Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସ୍ୱାଭିମାନ ଅଞ୍ଚଳରେ ଖୋଲିଲା ଯୁକ୍ତ ଦୁଇ ବିଜ୍ଞାନ କଲେଜ

1 min read

ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଖୋଲିଛି ଦୁଇଟି ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟ । ଆଦିବାସୀ ଅଧୁଷିତ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଅଠର ଗୋଟି ଗ୍ରାମ ପଞ୍ଚାୟତ ତଥା ସ୍ୱାଭିମାନ ଅଞ୍ଚଳର ମାଟ୍ରିକ ପାସ କରୁଥିବା ଛାତ୍ରଛାତ୍ରୀମାନେ ୧୦୦ରୁ ଉର୍ଧ୍ଵ କିଲୋମିଟର ଘାଟି ରାସ୍ତା ଦେଇ କୁଡୁମୁଲୁଗୁମା ଏବଂ ୮୦ କିଲୋମିଟର ଘାଟି ରାସ୍ତା ଦେଇ ବାଲିମେଳା କଲେଜକୁ ବହୁକଷ୍ଟରେ ଯାଇ ପାଠ ପଢୁଥିଲେ । ଦୂର ବାଟ ଏବଂ ଅର୍ଥ ଅଭାବରୁ ଅନେକ ଛାତ୍ର ଛାତ୍ରୀଙ୍କର ମାଟ୍ରିକ ପାଠ ପଢ଼ି ପାସ କଲା ପରେ କଲେଜରେ ପଢି ପାରନ୍ତି ନାହିଁ। ଚିତ୍ରକୋଣ୍ଡା ଅଞ୍ଚଳବାସୀଙ୍କ ବହୁ ପିଲା ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଥିବାରୁ ଏହି ସମସ୍ୟାକୁ ଅନୁଧ୍ୟାନ କରି ସରକାର ତଥା ଜିଲ୍ଲା ପ୍ରଶାସନ ଚିତ୍ରକୋଣ୍ଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ମହାବିଦ୍ୟାଳୟ ମାନ୍ୟତା ସହ +୨ ବିଜ୍ଞାନ ମହାବିଦ୍ୟାଳୟ ସାମିଲ କରିଥିଲେ । ଉକ୍ତ ମହାବିଦ୍ୟାଳୟ ନିମନ୍ତେ ଅଧ୍ୟାପକ ତଥା ଅଧ୍ୟାପିକା ନିଯୁକ୍ତି ସହ ଛାତ୍ର ଛାତ୍ରୀଙ୍କ ଆଡ଼ମିସନ ଆରମ୍ଭ ହୋଇଛି। ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ପରିଷଦ ଅଧକ୍ଷା ସମାରି ତାଙ୍ଗୁଲୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଚିତ୍ରକୋଣ୍ଡା ବ୍ଳକ ଅଧକ୍ଷା ରାଜେଶ୍ୱରୀ ଖିଲ, ଚିତ୍ରକୋଣ୍ଡା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ପୂର୍ବତନ ଛାତ୍ର ସଭାପତି ତଥା ସମାଜସେବୀ ଦେବେନ୍ଦ୍ର ଦାସ, ଚିତ୍ରକୋଣ୍ଡା ସରପଞ୍ଚ ହରିମୋହନ ଖିଲ, ଚିତ୍ରକୋଣ୍ଡା ବ୍ଳକ ସରପଞ୍ଚ ସଂଘ ସଭାପତି କମଳୁ ହନ୍ତାଳ, ବ୍ଳକ ଅଧିକାରୀ ସୁବଳ କୁମାର ମଣ୍ଡଳ ଏବଂ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବରେ ମହାବିଦ୍ୟାଳୟକୁ ଶୁଭ ଉଦଘାଟନ ସହ ଶୁଭାରମ୍ଭ କରାଯାଇଥିଲା । ଏଥି ସହିତ ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କୁ ଡ୍ରେସ ୟୁନିଫର୍ମ ନିମନ୍ତେ ଅତିଥି ମାନଙ୍କ ଦ୍ଵାରା ଡ୍ରେସ କପଡ଼ା ପ୍ରଦାନ କରାଯାଇଥିଲା । ଠିକ ସେହିଭଳି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବ ପଞ୍ଚାୟତ ଦାରାଲାବେଢା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟ +୨ ଦୁଇ ବିଜ୍ଞାନ ମହାବିଦ୍ୟାଳୟର ମାନ୍ୟତା ଦିଆଯାଇଛି। ସ୍ୱାଭିମାନ ଅଞ୍ଚଳର ଛାତ୍ରଛାତ୍ରୀମାନେ ଯୁକ୍ତ ଦୁଇ ବିଜ୍ଞାନରେ ନାମଲେଖା ଆରମ୍ଭ କରିଛନ୍ତି ।

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *