10/20/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଅବହେଳିତ ପର୍ଯ୍ୟଟନସ୍ଥଳୀ ‘ବାବା ବକ୍ରେଶ୍ବର ପୀଠ’

ବାଲେଶ୍ବର: ଜିଲ୍ଲାର ଖଇରା ବ୍ଲକ ମାଖନପୁର ପଞ୍ଚାୟତର ତରାଙ୍ଗରେ ରହିଛି ବାବା ବକ୍ରେଶ୍ବରଙ୍କ ପୀଠ । ବାବାଙ୍କ ମହିମା ଓ ଅଲୌକିକ ଘଟଣା ପାଇଁ ଏହି ପୀଠ ପର୍ଯ୍ୟଟନସ୍ଥଳୀର ମାନ୍ୟତା ହାସଲ କରିଛି । ଯେଉଁଥିପାଇଁ ପ୍ରତିଦିନ ବହୁ ଦୁରଦୂରାନ୍ତରୁ ପୀଠକୁ ଭକ୍ତଙ୍କ ସୁଅ ଛୁଟିଥାଏ।
ବାବାଙ୍କ ବିଷୟରେ କିମ୍ବଦନ୍ତୀ ଯାହା କୁହେ, ଯାଜପୁର ଅଞ୍ଚଳରୁ କିଛି ବ୍ୟବସାୟୀ ବ୍ୟବସାୟ ଉଦ୍ଦେଶ୍ୟରେ ଆସିଥିଲେ। ଏହି ସ୍ଥାନରେ ରାତ୍ରିଯାପନ କରୁଥିବାବେଳେ ସେମାନଙ୍କ ବଳଦ ଚରିବାକୁ ଯାଇ ହଜି ଯାଇଥିଲା । ସକାଳେ ବ୍ୟବସାୟୀମାନେ ବ୍ୟବସାୟ ପାଇଁ ବାହାରିଲା ବେଳେ ସେମାନଙ୍କ ସହଯୋଗୀ ଜଣେ କୁଷ୍ଠରୋଗୀଙ୍କୁ ବଳଦ ଖୋଜିବାର ଦାୟିତ୍ବ ଦେଇଥିଲେ । କୁଷ୍ଠରୋଗୀ ଜଣଙ୍କ ବହୁ ଖୋଜାଖୋଜି କରିବା ପରେ ବଳଦଟି ଏକ ଉଚ୍ଚ ସ୍ଥାନରେ ଠିଆ ହୋଇଥିବା ଦେଖିବାକୁ ପାଇଥିଲେ।
ବଳଦ ପାଖକୁ ଯାଇ ଦେଖିବା ବେଳେକୁ ସେଠାରେ ମାଟିତଳୁ ପାଣି ନିର୍ଗତ ହେଉଥିଲା। ଖରାରେ ହାଲିଆ ହୋଇପଡିଥିବା କୁଷ୍ଠରୋଗୀ ଜଣଙ୍କ ନିଜ ଦେହରେ ସେହି ଜଳକୁ ଢାଳି ହୋଇଥିଲେ। ତୁରନ୍ତ ସେ ରୋଗକଷ୍ଟରୁ ମୁକ୍ତି ପାଇବା ସହ ଧିରେଧିରେ ତାଙ୍କ ରୋଗ ଭଲ ହେବାକୁ ଲାଗିଥିଲା ।
ସେହିଦିନ ରାତିରେ ବାବା ପାତାଳ ଫୁଟାଇ ଆବିର୍ଭାବ ହୋଇଥିବା ଜମିଦାରଙ୍କୁ ସ୍ବପ୍ନାଦେଶ ହୋଇଥିଲା । ଜମିଦାର ସେଠାରେ ଆସ୍ଥାନ ନିର୍ମାଣ କରି ପୂଜା ଆରମ୍ଭ କରିଥିଲେ । ବକ୍ର ଭାବରେ ବାବା ଆବିର୍ଭାବ ହୋଇଥିବାରୁ ତାଙ୍କର ନାମ ବକ୍ରେଶ୍ବର ରଖାଯାଇଥିବା କୁହାଯାଉଛି ।
ବାବାଙ୍କ ପୂଜା କରୁଥିବା ପୂଜକ ପ୍ରତିଦିନ ନଈ ପାରିହୋଇ ଆସିଥାଆନ୍ତି । ମାତ୍ର ବର୍ଷା ଦିନେ ନଈରେ ବନ୍ୟା ଯୋଗୁଁ ପୂଜକ ମନ୍ଦରକୁ ଯାଇ ନପାରିବାରୁ ବାବାଙ୍କୁ ଦୁଃଖ ଜଣାଇ ପୂଜକ ନିରାଶ ହୋଇ ଘରକୁ ଫେରିଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି, ତହିଁ ପରଦିନ ନଦୀର ଗତିପଥ ବଦଳି ଯାଇଥିଲା । ମନ୍ଦିର ଆଗରେ ଥିବା ନଦୀ ପଛପଟ ଦେଇ ପ୍ରବାହିତ ହେଉଛି । ସେହିଦିନ ଠାରୁ ନଦୀ ଅର୍ଦ୍ଧଚନ୍ଦ୍ର ଭାବେ ବାବାଙ୍କ ମଥାରେ ଶୋଭାପାଉଛି ।
ମାତ୍ର ପୀଠର ସୌନ୍ଦର୍ଯ୍ୟକରଣର ଅଭାବ ଓ ଭକ୍ତଙ୍କ ପାଇଁ ସେତେଟା ଆଖିଦୃଶିଆ ବିକାଶ ହୋଇ ନଥିବାରୁ ଅବହେଳିତ ଅବସ୍ଥାରେ ରହିଯାଇଛି ବାବା ବକ୍ରେଶ୍ବରଙ୍କ ପୀଠ । ବାବାଙ୍କ ପୀଠକୁ ଯିବା ପାଇଁ ଭଲ ରାସ୍ତାଟିଏ ନଥିବାବେଳେ ଭକ୍ତଙ୍କ ପାଇଁ ପାନୀୟ ଜଳର ମଧ୍ୟ ସୁବନ୍ଦୋବସ୍ତ ହୋଇନାହିଁ। ଏପରିକି ମନ୍ଦିର ପଛପଟେ ଥିବା ପୋଖରୀର ମଧ୍ୟ ପୁନରୁଦ୍ଧାର ହୋଇ ନଥିବାରୁ ସେହି ଅପରିଷ୍କାର ପାଣିରେ ଠାକୁରଙ୍କ ଜଳାଭିଷେକ କରିବାକୁ ପଡୁଛି ।
ମାନସିକ କରି ଭକ୍ତ ବାବାଙ୍କ ଠାରୁ କେବେ ନିରାଶ ହୋଇ ଫେରି ନଥିବା ନଜିର ମଧ୍ୟ ରହିଛି। ଅପୁତ୍ରିକ ପୁତ୍ର ସନ୍ତାନ ଲାଭ କରିଥିବା ବେଳେ ରୋଗ ବ୍ୟାଧିରୁ ବହୁ ଲୋକ ମୁକ୍ତି ପାଇଛନ୍ତି। ପ୍ରତିଦିନ ବାବାଙ୍କ ପାଖକୁ ବହୁ ଦୁରଦୂରାନ୍ତରୁ ଭକ୍ତଙ୍କ ସୁଅ ଛୁଟିଥାଏ।
ବାବାଙ୍କ ପାଖରେ ମହାଶିବରାତ୍ରି ବ୍ୟତୀତ ମା’ ପାର୍ବତୀଙ୍କ ପ୍ରତିଷ୍ଠା ଦିବସ ଓ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥାଏ । ଏଠାରେ ଜାଗର ମେଳା 15 ଦିନ ଧରି ଚାଲିଥାଏ। ବାବାଙ୍କ ପୂଜା କାର୍ଯ୍ୟ ପାଇଁ 16 ଜଣ ପୂଜକ ନିୟୋଜିତ ହୋଇଛନ୍ତି । ନଦୀରୁ ପାଣି ଉଠାଇ ବାବାଙ୍କ ଜଳାଭିଷେକ କରାଯାଇଥାଏ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *