Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାଜ୍ୟରେ ନୂଆ ମଦ ଦୋକାନ ଖୋଲିବେ ସରକାର: ବିବାହ ଓ ସାମାଜିକ ଉତ୍ସବ ପାଇଁ ମିଳିବ ଅସ୍ଥାୟୀ ମଦ ଲାଇସେନ୍ସ

1 min read

ଭୁବନେଶ୍ୱର ୧୩/୧୧: ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା ତାଲିକା ବଢ଼ି ବଢ଼ି ଚାଲିଛି । ରାଜ୍ୟ ରାଜକୋଷ ଉପରେ ଚାପ ପୂର୍ବାପେକ୍ଷା ଢେର ବଢ଼ିଛି । କେଉଁ ସୂତ୍ରରୁ ସରକାର ରାଜସ୍ୱ ଆୟ କରିବେ ତା’ର ବାଟ ଖୋଜୁଛନ୍ତି । ସରକାରଙ୍କ ଆଖି ଘୂରି ଘୂରି ଏବେ ଅବକାରୀ ଉପରେ ସ୍ଥିର ହୋଇଛି । ରାଜ୍ୟରେ ମଦ ଦୋକାନ ସଂଖ୍ୟା ବଢ଼ାଇବାକୁ ସରକାର ଏବେ ବିଚାର କରୁଛନ୍ତି । ଏ ନେଇ ଜିଲ୍ଲା ଅବକାରୀ ଅଧୀକ୍ଷକମାନେ ସାରା ଜିଲ୍ଲାରେ କେଉଁଠି ମଦ ଦୋକାନ ଖୋଲିବାକୁ ସୁଯୋଗ ଅଛି ସେ ସ୍ଥାନ ଖୋଜି ବାହାର କରିବାକୁ କୁହାଯାଇଛି । ଏ ଦିଗରେ ଅବକାରୀ ଥାନାଧିକାରୀମାନେ ଉପଯୁକ୍ତ ସ୍ଥାନ ଚୟନ କରି ତୁରନ୍ତ ଅବକାରୀ ବିଭାଗକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଜାରି ହୋଇଛି ।

ରାଜ୍ୟ ସରକାରଙ୍କ ଅବକାରୀ ରାଜସ୍ୱ ବଢ଼ି ବଢ଼ି ଚାଲିଛି । ଏ ସୂତ୍ରରୁ ଅଧିକ ରାଜସ୍ୱ ମିଳିବାର ସମ୍ଭାବନା ଥିବାରୁ ସରକାର ପୁଣି ମଦ ଦୋକାନ ଖୋଲିବାକୁ ଅଣ୍ଟା ଭିଡ଼ିଛନ୍ତି । ଏହିକ୍ରମରେ ଅବକାରୀ କମିଶନରଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କୁ ଚିଠି ଲେଖାଯାଇଛି । ସରକାର ଏବେ ଜିଲ୍ଲାରେ ଆହୁରି ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷରେ ନୂଆ ମଦ ଦୋକାନ ଖୋଲିବାକୁ ଜିଲ୍ଲାର କେଉଁଠି ସମ୍ଭାବନା ଅଛି ତାହାର ରିପୋର୍ଟ ଦେବାକୁ କୁହାଯାଇଛି । କେଉଁ ମୌଜାରେ ମଦ ଦୋକାନ ପାଇଁ ଉପଯୁକ୍ତ ସ୍ଥାନ ଅଛି, ଏହା ଜାତୀୟ ରାଜପଥ କିମ୍ବା ରାଜ୍ୟ ରାଜପଥରୁ କେତେ ଦୂରରେ ଅବସ୍ଥିତ? ନିକଟରେ କେତେ ଦୂରରେ ମଦ ଦୋକାନ ଅଛି ଏବଂ ବାର୍ଷିକ କେତେ ରାଜସ୍ୱ ଏ ସମ୍ଭାବ୍ୟ ମଦ ଦୋକାନରୁ ମିଳିପାରିବ ସେ ସଂପର୍କରେ ସ୍ପଷ୍ଟ ଉଲ୍ଲେଖ ରଖିବାକୁ କୁହାଯାଇଛି । ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ଏ ସମସ୍ତ ବିବରଣୀ ଦେବାକୁ କୁହାଯାଇଛି । ଯେତେଶୀଘ୍ର ସମ୍ଭବ ଏ ସଂପର୍କିତ ତଥ୍ୟ ଦାଖଲ କରିବାକୁ କୁହାଯାଇଛି । ମାତ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ସଂପର୍କରେ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଅନ୍ଧାରରେ ଅଛନ୍ତି । ସେ

ଆଜି ଗଣମାଧ୍ୟମକୁ କହିଛନ୍ତି, ଆମର ନୂଆ ମଦ ଦୋକାନ ଖୋଲିବାକୁ ସେମିତି କିଛି ପ୍ରସ୍ତାବ ନାହିଁ । ପ୍ରଶାସନିକ ବ୍ୟବସ୍ଥାରେ ଯଦି କ’ଣ ହୋଇଥିବ ମୁଁ ଜାଣିନି । ୨୦୧୯-୨୦ ନୂଆ ମଦ ନୀତି ଆସିବା ପରେ ସରକାର ଏ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ବିଜେପି କିନ୍ତୁ ସରକାରଙ୍କ ଏ ନିଷ୍ପତ୍ତିକୁ ବିଧାନସଭାରେ ବିରୋଧ କରିବ ବୋଲି କହିଛି । ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ସରକାର ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’ ଶବ୍ଦ ସ୍ଥାନିତ କରିବାକୁ ଦାବି କରୁଛନ୍ତି । ମାତ୍ର ଏପଟେ ଗାନ୍ଧିଙ୍କ ନିଶା ନିବାରଣକୁ ଉଲ୍ଲଂଘନ କରି ନୂଆ ମଦ ଦୋକାନ ପାଇଁ ଅଣ୍ଟା ଭିଡ଼ିବା ଦୁର୍ଭାଗ୍ୟଜନକ ବୋଲି ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଏବେ ୨୮୪୭ ମଦ ଦୋକାନ ଅଛି । ଏଥିରୁ ୧୧୫୯ଟି ଅଫ ସପ୍‌ ଥିବା ବେଳେ ୫୩୨ଟି ଅନ ଅପ ରହିଛି । ୯୫ଟି ବିୟର ପାର୍ଲର ଓ ୧୮ଟି କ୍ଲବକୁ ମଧ୍ୟ ସରକାର ଅନୁମତି ଦେଇଛନ୍ତି । ଏ ସଂଖ୍ୟାରେ ଆହୁରି ବୃଦ୍ଧି କରି ସରକାର ରାଜସ୍ୱ ଆୟରେ ଆଖିଦୃଶିଆ ବୃଦ୍ଧି କରିବାକୁ ବିଚାର କରୁଛନ୍ତି । ୨୦୦୯-୧୦ରେ ରାଜ୍ୟ ସରକାର ଅବକାରୀରୁ ମାତ୍ର ୮୪୯ କୋଟି ରାଜସ୍ୱ ପାଉଥିଲା ବେଳେ ୨୦୧୮-୧୯ରେ ଏହା ୩୯୨୫ କୋଟି ଛୁଇଁଥିଲା । ୨୦୧୯-୨୦ ଆର୍ଥିକ ବର୍ଷରେ ୪୬୦୦ କୋଟିର ରାଜସ୍ୱ ପାଇଁ ସରକାର ଟାର୍ଗେଟ୍‌ ରଖିଛନ୍ତି ।

ସେହିଭଳି ଅବକାରୀ ବିଭାଗ ଏବେ ବିବାହ, ମେଳା, ମହୋତ୍ସବ ଓ ଅନ୍ୟ ସାମାଜିକ ଉତ୍ସବ ପାଇଁ ଏଣିକି ଅସ୍ଥାୟୀ ମଦ କାଉଣ୍ଟର ଲାଇସେନସ୍‌ ଦେବ। ଯେଉଁମାନେ ଏଥିପାଇଁ ଆବେଦନ କରିବେ ସେମାନଙ୍କୁ ଅସ୍ଥାୟୀ ଭାବେ କାଉଣ୍ଟର ଖୋଲିବାକୁ ମିଳିବ ଅନୁମତି। ଏ ଦିଗରେ ଜିଲ୍ଲାପାଳମାନେ ପଦକ୍ଷେପ ନେବାକୁ ଅବକାରୀ ବିଭାଗ ନିର୍ଦ୍ଦେଶ ଦେଇଛି। ଏହାଦ୍ୱାରା ସରକାର ଅଧିକ ରାଜସ୍ୱ ଆୟ କରିପାରିବେ । ବହୁ ସଂସ୍ଥା ଓ ବ୍ୟକ୍ତିବିଶେଷ ଏଭଳି ସାମାଜିକ ଉତ୍ସବ ପାଇଁ ଅସ୍ଥାୟୀ ଲାଇସେନସ ମାଗୁଥିଲେ ମଧ୍ୟ ଜିଲ୍ଲାପାଳମାନେ ଏହାକୁ ବିଚାର କରୁନାହାନ୍ତି। ଏହାଦ୍ୱାରା ସରକାର ରାଜସ୍ୱ ହରାଉଛନ୍ତି । ମାତ୍ର ଏଣିକି ଏ ଅଭ୍ୟାସ ବଦଳାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଜାରି ହୋଇଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *