଇଥିବା ବେଳେ ଶାରିରୀକ ଦୁର୍ବଳତା ମଧ୍ୟ ଅଛନ୍ତି । ଏପରିସ୍ଥଳରେ ଜ୍ୱରରେ ଶୋଇଥିବା ବେଳେ ତାଙ୍କୁ ନକଲି ମଦ ତିଆରି କରୁଥିବା ଅଭିଯୋଗରେ ଗିରଫ୍ କରାଯାଇଛି ଯାହା ସମ୍ପୂର୍ଣ୍ଣ ମିଥ୍ୟା ଓ କପୋଳ କଳ୍ପିତ ବୋଲି ଗାଁର ଅନ୍ୟ ମହିଳାମାନେ କହିଛନ୍ତି । ଅବକାରୀ ବିଭାଗ ପକ୍ଷରୁ ସ୍ଥାନୀୟ କମାରିଆ ବଜାରରେ ଚଢଓ କରାଯାଇଥିଲା । ଜନୈକ ଚୋରା ମଦ ବେପାରୀ ଠାରୁ ଖବର ପାଇ ସିନ୍ଦୋଳ ଗାଁରେ ପ୍ରଥମେ ସୁକି ବେହେରା ନାମକ ବ୍ୟକ୍ତିଙ୍କୁ ଖୋଜିଥଲେ । ସୁକି ଘରେ ନଥିବା ବେଳେ ଅବକାରୀ ବିଭାଗ ତାଙ୍କ ଘର ତାଲା ଭାଙ୍ଗି ଦେଇଥିଲେ । ପରେ ବାଡିପଟେ ନକଲି ମଦ ତିଆରି ସରଞ୍ଜାମ ଜବତ୍ କରିଥିବା ବେଳେ ଫେରାର ଅଭିଯୁକ୍ତ ସୁକିର ବାଡିକୁ ଲାଗି ଗୀତାଞ୍ଜଳୀଙ୍କ ବାରିରୁ କିଛି ସରଞ୍ଜାମ ଜବତ୍ କରାଯାଇଥିବା ଏବଂ ଗୀତାଞ୍ଜଳୀ ଏଥିରେ ସଂପୃକ୍ତି ଥିବାନେଇ ବିଭାଗ ପକ୍ଷରୁ କୁହାଯାଇଛି । ଅବକାରୀ ବିଭାଗ ଜଣେ ନିର୍ଦ୍ଦୋଷୀକୁ ଗିରଫ କରିଥିବା ବେଳେ ଏଯାବତ ପ୍ରକୃତ ଦୋଷୀକୁ ଧରିବାରେ ସକ୍ଷମ ହୋଇ ପାରିନାହିଁ । ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ପ୍ରକୃତ ନକଲି ମଦ ତିଆରି କରୁଥିବା ବ୍ୟକ୍ତିକୁ ଗିରଫ କରିବା ସହିତ ଗୀତାଞ୍ଜଳୀଙ୍କ ପରିବାରର ସମ୍ମାନ ରକ୍ଷା କରିବା ଲାଗି ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଅବକାରୀ ବିଭାଗ ପକ୍ଷରୁ ସେଦିନ ହୋଇଥିବା ଚଢଉ ସମ୍ପର୍କରେ ଥାନାରେ କୌଣସି ସୂଚନା ନାହିଁ ଏବଂ ଅବକାରୀ ବିଭାଗର କର୍ମକର୍ତା ବିରୋଧରେ ତଦନ୍ତ କରିବା ପରିସର ବାହାରେ ବୋଲି ଥାନା ସୂତ୍ରରୁ ସୂଚନା ମିଳିଛି । ଅନ୍ୟପଟେ ଜିଲ୍ଲା ଅବକାରୀ ସୁପରିଟେଣ୍ଡେଂଟ ଏ ସମ୍ପର୍କରେ କ୍ୟାମେରା ଆଗରେ କିଛି କହିବାକୁ ମନା କରିଛନ୍ତି । ସେଦିର ଫିଲ୍ଡ ଷ୍ଟାପ୍ମାନଙ୍କ ରିପୋର୍ଟ ମୁତାବକ ଗୀତାଞ୍ଜଳୀଙ୍କୁ ଗିରଫ୍ କରାଯାଇଥିବା କହି ଅତି ତରବରିଆ ଭାବେ କାର୍ଯ୍ୟାଳୟ ଛାଡି ବାହାରକୁ ଚାଲିଯାଇଥିଲେ । ଯାହାକୁ ନେଇ ବିଭାଗର କାର୍ଯ୍ୟ ଦକ୍ଷତା ପ୍ରତି ସନ୍ଦେହ ସୃଷ୍ଟି ହୋଇଛି । ଯଦି ପ୍ରକୃତ ଅଭିଯୁକ୍ତକୁ ଧରାଯାଇଥିଲା ତେବେ ଏହାର କୌଣସି ପ୍ରମାଣ ବିଭାଗ ପାଖରେ ନଥିବାରୁ ଏପରି ବ୍ୟବହାର ପ୍ରଦର୍ଶନ କରିଥିବା ନିସନ୍ଦେହ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *