Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପରଲୋକରେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ

1 min read

ଭଦ୍ରକ (ସଖପ୍ର): ବିଜେଡ଼ି ଦଳର ବରିଷ୍ଠ ନେତା ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଆଜି ୬୮ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । କୋରୋନାରେ ଆକ୍ରାନ୍ତ ପରେ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିଲେ ବିଜୟଶ୍ରୀ । ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ ୬ଥର ବିଧାୟକ ଭାବେ ଜିତିଥିଲେ ବିଜୟଶ୍ରୀ । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ, ଜଙ୍ଗଲ ଓ ପରିବେଶ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ବିଜୟଶ୍ରୀ ରାଉତରାୟ । ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ଦଳ ପାଇଁ ଅପୁରଣୀୟ କ୍ଷତି । ଭଦ୍ରକ ମାଟିର ଗର୍ବ ଓ ଗୌରବ , ଓଡ଼ିଶାର ପୂର୍ବତନ ମନ୍ତ୍ରୀ, ବାସୁଦେବପୁର ନିର୍ବାଚନ ମଣ୍ଡଳୀର ଲଗାତର ଭାବେ ନିର୍ବାଚିତ ହୋଇଥିବା ପୂର୍ବତନ ବିଧାୟକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ନୀଳମଣି ରାଉତରାୟଙ୍କର ଏକମାତ୍ର ପୁତ୍ର ଥିଲେ ବିଜୟଶ୍ରୀ ରାଉତରାୟ। ସେ ୧୯୮୦ ମସିହାରେ କଟକ ରେଭେନ୍ସା କଲେଜରୁ ଅଧ୍ୟାପକ ଚାକିରୀ ଛାଡି ରାଜନୀତିରେ ପ୍ରବେଶ କରିଥିଲେ । ଆଜି ତାଙ୍କ ଦେହାନ୍ତ ଖବର ଆସିବା ପରେ ଭଦ୍ରକ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି । ସେ ଅନେକ ଦିନ ହେବ ଅସୁସ୍ଥ ହୋଇ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଥିଲେ।ଶ୍ରୀ ରାଉତରାୟଙ୍କ ଆରୋଗ୍ୟ କାମନା କରି ବାଲିମେଦସ୍ଥିତ ମା ଭେଡା ନାୟକାଣୀ ମନ୍ଦିର ଓ ସ୍ଥାନୀୟ ଗୁଡସ୍ଥିତ ବଳଦେବ ଜିଉ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ତେବେ କୋଭିଡ଼ରୁ ସେ ଆରୋଗ୍ୟ ହୋଇଥିଲେ ମଧ୍ୟ ଏହାର ପରବର୍ତ୍ତୀ ଜଟିଳତା ଯୋଗୁଁ ଚିକିତ୍ସାଧୀନ ଥିଲେ। ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି । ତାଙ୍କ ମୃତ୍ୟୁ ଖବର ପାଇ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟ, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ, ଧମନଗର ବିଧାୟକ ବିଷ୍ଣୁ ଚରଣ ସେଠି, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅଜୟ ନାୟକ, ଜଗନ୍ନାଥ ସ୍ଵାଇଁ ,ଡାକ୍ତର ପ୍ରଦୀପ ନାୟକଙ୍କ ସମେତ ଅନେକ ବୁଦ୍ଧିଜୀବୀ ମର୍ମାହତ ସହ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି। ତାଙ୍କ ମୃତ୍ୟୁରେ ଭଦ୍ରକ ମିଡ଼ିଆ କ୍ଳବ ପକ୍ଷରୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।

ଭଦ୍ରକ ପ୍ରତିନିଧି ଆଶିଷ ରଞ୍ଜନ ପତି

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *