Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସାମ୍ବାଦିକ କଲ୍ୟାଣ ଯୋଜନା ଓ୍ବେବପୋର୍ଟାଲ ଲୋକାର୍ପଣ

1 min read

ଭୁବନେଶ୍ବର: ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ବୀମା ଆବେଦନ ପାଇଁ କଲ୍ୟାଣ ଯୋଜନା ୱେବ ପୋର୍ଟାଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିସି ଜରିଆରେ ଏହି ୱେବପୋର୍ଟାଲ ଲୋକାର୍ପିତ ହୋଇଛି । ୫T ନୀତି ଉପରେ ଗୁରୁତ୍ୱ ଦେଇ ୱେବପୋର୍ଟାଲ ଆରମ୍ଭ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି । ଏହା ଦ୍ୱାରା ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ଓଡ଼ିଆ ସାମ୍ବାଦିକମାନେ ସୁବିଧାରେ ଅନଲାଇନରେ ସାମ୍ବାଦିକ କଲ୍ୟାଣ ଯୋଜନାର ସୁଯୋଗ ନେଇପାରିବେ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା କରିଛନ୍ତି । ଏଥିରେ ଚିକିତ୍ସା ପାଇଁ ସାମ୍ବାଦିକ ଓ ତାଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ମୃତ୍ୟୁଜନିତ ସହାୟତା ବାବଦରେ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି । ସାମ୍ବାଦିକତା କେବଳ ଏକ ବୃତ୍ତି ନୁହେଁ । ଏହା ଏକ ମିଶନ । ତେଣୁ ଏକ ସଚେତନ ସମାଜ ଗଠନ ପାଇଁ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ଆବଶ୍ୟକୀୟ ସମସ୍ତ ସହଯୋଗ ରାଜ୍ୟ ସରକାର ଯୋଗାଇ ଦେବେ ।” ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନେ ଅନେକ ଦାୟିତ୍ୱ ଓ ଚ୍ୟାଲେଞ୍ଜର ସାମ୍ନା କରୁଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ଏବଂ କୋଭିଡ ମହାମାରୀ ଭଳି ଅସ୍ୱାଭାବିକ ପରିସ୍ଥିିତିରେ ମଧ୍ୟ ଗଣମାଧ୍ୟମର ପ୍ରତିନିଧିମାନେ ସାହସର ସହ ଦାୟିତ୍ୱ ନିର୍ବାହ କରି ଆସିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପ ନେଇ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନା ପ୍ରଣୟନ କରିଛନ୍ତି । ଗଣମାଧ୍ୟମ ସହ ସଂପୃକ୍ତ ବ୍ୟକ୍ତିଙ୍କୁ ସମସ୍ତ ସୁବିଧାସୁଯୋଗ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ସଚେତନ ଓ ତତ୍ପର ବୋଲି ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି ।

ଏହି ପୋର୍ଟାଲ ଦ୍ୱାରା ସାମ୍ବାଦିକଙ୍କୁ ତ୍ୱରିତ ସେବା ପ୍ରଦାନ କରାଯାଇପାରିବ । ଏପରିକି ଉପାନ୍ତ ଅଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକ ବନ୍ଧୁମାନେ ଘରେ ବସି ପୋର୍ଟାଲ ମାଧ୍ୟମରେ ସେମାନଙ୍କ ନାମ ପଞ୍ଜୀକରଣ କରିବା ସହ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ସୁଯୋଗର ଲାଭ ପାଇପାରିବେ । ହକର୍‌ମାନେ ମଧ୍ୟ ଏହି ୱେବପୋର୍ଟାଲ ମାଧ୍ୟମରେ ସେମାନଙ୍କ ନାମ ପଞ୍ଜୀକରଣ କରିପାରିବେ । ପୋର୍ଟାଲ ରାଜ୍ୟର ସମସ୍ତ ସାମ୍ବାଦିକ ଓ ହକର୍‌ମାନଙ୍କ ନିମନ୍ତେ ଏକ ଡାଟାବେସ ଉପଲବ୍ଧ କରାଇବ । ରାଜ୍ୟ ସରକାରଙ୍କ ୫T ନୀତି ଆଧାରରେ ଏହି ୱେବପୋର୍ଟାଲର ପରିକଳ୍ପନା କରାଯାଇଛି । ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ସହ ସାମ୍ବାଦିକମାନଙ୍କୁ ସୁବିଧାରେ ସେମାନଙ୍କ ନାମ ପଞ୍ଜୀକରଣ ପାଇଁ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଉପରେ ସରକାର ଗୁରୁତ୍ୱ ଦେଇ ଏହି ପୋର୍ଟାଲ ଉପଲବ୍ଧ କରାଇଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଗୁରବୀର ସିଂଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟର ସମସ୍ତ ଜିଲ୍ଲାର ସୂଚନା ଓ ଲୋକସଂପର୍କ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧିମାନେ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *