Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ,ଖିଲାପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ

1 min read

ଭୁବନେଶ୍ବର: ଓଡ଼ିଶାର ସମସ୍ତ ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ । ଏନେଇ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଭିସି ଜରିଆରେ ବସିଥିବା ଏହି ବୈଠକରେ ସମସ୍ତ ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ କରିବା ନିମନ୍ତେ ଆଲୋଚନା ହୋଇଛି । ସେହିପରି ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ଆବଶ୍ୟକତା ତଥା ଗୁରୁତ୍ୱ ସଂପର୍କରେ ଅତିରିକ୍ତ ଶାସନ ସଚିବ ଆଲୋକପାତ କରିଛନ୍ତି । ଏ ସଂକ୍ରାନ୍ତୀୟ ଆଇନର କଡ଼ାକଡ଼ି ଅନୁପାଳନ ନିମନ୍ତେ ଶ୍ରମ ଆୟୁକ୍ତ, ଜିଲ୍ଲା ଶ୍ରମ ଅଧିକାରୀ, ପୌର ନିର୍ବାହୀ ଅଧିକାରୀମାନଙ୍କୁ ସେ ପୁନର୍ବାର ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ୫୩ ହଜାର ୫୩୪ ପଞ୍ଜିକୃତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ମଧ୍ୟରୁ ୪୮ ହଜାର ୫୪୭ଟି ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖାଯାଇଥିବା ଏବଂ ୨୭ଟି ଖିଲାପକାରୀ ପ୍ରତିଷ୍ଠାନ ବିରୁଦ୍ଧରେ ଜରିମାନା ଆଦାୟ ସହ ମୋକଦ୍ଦମା କରାଯାଇଥିବା ନେଇ ଶ୍ରମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଶ୍ରମ ବିଭାଗ ପକ୍ଷରୁ ସୂଚନା ଅନୁସାରେ, ଏ ପର୍ଯ୍ୟନ୍ତ ୧୭ଟି ଜିଲ୍ଲାରେ ବିଭିନ୍ନ ବାଣିଜିକ ସଂଘ ସହିତ ବୈଠକ କରାଯାଇଛି । ବାକି ଜିଲ୍ଲାଗୁଡ଼ିକରେ ଓଡ଼ିଆରେ ନାମଫଳକ ଲେଖିବା ସଂକ୍ରାନ୍ତୀୟ ବୈଠକ ଶେଷ କରିବାକୁ ଏସିଏସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ ମହାନଗର ନିଗମ ଅଧିକାରୀମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରାଯାଇ ଓଡ଼ିଆରେ ନାମଲେଖା ନେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ପ୍ରତି ୧୫ ଦିନରେ ଶ୍ରମ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବଙ୍କୁ ନେଇ ଏହାର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯିବ । ୨୦୧୮ ମସିହାରେ ରାଜ୍ୟ ସରକାରଙ୍କ ଗେଜେଟ ବିଜ୍ଞପ୍ତି ଅନୁସାରେ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ବାଧ୍ୟତାମୂଳକ କରାଯାଇଛି । ରାଜ୍ୟର ଶ୍ରମ ଓ ରାଜ୍ୟ କର୍ମଚାରୀ ବିଭାଗ ଦ୍ୱାରା ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ ୧୯୫୬ରେ ଆବଶ୍ୟକୀୟ ସଂଶୋଧନ ମଧ୍ୟ କରାଯାଇଛି । ଏହି ନିୟମ ଅନୁଯାୟୀ ଖିଲାପକାରୀଙ୍କୁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ପକ୍ଷରୁ ୭ ଦିନିଆ ନୋଟିସ ଦିଆଯିବା ପରେ ଖିଲାପକାରୀଙ୍କୁ ପ୍ରଥମଥର ୫ ହଜାର ଟଙ୍କା ଓ ଦ୍ୱିତୀୟ ଥର ନିମନ୍ତେ ୨୫ ହଜାର ଟଙ୍କା ଜରିମାନା କରାଯିବାର ବ୍ୟବସ୍ଥା ରହିଛି । ତେବେ ବୈଠକରେ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ଶାସନ ସଚିବ ଆର. ସନ୍ଥଗୋପାଳନ, ଶ୍ରମ ଆୟୁକ୍ତ ଡ. ତିରୁମାଲା ନାୟକ, ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତା କୁଲାଙ୍ଗେ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲିପ ରାଉତରାଏ ସମେତ ବିଭିନ୍ନ ଜିଲ୍ଲା ଶ୍ରମ ଅଧିକାରୀ ପ୍ରମୁଖ ଭିସି ଜରିଆରେ ଯୋଗ ଦେଇଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *