Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜୟପୁର ଠାରେ ସାଇବର କ୍ରାଇମ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

1 min read

ଜୟପୁର,୮/୧୦(ସଖପ୍ର): ସଚେତନ ହେବା,ସାଇବର୍‌ କ୍ରାଇମ୍ ରୋକିବା, ଲୋଭର ବଶୀଭୂତ ହେବାନି ଓଟିପି ସହ ନିଜର ବ୍ୟାଙ୍କ ତଥ୍ୟ ନଦେଲେ ଠକେଇରୁ ବର୍ତ୍ତି ପାରିବା। ସାଇବର୍‌ ସଚେତନତାର ଏପରି ବାର୍ତ୍ତା ନେଇ ଆଜି ଜୟପୁର ସହର ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପରିସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଜିଲ୍ଲା ପୋଲିସ ମିନି ମାରାଥନ ଦୌଡର ଆୟୋଜନ କରିଥିଲା। ମାରାଥନରେ ନେତା, ଜନତା, ଛାତ୍ରଛାତ୍ରୀ ଓ ଯୁବପିଢ଼ି ଭାଗ ନେବାସହ ସାଇବର କ୍ରାଇମରୁ ବଞ୍ଚିବାର ଉପାୟ ସଚେତନତା କାର୍ଯ୍ୟକ୍ରମରୁ ଜାଣିବାକୁ ପାଇଥିଲେ। ସହରର ହଜାର ହଜାର ଜନସାଧାରଣ ସ୍କୁଲ୍, କଲେଜ ଛାତ୍ରଛାତ୍ରୀଙ୍କ ସମେତ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ ନେଇ ସକାଳ ସାଢେ ୭ଟାରେ ଆରମ୍ଭ ହୋଇଥିଲା ମାରାଥନ ଦୌଡ। ବିକ୍ରମଦେବ ବିଶ୍ଵ ବିଦ୍ୟାଳୟରୁ ବାହାରିଥିବା ମାରାଥନକୁ କୋରାପୁଟ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନାକାର, ଜୟପୁର ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଉପାଧ୍ୟକ୍ଷା ବି. ସୁନୀତା, ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବଳଭଦ୍ର ଦୀପ, ଏସଡିପିଓ ହରିଶ ବିସି ଉଦଘାଟନ କରିଥିଲେ। ମାରାଥନ୍ ବରିଷ୍ଠ ବାଳକ ବିଭାଗରେ ଘାସିରାମ ବୋରା ପ୍ରଥମ, ନୀତୁ ମାଳି ଦ୍ବିତୀୟ, ଦିଲ୍ଲୀପ ଖରା ତୃତୀୟ, ବରିଷ୍ଠ ବାଳିକା ବିଭାଗରେ ଗୌରୀ କିଶାନ୍ ପ୍ରଥମ, ଭୂଲକ୍ଷ୍ମୀ ଦ୍ଵିତୀୟ, ସ୍ଵାତୀ ଜେନା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। କନିଷ୍ଠ ବାଳକ ବିଭାଗରେ ଶରତ ନାୟକ ପ୍ରଥମ, ହରିଶ୍ ବାହାଦୂର ଦ୍ବିତୀୟ, ଚିତୁ ମାଣ୍ଡାଙ୍ଗି ତୃତୀୟ, ବାଳିକା ବିଭାଗରେ ରୀତାରାଣୀ ନାୟକ ପ୍ରଥମ, ଯମୁନା ବାହାଦୂର ଦ୍ଵିତୀୟ ଏବଂ ତପସ୍ୟା ବାହାଦୂର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ମାରାଥନ୍ ପରେ ସାଇକ୍ଲୋଥନ୍ ଆରମ୍ଭ ହୋଇଥିଲା। ୩ ଶହରୁ ଉର୍ଦ୍ଧ୍ଵ ପ୍ରତିଯୋଗୀ ଅଂଶଗ୍ରହଣ କରି ବିକ୍ରମଦେବ ବିଶ୍ଵବିଦ୍ୟାଳୟରୁ ବାହାରି ଟ୍ରାଫିକ୍ ଛକ, ରଜା ନଅର, ତାରିଣୀ ଛକ, ପଞ୍ଚାନନ ମନ୍ଦିର, ଖ୍ରୀଷ୍ଟିୟାନ୍ ପେଟା ଛକ ଦେଇ ପୁଣି କଲେଜ ପଡ଼ିଆରେ ପହଞ୍ଚିଥିଲା। ସାଇବର୍‌ ସଚେତନତାର କାର୍ଯ୍ୟକ୍ରମର ମଙ୍ଗ ଧରିଥିବା ସମସ୍ତ ପ୍ରତିଯୋଗୀ/ସହଯୋଗୀଙ୍କୁ ପୁଲିସ୍ ପକ୍ଷରୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ସନ୍ଧ୍ୟାରେ ରାଜନଅର ଛକରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। କୋରାପୁଟର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସାଇବର ଅପରାଧ ରୋକିବା ସମ୍ପର୍କିତ ନାଟକ ପରିବେଷଣ ହୋଇଥିଲା। ସେହିପରି ଜୟପୁରର ସ୍ଵର ଘୁଙ୍ଗୁର ଅନୁଷ୍ଠାନ ପକ୍ଷରୁ ସଚେତତନା ଧର୍ମୀ ଗୀତ ଓ କମେଡି ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା । ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଡିଏସ୍‌ପି ସନ୍ଦୀପ ମାଝି, ଟାଉନ୍ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର, ସଦର ଥାନା ଅଧିକାରୀ ଈଶ୍ବର ତାଣ୍ଡି, ମହିଳା ଥାନା ଅଧିକାରୀ ଅନିତା କୁକୁର, ସାଇବର୍‌ ଥାନା ଇନଚାର୍ଜ ଭବାନୀ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଦିନବ୍ୟାପୀ କାର୍ଯ୍ୟକ୍ରମ ପାଇଁ ସହର ଭିତରକୁ ଭାରିଯାନ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *