Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରେଳ ମାନଚିତ୍ରରେ ଅବିଭକ୍ତ କୋରାପୁଟ,ଆଲୋଚନାଚକ୍ର ଅନୁଷ୍ଠିତ

1 min read

କୋରାପୁଟଜିଲ୍ଲା/ଜୟପୁର : ଆଜି ସ୍ଥାନୀୟ ବାବା ସାହେବ କଲ୍ୟାଣ ମଣ୍ଡପ ପରିସରରେ ଜୟପୁର ପ୍ରେସକ୍ଲବ ପକ୍ଷରୁ “ରେଳ ମାନଚିତ୍ରରେ ଅବିଭକ୍ତ କୋରାପୁଟ”ପ୍ରସଙ୍ଗକୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଜୟପୁର ନବରଙ୍ଗପୁର ରେଳପଥର ୩୮କି.ମି ସର୍ଭେ ସରିଛି। ଜମି ଅଧିଗ୍ରହଣ କାର୍ଯ୍ୟ ବାକି ରହିଛି। ସେହିଭଳି ଜୟପୁର ମାଲକାନଗିରି ୧୩୦କି.ମି ସର୍ଭେ କରି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଜମି ଅଧିଗ୍ରହଣ କରିବା କଥା। ତାହା ଏ ଯାଏ ସମ୍ଭବ ହୋଇନାହିଁ। ଅନ୍ୟ ପକ୍ଷରେ ରେଳ ବିଭାଗ ଜୟପୁର ଷ୍ଟେସନକୁ ଆଦର୍ଶ ରେଳଷ୍ଟେସନର ମାନ୍ୟତା ଦେଇ ପ୍ଲାଟଫର୍ମ ସହ ଆନୁସଙ୍ଗିକ ବ୍ୟବସ୍ଥାର ବିକାଶ କରିବା ଯୋଜନା ରଖିଥିବା ସାଂସଦ କହିଛନ୍ତି। ରେଳ ବିଭାଗର ଘୋଷଣା,ଆଶ୍ବାସନା ଶୁଣିବାକୁ ଆଉ ଧୈର୍ଯ୍ୟ ନାହିଁ।ସଂସଦରେ ଏହି ଦାବୀ ଉଠାଇବେ ବୋଲି ସାଂସଦ ସପ୍ତଗିରୀ ଉଲ୍ଲାକା ଜନସାଧାରଣଙ୍କୁ ପ୍ରତିଶ୍ରୂତି ଦେଇଛନ୍ତି। ସେହିଭଳି ଅବିଭକ୍ତ କୋରାପୁଟଜିଲ୍ଲାର ବିଧାୟକମାନେ ବିଧାନସଭାରେ ଏ ନେଇ ମତ ରଖନ୍ତୁ, ରାଜ୍ୟ ସରକାର ମଧ୍ୟ ଏ ନେଇ କେନ୍ଦ୍ର ନିକଟରେ ଦାବୀ ଉପସ୍ଥାପନ କରନ୍ତୁ। କେନ୍ଦ୍ର ଉପରେ ଉପଯୁକ୍ତ ଚାପ ହେଲେ ଯାଇ ଅବିଭକ୍ତ କୋରାପୁଟଜିଲ୍ଲାର ସ୍ବର ରେଳ ମନ୍ତ୍ରଣାଳୟ ଓ କେନ୍ଦ୍ରସରକାର ଶୁଣିପାରିବେ ବୋଲି ସାଂସଦ କହିଛନ୍ତି। ସେଭଳି ବିଧାୟକ ତାରାପ୍ରସାଦ ବାହିନୀପତି ନିଜେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଥିବା କହିଥିଲେ। ଏ ପରିକି ରାଜ୍ୟରେ ରେଳ ଚଳାଚଳ ନେଇ ହୋଇଥିବା ବୈଠକରେ ରାଜ୍ୟ ବିଜେପି ଭାଗ ନ ନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଅବିଭକ୍ତ କୋରାପୁଟଜିଲ୍ଲାର ବିକାଶ ପାଇଁ ସବୁଦଳ ଏକଜୁଟ ହେବାକୁ ପଡିବ, ଆଗେମାଟି ତାପରେ ପାର୍ଟି ବୋଲି ବିଧାୟକ କହିଥିଲେ। କେସିସି ବ୍ୟାଙ୍କର ସଭାନେତ୍ରୀ ଡ଼ ଇନ୍ଦିରା ନନ୍ଦ ଯୋଗଦେଇ ଦୁଇଟି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇଥିଲେ।ଆଲୋଚନାଚକ୍ର ଆରମ୍ଭରେ ବିଜେପିର କିଛି କର୍ମକର୍ତ୍ତା ବିଜେପି ନେତାଙ୍କୁ ବୈଠକକୁ କାହିଁକି ଡକାଗଲା ନାହିଁ ବୋଲି ପ୍ରତିବାଦ କରିଥିଲେ।

ଏ ଭଳି ପରିସ୍ଥିତିରେ ଉଭୟ ବିଧାୟକ ଓ ସାଂସଦ ମଞ୍ଚ ଛାଡି ଚାଲିଯିବାକୁ ବାହାରିଥିଲେ। ପରେ ଆୟୋଜକଙ୍କ ଅନୁରୋଧକ୍ରମେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ବ୍ରହ୍ମପୁରରେ ରହୁଥିବା ଜୟପୁର ପ୍ରେସକ୍ଲବର ସଭାପତି ସମ୍ବାଦ ଇଷ୍ଟର୍ଣ୍ଣ ମିଡିଆର ଜିଏମ୍ ବିନୋଦ ପଣ୍ଡା ଏହି ଆଲୋଚନାଚକ୍ରରେ ମଞ୍ଚାସୀନ ଥିଲେ। ପୂର୍ବତନ ନଗରପାଳ ସୂର୍ଯ୍ୟନାରାୟଣ ରଥ, ବରିଷ୍ଠ ନାଗରିକ ମାଧବ ଚୌଧୁରୀ, ଓଟିଭି ପ୍ରତିନିଧି ଟି.ଗୌରିଶଙ୍କର, ବରିଷ୍ଠ ଆଇନଜୀବୀ ମଦନ ନାୟକ ପ୍ରମୁଖ ରେଳ ପ୍ରକଳ୍ପକୁ ନେଇ ମତ ଉପସ୍ଥାପନ କରିଥିଲେ। ସାମ୍ବାଦିକ ରାଜେନ୍ଦ୍ର ଗୌଡ ସଭାକାର୍ଯ୍ୟ ସଂଯୋଜନା କରିଥିବାବେଳେ ସାମ୍ବାଦିକା ମଧୁସ୍ମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *