Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଅଳ୍ପରେ ବିଧାନସଭା ଖବର

1 min read

ଭୁବନେଶ୍ବର: ଦିନକ ତଳେପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ବିଜେଡିକୁ ପ୍ରଶଂସା କରିଥିଲେ। ଗତକାଲି ବିଧାନସଭାର ପ୍ରଶ୍ନକାଳରେ ଓ ମୁଲତବୀ ଆଲୋଚନା ସମୟରେ କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା ଏହାକୁ ନେଇ ଛିଗୁଲାଇଥିଲେ। କହିଥିଲେ, ବିଜେଡି ଶୃଙ୍ଖଳିତ ଦଳ ବୋଲି ପ୍ରଧାନମନ୍ତ୍ରୀ ସାର୍ଟିଫିକେଟ୍ ଦେଲେ। ସତରେ ରାଜ୍ୟ ପାଇଁ ପାଟି ନ ଫିଟାଇ ବିଜେଡି ସଭ୍ୟମାନେ ସୁନା ପିଲା ପରି ବସୁଛନ୍ତି। ଆଉ ବିଜେପି ଭାଇମାନେ ବି ସୁନା ପିଲା ହୋଇଯାଇଛନ୍ତି। ସୋମବାର ଦିନ ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ମିଳି ନ ଥିଲେ ବି ଭାଇମାନେ ସୁନା ପିଲା ପରି ବସିଛନ୍ତି। ସାଲୁଜାଙ୍କ ମନ୍ତବ୍ୟର କେହି ପ୍ରତିବାଦ କରି ନ ଥିଲେ। ସମସ୍ତେ ମୁରୁକା ହସା ଦେଉଥିଲେ।

[ଯୋଗାଣ ମନ୍ତ୍ରୀଙ୍କୁ ପ୍ରଂଶସା, ଉତ୍ତରକୁ ବର୍ଜନ]
ଗତକାଲି ଧାନ କିଣା ସମ୍ପର୍କରେ ମୁଲତବୀ ଆଲୋଚନା ଚାଲିଥିଲା ବେଳେ ଯୋଗାଣ ମନ୍ତ୍ରୀଙ୍କୁ କିଛି ସଭ୍ୟ ବେଶ୍ ପ୍ରଶଂସା କରୁଥିଲେ। ନାଉରୀ ନାୟକ କହିଥିଲେ, ‘ଦୁଇ ଜଣ ଚାଷୀ କଥା ହେଉଥିଲେ। ଜଣେ ଚାଷୀ କହିଲା, ମନ୍ତ୍ରୀ ଜଣେ ପାରିବାର ଲୋକ ଓ ସେ ଲୋକାଭିମୁଖୀ ନିଷ୍ପତ୍ତି ନେବେ। କିନ୍ତୁ ଆଉ ଜଣେ ଚାଷୀ କହିଲେ, ମନ୍ତ୍ରୀ ପାରିବେ। କିନ୍ତୁ ଅଧିକାରୀମାନେ ତ ସବୁ ନିଷ୍ପତ୍ତି ନେଉଛନ୍ତି। ମନ୍ତ୍ରୀ କଣ କରିପାରିବେ ?’ ନରସିଂହ ମିଶ୍ର କହିଥିଲେ, ‘ଯୋଗାଣ ମନ୍ତ୍ରୀ ଯେତେବେଳେ ବିଧାୟକ ଥିଲେ ଧାନର କ୍ବିଣ୍ଟାଲ୍ ପ୍ରତି ଅମଳ ଖର୍ଚ୍ଚ କେତେ ତାହାର ସେ ବିସ୍ତୃତ ବିବରଣୀ ସହ ଠିକ୍ ହିସାବ କରି ଦେଇଥିଲେ।’ ଶାସକ ଦଳ ବିଧାୟକମାନେ ମନ୍ତ୍ରୀଙ୍କ ପ୍ରଦର୍ଶନକୁ ଚିରାଚରିତ ଢଙ୍ଗରେ ସମର୍ଥନ କରିଥିଲେ। କିନ୍ତୁ ମନ୍ତ୍ରୀଙ୍କ ଉତ୍ତରରେ ଉଭୟ ବିଜେପି ଓ କଂଗ୍ରେସ ସଭ୍ୟ ସନ୍ତୁଷ୍ଟ ହୋଇ ନ ଥିଲେ। ମନ୍ତ୍ରୀଙ୍କ ଉତ୍ତର ଠିକ୍ ନାହିଁ କହି ଉଭୟ ଦଳ କକ୍ଷତ୍ୟାଗ କରିଥିଲେ। ଅବଶ୍ୟ ସନ୍ତୋଷ ସିଂହ ସାଲୁଜା ଚେତାଇ ଦେଇଥିଲେ, ମନ୍ତ୍ରୀ ନିଜ ବିଭାଗରେ ଠିକ୍ କାମ କରନ୍ତୁ। ନଚେତ ଏଠିକି ବି 5ଟି ପଶିବ।

[ମହାରଥୀଙ୍କୁ ପ୍ରଶଂସା]
ଗତକାଲି ପ୍ରଶ୍ନକାଳରେ ପ୍ରଦୀପ ମହାରଥୀ ବେଶ୍ ଶାଣିତ ଢଙ୍ଗରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ପ୍ରଶ୍ନ କରୁଥିଲେ। ତେବେ ପ୍ରଶ୍ନ ଛଳରେ ଶାସକ ଓ ବିରୋଧୀ ଦଳ ସଭ୍ୟ ମହାରଥୀ ମନ୍ତ୍ରୀ ଥିଲା ବେଳେ କିପରି କାମ କରିଥିଲେ ତାହା କହି ପ୍ରଶଂସା କରିଥିଲେ। ମହାକାଳପଡ଼ାରେ ପାଣି ସମସ୍ୟା ଦୂର କରିବା ପଛରେ ତତ୍କାଳୀନ ପଞ୍ଚାୟତିରାଜ ମନ୍ତ୍ରୀ ମହାରଥୀଙ୍କ ବଡ଼ ଭୂମିକା ରହିଛି ବୋଲି ଅତନୁ ସବ୍ୟସାଚ୍ଚୀ ନାୟକ କହିଥିଲେ। ସେହିପରି ମହାରଥୀ ମନ୍ତ୍ରୀ ଥିଲା ବେଳେ ବିଧାୟକମାନଙ୍କୁ ୧୦୦ ନଳକୂପ ଖୋଳିବା ପାଇଁ ଅନୁଦାନ ଦେଉଥିଲେ ବୋଲି ତାରା ପ୍ରସାଦ ବାହିନୀପତି କହିଥିଲେ। ଉଭୟଙ୍କ ପ୍ରଶଂସା ଶୁଣି ମହାରଥୀ ବି ଗଦ୍ ଗଦ୍ ହୋଇଯାଇଥିଲେ।

[ଶ୍ରେଷ୍ଠ ମନ୍ତ୍ରୀ]
ଏଇ ନିକଟରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ନୂଆଦିଲ୍ଲୀରେ ‘ଶ୍ରେଷ୍ଠ ମନ୍ତ୍ରୀ’ ଭାବେ ସମ୍ମାନିତ ହୋଇଛନ୍ତି। ଗତକାଲି ପ୍ରଶ୍ନକାଳରେ ପଞ୍ଚାୟତିରାଜ ବିଭାଗ ସଂକ୍ରାନ୍ତୀୟ ପ୍ରଶ୍ନ ଚାଲିଥିଲା ବେଳେ ଏହି ପ୍ରସଙ୍ଗକୁ ମହାରଥୀ ଉଠାଇଥିଲେ। କହିଥିଲେ, ଗତକାଲି ଯିଏ ଉତ୍ତର ରଖୁଛନ୍ତି ସେ ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ମନ୍ତ୍ରୀ ଭାବେ ପୁରସ୍କୃତ ହୋଇଛନ୍ତି। ଏତିକି କହି ମହାରଥୀ କଡ଼ା ପ୍ରଶ୍ନ କରିଥିଲେ। ସନ୍ତୋଷ ସିଂହ ସାଲୁଜା ମଧ୍ୟ କହିଥିଲେ, ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରେଷ୍ଠ ମନ୍ତ୍ରୀ ଭାବେ ପୁରସ୍କୃତ ହୋଇଛନ୍ତି। କିନ୍ତୁ ଦୀପ ତଳ ଅନ୍ଧାର ପରି ଲୋକଙ୍କୁ ପିଇବା ପାଇଁ ପାଣି ମିଳୁନି।

[ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବାଚସ୍ପତିଙ୍କ ତାଗିଦ୍]
ପ୍ରଶ୍ନକାଳ ସରିବା ପରେ ବହୁ ବିଧାୟକ ଯିବା ପାଇଁ ଉଠିଲେ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପଛ ଧାଡ଼ିରେ ଠିଆ ହୋଇ କିଛି ବିଧାୟକଙ୍କ ସହ ଗୃହ ଭିତରେ କଥା ହେଉଥା’ନ୍ତି। ଗୃହରେ ବହୁ ବିଧାୟକ ଏଣେତେଣେ ହୋଇ ଗପୁଥିବାରୁ ଗୃହରେ ପରିବେଶ ଅଶାନ୍ତ ହୋଇଯାଇଥିଲା। ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ଏଥିରେ ଉତ୍କ୍ଷିପ୍ତ ହୋଇପଡ଼ିଲେ। ବଡ଼ ପାଟିରେ କହିଥିଲେ, ‘ସେଠି କ’ଣ ହେଉଛି ? ତୁମେ ମନ୍ତ୍ରୀ ନା ଆଉ କ’ଣ ?’ ଏହା ପରେ ଗୃହରେ ପୂରା ନୀରବତା ଛାଇ ଯାଇଥିଲା। ଶ୍ରୀ ମିଶ୍ର ସଙ୍ଗେ ସଙ୍ଗେ ବାହାରକୁ ଚାଲି ଯାଇଥିଲେ। ଏହା ପରେ ଏକ ପ୍ରସଙ୍ଗରେ ବାହିନୀପତି ବାଚସ୍ପତିଙ୍କୁ କହିଲେ, ସାର୍ ଆପଣ ରାଗୁଛନ୍ତି କାହିଁକି ? ବାଚସ୍ପତି କହିଲେ, ମୁଁ ରାଗୁନି। ମୋ ଟୋନ୍ ଏମିତି।

[ଶାସକ ଦଳ ସଭ୍ୟଙ୍କ ଅନୁପସ୍ଥିତି]
ଧାନ କିଣା ଉପରେ ମୁଲତବୀ ଆଲୋଚନା ଚାଲିଥିଲା ସମୟରେ ଶାସକ ଦଳ ସଭ୍ୟଙ୍କ ଉପସ୍ଥିତି ଖୁବ୍ ନଗଣ୍ୟ ଥିଲା। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହୁଥିଲା ବେଳେ ଏହି ପ୍ରସଙ୍ଗ ଉଠାଇଥିଲେ। କହିଥିଲେ, ଧାନ କିଣା ପରି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେଉଥିଲା ବେଳେ ଶାସକ ଦଳର ୧୬ ଜଣ ସଭ୍ୟ ଅଛନ୍ତି। ଯୋଗାଣ ମନ୍ତ୍ରୀଙ୍କ ସମେତ ମାତ୍ର ୩ ଜଣ ମନ୍ତ୍ରୀ ଉପସ୍ଥିତ ଅଛନ୍ତି। ଶାସକ ଦଳ ପଟୁ କେହି କହିଲେ, ବିଧାୟକମାନେ ବିଧାନସଭା ଭିତରେ ଅଛନ୍ତି ଓ ଟିଭିରେ ଆପଣଙ୍କ କଥା ଶୁଣୁଛନ୍ତି। ଶ୍ରୀ ମିଶ୍ର କହିଲେ, ମୁଖ୍ୟମନ୍ତ୍ରୀ ଆପଣମାନଙ୍କ କୁଆଡ଼େ ଉପଦେଶ ଦେଇଥିଲେ ଗୃହରେ ରହିବା ପାଇଁ। ସେ ତ ନିଜେ କେବେ ଆସନ୍ତିନି କି କିଛି ଶୁଣନ୍ତିନି। ଆଉ ତାଙ୍କ ଉପଦେଶ ବି ଆପଣମାନେ ଶୁଣନ୍ତିନି। ଯଦି ଗୃହକୁ ନ ଆସି ଆପଣମାନେ ଶୁଣିପାରିବେ, ତେବେ ସେହି କଥା ମୁଖ୍ୟମନ୍ତ୍ରୀ ଉପଦେଶ ଦେଉ ନାହାନ୍ତି କାହିଁକି ? ଶ୍ରୀ ମିଶ୍ର ଏତିକି କହୁ କହୁ ଆଉ ୫ ଜଣ ବିଧାୟକଙ୍କ ସମେତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗୃହକୁ ପ୍ରବେଶ କଲେ।…

[ବାଚସ୍ପତିଙ୍କୁ ତାରାଙ୍କ ଫ୍ଲାଇଂ କିସ୍]
ଗୃହ ଭିତରେ ବାଚସ୍ପତି ପ୍ରବେଶ କଲା ମାତ୍ରେ ତାରା ପ୍ରସାଦ ବାହିନୀପତି ତାଙ୍କ ଉଦ୍ଦେଶ୍ୟରେ କିଛି ନା କିଛି ହାଲ୍କା ମନ୍ତବ୍ୟ ଦିଅନ୍ତି। କେଉଁ ଦିନ ତାଙ୍କ ପୋଷାକକୁ ପ୍ରଶଂସା କରନ୍ତି ତ କେଉଁଦିନ ହସକୁ। ପୁଣି କେଉଁ ଦିନ ବାଚସ୍ପତିଙ୍କ ଚାଲିକୁ ବି ପ୍ରଶଂସା କରନ୍ତି। ଗତକାଲି ପିଇବା ପାଣି ସଂକ୍ରାନ୍ତରେ ପ୍ରଶ୍ନୋତ୍ତର ଚାଲିଥିଲା ବେଳେ ମୂଳ ପ୍ରଶ୍ନକର୍ତ୍ତା ଭାବେ ବାହିନୀପତି ଶେଷ ପ୍ରଶ୍ନ ପଚାରୁଥା’ନ୍ତି। ପ୍ରଶ୍ନ ପଚାରିଲା ପରେ ବାଚସ୍ପତିଙ୍କ ଆଡ଼କୁ ଚାହିଁ କହିଲେ, ବାଚସ୍ପତି ଆମେ ଗୋଟିଏ ଗାଁର ଲୋକ। ମୋତେ ସୁଯୋଗ ଦେଇଥିବାରୁ ଧନ୍ୟବାଦ। ଏତିକି କହି ତାରା ବାଚସ୍ପତିଙ୍କୁ ଚାହିଁ ଫ୍ଲାଇଂ କିସ୍ ଦେଇଥିଲେ। ଏହା ଦେଖି ଗୃହରେ ସମସ୍ତେ ହସିଥିଲେ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *