Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବ୍ରାଉନସୁଗାରର ଚକ୍ରବ୍ୟୁହରେ ରାଉରକେଲା!

1 min read

ରାଉରକେଲା, :(ସଖପ୍ର) ରାଉରକେଲା ସମେତ ଦକ୍ଷିଣ ରାଉରକେଲା ଏବେ ନିଶାର ଚାଦରରେ ସତେ ଯେପରି ଢାଙ୍କି ହୋଇ ପଡ଼ିଛି! ଛକ ହେଉକି ବଜାର, ବାଟଘାଟ ସବୁଠି ନିଶାର ଚାଲିଛି ଏକଛତ୍ରବାଦ ଶାସନ। ପୁଲିସ ପକ୍ଷରୁ ନିଶାବେପାରୀଙ୍କୁ ଠାବ କରି ଗିରଫ କରିବା ପାଇଁ ପ୍ରୟାସ ଜାରି ଥିବା ବେଳେ, ଅପରପକ୍ଷରେ ଅଂଚଳର ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ନିଶା ନିବାରଣ ରୋକିବାର ମହତ ପ୍ରୟାସ ଅହରହ ପ୍ରଚେଷ୍ଟା ଚାଲିଛି ତଥାପି, ନିଶାର ତୃତୀୟ ନେତ୍ରରୁ ନା’ ମୁକୁଳି ପାରିଛି ସାରନଗରୀ ଅଂଚଳ, ନା ଯୁବପିଢୀ। ସାରନଗରୀରେ ବିଭିନ୍ନ ପ୍ରକାର ନିଶା ଠାରୁ ଏବେ ବଳି ଯାଇଛି ବ୍ରାଉନ ସୁଗାର(ଧଳା ଜହର)। ଏହି ଧଳା ଜହରକୁ ନିଜ ବ୍ୟବସାୟର ମାଧ୍ୟମ ରୂପେ ନେଇ କିଛି ଧଳାବାବା( ଛଦ୍ମନାମ) ନିଜ କଳା କାରନାମା ଜାରି ରଖିଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି। ରାଉରକେଲା ତଥା ପଡୋଶୀ ରାଜ୍ୟ ଝାଡଖଣ୍ଡ, ଛତିଶଗଡ଼ ଅଂଚଳରୁ ଅତି ସତର୍କର ସହିତ ସାରନଗରୀକୁ ଆସୁଛି ବ୍ରାଉନ ସୁଗାର। ଏହାର ଦାମ ଅନ୍ୟ ନିଶା ତୁଳନାରେ ଢେରଗୁଣ ଅଧିକ ରହିଥିଲେ ସୁଦ୍ଧା ଏହାକୁ କିଛି ଉଦଭ୍ରାନ୍ତ ଯୁବକ ନିଶା ଭାବେ ଗ୍ରହଣ କରୁଛନ୍ତି! ଯାହାକି ସେମାନଙ୍କ ସ୍ୱାସ୍ଥ୍ୟ ଓ ସମାଜ ପାଇଁ ଏକ ବିପଦର ସତର୍କ ଘଂଟି ଦେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ସାରନଗରୀ ଅଂଚଳର କିଛି ନିର୍ଦ୍ଦିଷ୍ଟ ଛକରେ ସଂଜ ନଇଁଲେ ସିଗାରେଟ ମାଧ୍ୟମରେ ହେଉକି, ଅବା ହାତରେ ଶୁଘିଂକି ହେଉ ବ୍ରାଉନ ସୁଗାର ନିଶା ତା’ର ସାମ୍ରାଜ୍ୟ ବିସ୍ତାର କରିଛି। ବ୍ରାଉନ ସୁଗାର ମାଫିଆ(ଧଳାବାବା) ଅଂଚଳର କିଛି ଯୁବକ ମାନଙ୍କୁ ଅର୍ଥର ପ୍ରଲୋଭନ ଦେବା ପରେ ସେମାନଙ୍କୁ ହାତ ବାରିସି କରି ବ୍ରାଉନସୁଗାର କାରବାର କରାଯାଉଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି। ଏଭଳି ଯୁବକ ମାନେ ହାତରେ ମୋବାଇଲ ଧରି ବ୍ରାଉନ ସୁଗାର ବ୍ୟବସାୟରେ ଛକ ବଜାର ଘୁରି ବୁଲୁଛନ୍ତି! ମୋବାଇଲ ଦ୍ୱାରା ଗ୍ରାହକ ଅନ୍ୱେଷଣ ପରେ ସେମାନଙ୍କୁ ବ୍ରାଉନସୁଗାର ଡେଲିଭରି ହେଉଥିବା ଏକ ବିଶ୍ୱସ୍ତସୂତ୍ରରୁ ଖବର ମିଳିଛି। ଅବକାରୀ ବିଭାଗ ପକ୍ଷରୁ କିଛି ତଳେ ସାରନଗରୀ ଅଂଚଳରେ ଚଢାଉ କରାଯାଇ ପ୍ରାୟ ଦେଢଲକ୍ଷ ଟଙ୍କାର ଗଂଜେଇ ଜବତ କରାଯାଇଥିବା ଯୋଗୁ ଏଭଳି ବ୍ରାଉନ ସୁଗାର ବେପାର କରୁଥିବା ଅସାଧୁ ବେପାରୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। କେବଳ ଯେ, ସାରନଗରୀ ଅଂଚଳର ନୁହେଁ ଦକ୍ଷିଣ ରାଉରକେଲାର ଅନ୍ୟାନ ଅଂଚଳରେ ବ୍ରାଉନସୁଗାର କାରବାର ଜୋର ଧରିବା ନେଇ ବୁଦ୍ଧିଜିବୀ ତଥା ଅଂଚଳର କିଛି ସାମାଜିକ କର୍ମୀଙ୍କ ମଧ୍ୟରେ ତ୍ରୀବ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ, ଏଭଳି କାରବାର ଉପରେ ପୁଲିସ ଲଗାମ କଷିବାକୁ ସାଧାରଣରେ ଦାବି ଜୋର ଧରିଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *