Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାହଡପୁରରେ ୧୪୪ ଧାରା ଉଲଙ୍ଘନ: ବେଆଇନ ପଥର ଉତୋଳନ, ଚାପରେ ନୁହେଁ ଟଙ୍କା ଲୋଭରେ ପ୍ରଶାସନ

1 min read

ଧର୍ମଶାଳା ୧୩/୧୧(ସଖପ୍ର) ଧର୍ମଶାଳା ତହସିଲ ଅନ୍ତର୍ଗତ ରାହଡପୁର ପାହାଡରେ ବେଆଇନ ପଥର ଉତୋଳନ ଉପରେ ପ୍ରଶାସନ ୧୪୪ ଧାରା ଜାରି କରିଥିଲେ । ଏହାକୁ ପଥର ମାଫିଆ ମାନେ ଭ୍ରୁକ୍ଷେପ ନକରି ଦିନ ରାତି ୱାଗନ ବ୍ଲାଷ୍ଟିଂ କରି ଶହଶହ ଟ୍ରିପ୍ ପଥର ଉତୋଳନ କରି ପରିବହନ କରୁଛନ୍ତି । ଯାହାଦ୍ୱାରା ପ୍ରାାସନ ରାଜସ୍ୱ ହରାଉଥିବା ବେଳେ ମାଫିଆ ମାନେ ବିନା ଲଗାଣରେ କୋଟିକୋଟି ଟଙ୍କା ରୋଜଗାର କରୁଛନ୍ତି । ପ୍ରକାଶ ଥାଉକି ସମ୍ଫାରୁ ଓ ମହିଶରା ପଂଚାୟତର ଚାଷୀ ମାନଙ୍କ ନିମନ୍ତେ କରାଯାଇଥିବା ରାଣୀବନ୍ଧୀ ଡ୍ୟାମ୍ଟି ଏହି ପଥର ଉତୋଳନ ଫଳରେ ପୋତି ହୋଇପଡୁଛି । ଡ୍ୟାମରେ ପାଣି ନ ଆସିବାରୁ ଚାଷୀମାନେ ବିଲକୁ ପାଣି ମଡାଇ ପାରୁ ନାହାନ୍ତି । ଫଳରେ ଚାଷ କାର୍ଯ୍ୟରେ ଅସୁବିଧା ସୃଷ୍ଟି ହେଉଛି । ଅନେକ ଚାଷୀ ଚାଷ ହରାହୋଇ ପାହାଡରେ ଗେଟି ବାଡେଇବାକୁ ବାଧ୍ୟ ହେଉଛନ୍ତି । କିଛିଚାଷୀ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି । ଏହି ଅଂଚଳରେ ଅନେକ ଚାଷଜମି ପଡିଆ ପଡୁ୍ଥିବା ଦେଖିବାକୁ ମିଳୁଛି । ଚାଷୀମାନଙ୍କ ପକ୍ଷରୁ ପ୍ରତିବାଦ ବାରମ୍ବାର କରାଯିବା ପରେ ସ୍ଥାନୀୟ ତହସିଲଦାର ସରୋଜ କୁମାର ପଣ୍ଡା ରାହଡପୁର ପାହାଡରେ ୧୪୪ ଧାରା ଜାରି କରିଥିଲେ । ୧୪୪ ଧାରା ଲାଗିବାର କିଛିମାସ ପରେ ମାଫିଆମାନେ ପୁଣି ସଙ୍ଗବନ୍ଧ ହୋଇ ପାହାଡକୁ ବେଆଇନ ଭାବେ ଲୁଟୁଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।
ପ୍ରଥମେ ଡଙ୍କାରୀ ପାହାଡରେ ୧୪୪ ଧାରା ତହସିଲ ପକ୍ଷରୁ ଜାରି କରାଯାଇଥିଲା । ପରେ ରାହଡପୁର, ବିଛାଖଣ୍ଡି, ଜାବରା, ଆରୁହା, ଆଦି ପାହାଡରେ ୧୪୪ ଧାରା ଜାରି କରାଯାଇଥିଲା । ବର୍ତମାନ ଏହି ପାହାଡଗୁଡିକରେ ୧୪୪ ଧାରା ଜାରି କେବଳ ଲୋକଦେଖାଣିଆ ସାବ୍ୟସ୍ତ ହୋଇଛି । ପୂର୍ବରୁ ଯେଭଳି କଳାପଥର ଉତୋଳନ କରି ମାଫିଆମାନେ ଅନ୍ୟତ୍ର ପରିବହନ କରୁଥିଲେ ୧୪୪ ଡଧାରା ଜାରିହେବା ପରେ ମଧ୍ୟ ମାଫିଆମାନେ ବେଆଇନ ଭାବେ ପଥର ଉତୋଳନ କରି ପରିବହନ କରୁଛନ୍ତି । ହେଲେ ପ୍ରାାସନ ପକ୍ଷରୁ ସେଭଳି କିଛି ଆଖି ଦୃଷ୍ଟିଆ ପଦକ୍ଷେପ

ସେମାନଙ୍କ ବିରୋଧରେ ନିଆଯାଇନାହିଁ । ଏହାକୁ ନେଇ ପ୍ରଶାସନ ଚାପରେ ଥିବା ଅଭିଯୋଗ ହୋଇଛି । ପଥର ମାଫିଆମାନେ ଶାସକ ଦଳର ଆଗ ଧାଡିର କର୍ମୀ ହୋଇଥିବାରୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିବାକୁ ପ୍ରଶାସନ ପଛଘୁଂଚା ଦେଉଛି । କେବଳ ଲୋକଙ୍କ ଦାବିକୁ ବିଚାରକୁ ନେଇ ପ୍ରଶାସନ ବାଧ୍ୟେ ହୋଇ ୧୪୪ ଧାରା ଜାରି କରୁଛି ବୋଲି ସାଧାରଣରେ ଆଲୋଚନା ହେଉଛି । ପ୍ରତି ପାହାଡର ପାଦ ଦେଶରେ ବେଆଇନ ଭାବେ ବୃହତ କ୍ରସର ଗୁଡିକ ଚାଲୁ ରହିଛି । ଜାତୀୟ ରାଜପଥ କଡକୁ ଲାଗି ଶହ ଶହ ବେଆଇନ କ୍ରସର ମଧ୍ୟ ଗଢ଼ି ଉଠିଛି । ଜଙ୍ଗଲ ଜମି, ଗୋଚର, ଅନାବାଦୀ, ବଗଚରଣୀ, ଓ ଶ୍ମଶାନ ଆଦି ଜମିଗୁଡିକରେ ମାଫିଆମାନେ କଳାପଥର ଠୁଳ କରି ବିଭିନ୍ନ ଆଡୁ ଲୋକ ଆଣି ଗେଟି ବାଡେଇବାରେ ନିୟୋଜିତ କରିଛନ୍ତି । ଏହି ସବୁ ଜାଗାଗୁଡିକ ସରକାରୀ ଭାବେ ସଂରକ୍ଷିତ ରଖାଯାଇଥିବା ବେଳେ ସେଗୁଡିକୁ ମାଫିଆମାନେ ବଳପୂର୍ବକ ମାଡିବସି ନିଜ ଅକ୍ତିଆରକୁ ନେଇ ବ୍ୟବହାର କରୁଛନ୍ତି । ହେଲେ ପ୍ରଶାସନ ସେମାନଙ୍କ ବିରୋଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ସେହିପରି ଶହଶହ ହାଇୱା ଟ୍ରକ୍ ରାତିଦିନ ଚିପ୍ସ, ମେଟାଲ, ବୋଲ୍ଡର, ସ୍ପଲ, ଆରମୋରୀ, ବଜୁରୀ, ଓ ଡଷ୍ଟ ଆଦି ନେଇ ବିଭିନ୍ନ ଜିଲ୍ଲାକୁ ଯାଉଥିବା ବେଳେ ସେଥିମଧ୍ୟରୁ କିଛି ଗାଡିକୁ ତହସିଲ ପକ୍ଷରୁ ଅଟକାଇ ଜୋରିମାନା ଆଦାୟ କରାଯାଉଛି । ରାଜନେନତାଙ୍କ ଗାଡି ଅଟକାଇବାକୁ ପୁଲିସ କିମ୍ବା ତହସିଲଦାର ସାହସ ଜୁଟାଇ ପାରୁ ନାହିଁ । ଫଳରେ ୧୪୪ ଧାରା କେବଳ ଲୋକ ଦେଖାଣିଆ ପ୍ରତୀୟମାନ ହେଉଛି । ଏହା କେବଳ ରାଜସ୍ୱ ଫାଙ୍କିବା ପାଇଁ ଏକ ମାଧ୍ୟମ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଯଦି ଏହିଭଳି ଭାବରେ ଧର୍ମଶାଳାରୁ କଳାପଥର ଲୁଟ କରାଯାଏ ତେବେ ପାହାଡ ସମ୍ପଦ ସମ୍ପୂର୍ଣ୍ଣ ଲୋପ ପାଇବ ଏଥିରେ ସନେ୍ଦହ ନାହିଁ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *