Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବୋଇତ ବନ୍ଦାଣ ଉତ୍ସବ ପାଳନ ବେଳେ ନଦୀରେ ବୁଡି ପୃଥକ ପୃଥକ ଭାବେ ଦୁଇ ଛାତ୍ରଙ୍କ ମୃତ୍ୟୁ

1 min read

ରାୟଗଡଜ଼ିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ୍କ) 12.11.2019ଆଜି କାର୍ତିକ ପୂର୍ଣ୍ଣୀମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ପାଳନ ବେଳେ ରାୟଗଡ ଜିଲ୍ଲାରେ ଦୁଇଟି ପୃଥକ ପୃଥକ ସ୍ଥାନରେ ଅଘଟଣ ଘଟି ଦୁଇ ଯୁବକଙ୍କ ଅକାଳ ମୃତ୍ୟୁ ଘଟିଛି । ପ୍ରାପ୍ତ ସୂଚନାରୁ ଏହି ଯେ, ରାୟଗଡ ସହର ନିକଟସ୍ଥ ନାଗାବଳୀ ନଦୀର ଝୁଲା ପୋଲ ନିକଟରେ ଭୋର ୪ ଘଟିକା ସମୟରେ ସ୍ଥାନୀୟ ୟୁଜିଏମଆଇଟି ଇଂଜିନିୟରିଂ କଲେଜର ଦ୍ଵିତୀୟ ବର୍ଷ ମେକାନିକାଲ ଡିପ୍ଲୋମାର ୪ ଜଣ ଛାତ୍ର ସାଙ୍ଗ ହୋଇ ବୋଇତ ବନ୍ଦାଇବା ପାଇଁ ଯାଇଥିଲେ । ସେହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ ଛାତ୍ର ସୁମନ ବେହେରା (୧୭ ବର୍ଷ)ଙ୍କ ଅସବଧାନତାବଶତଃ ପଥର ଉପରେ ଶିଉଳୀ ହୋଇଥିବା ଯୋଗୁଁ ଗୋଡ ଖସି ଯାଇ ନଦୀର ଭଉଁରୀରେ ପଡିଯାଇଥିବା ପ୍ରତ୍ୟକ୍ଷଦର୍ଶୀ ଛାତ୍ରମାନେ କହିଥିଲେ । ଏହି ସମୟରେ ସ୍ଥାନୀୟ ଗ୍ରାମବାସୀ ଏବଂ ସାଙ୍ଗରେ ଯାଇଥିବା ଛାତ୍ର ମାନେ ବୁଡିଯାଉଥିବା ଛାତ୍ର ସୁମନଙ୍କୁ ବଂଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ନଦୀର ଗଭିର ଭିତରୁ ଉଧାର କରିପାରି ନଥିଲେ । ଏହାପରେ ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ଉଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବହୁ ଖୋଜା ଖୋଜି କରିବା ପରେ ଘଟଣା ସ୍ଥଳରୁ ପ୍ରାୟ ୬୦୦ ମିଟର ଦୂର ମାରିଗୁଡା ଗ୍ରାମର ଘାଟରେ ଛାତ୍ର ସୁମନଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ ସେଠାରେ ଡାକ୍ତର ଛାତ୍ର ସୁମନଙ୍କୁ ମୃତ ଘୋଷଣା କରିଥିଲେ । ମୃତ ସୁମନଙ୍କ ଘର ରାୟଗଡ ଜିଲ୍ଲାର ମୁନିଗୁଡା ଅଂଚଳର ବୋଲି ଜଣାପଡିଛି ।
ସେହିଭଳି ଅନ୍ୟ ଏକ ଘଟଣାରେ ରାମଣାଗୁଡା ବ୍ଲକ ଅନ୍ତର୍ଗତ ଗୁମୁଡାଠାରେ ବଂଶଧାରା ନଦୀକୁ ସ୍ଥାନୀୟ ଗୋପାଳପୁର ସାହିର ଏକ ପରିବାର ବୋଇତ ବନ୍ଦାଣ ଉତ୍ସବ ପାଳନ କରିବାକୁ ଯାଇଥିବା ସମୟରେ ଗୋଡ ଖସି ଯିବାରୁ ସନ୍ତୋଷ ଜେନା ନାମକ (୧୯ ବର୍ଷ)ର ଯୁବକ ନଦୀର ଗଭୀର ଜଳ ମଧ୍ୟକୁ ଚାଲିଯାଇ ବୁଡି ଯାଇଥିଲେ । ଏହି ସମୟରେ ଉପସ୍ଥିତ ପରିବାର ଉଦ୍ଧାର କରିବାକୁ ଚେଷ୍ଟାକରି ଉଦ୍ଧାର କରିପାରି ନଥିଲେ । ଏହାପରେ ଗୁମୁଡା ସ୍ଥିତ ଦମକଳ ବାହିନୀ ଖବର ପାଇ ଘଟଣା ସ୍ଥଳକୁ ଯାଇ ଖୋଜାଖୋଜି କରି ନଦୀ ଗର୍ଭରୁୁ ସନ୍ତୋଷଙ୍କୁ ଉଦ୍ଧାରକରି ପଦ୍ମପୁର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାରେ ଡାକ୍ତର ସନ୍ତୋଷଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ମୃତ ସନ୍ତୋଷଙ୍କୁ ବ୍ୟବଛେଦ ନିମନ୍ତେ ଗୁଣୁପୁର ଡାକ୍ତରଖାନାକୁ ପଠାଇଥିବା ଜଣାଯାଏ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *