ସାରା ଦେଲେ ଆଇଡିଆ, ପାଦେ ଆଗେଇଲେ କିନ୍ନର
ଗଜପତି: କିନ୍ନରମାନଙ୍କୁ ଥଇଥାନ କରିବା ପାଇଁ ଖୋଲିଥିବା ଓମ୍ଫେଡ ପାର୍ଲରରେ ଜଳଖିଆ ଏବଂ ଫଳରସ ବିକ୍ରି ଆରମ୍ଭ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ଗଜପତି ଏସପି ସାରା ଶର୍ମା । ସ୍ଥାନୀୟ ହସ୍ପିଟାଲ ପରିସରରେ ଥିବା ଏହି କେନ୍ଦ୍ରରେ ଜଳଖିଆ ଏବଂ ଫଳରସ ବିକ୍ରି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ମଙ୍ଗଳବାର ଉଦଘାଟନ କରିଛନ୍ତି । ଏହାଦ୍ଵାରା କିନ୍ନରମାନେ ଅଧିକ ରୋଜଗାରକ୍ଷମ ହେବା ସହ ମୁଖ୍ୟସ୍ରୋତକୁ ଫେରିପାରିବେ ବୋଲି ଏସପି କହିଥିବା ବେଳେ କିନ୍ନରମାନେ ମଧ୍ୟ ରୋଜଗାର ପନ୍ଥା ମିଳିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ।
ସାଧାରଣତଃ କିନ୍ନର ମାନଙ୍କୁ ସମାଜ ଭିନ୍ନ ଦୃଷ୍ଟିରେ ଦେଖି ଆସିଛି । ଏପରିକି ସେମାନଙ୍କ ପରିବାର ଲୋକେ ମଧ୍ୟ ସେମାନଙ୍କୁ ନିଜ ଠାରୁ ଦୂରେଇ ଦେବାକୁ ପଛାଉନାହାଁନ୍ତି । ଏଭଳି ସ୍ଥିତିରେ ନିଜର ଜୀବନ ଜୀବିକା ସଂଗ୍ରହ ପାଇଁ କିନ୍ନରମାନେ ବିଭିନ୍ନ ସ୍ଥାନରେ ଭିକ୍ଷାବୃତ୍ତି ଭଳି କୁତ୍ସିତ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥାନ୍ତି । କାରଣ ସେମାନଙ୍କୁ କୌଣସି ସ୍ଥାନରେ କର୍ମସଂସ୍ଥାନ ମିଳେ ନାହିଁ । ସେହି ସମାନ ଅବସ୍ଥାରେ ଥିଲେ ପାରଳାଖେମୁଣ୍ଡିର କିନ୍ନର ମାନେ । ଏହାକୁ ଦେଖିବା ପରେ ଗଜପତି ଏସପି ସାରା ଶର୍ମା ଏମାନଙ୍କ ପାଇଁ କର୍ମ ନିୟୋଜନର ବ୍ୟବସ୍ଥା କରିବାକୁ ଚିନ୍ତା କରିବା ସହ ସେମାନଙ୍କ ପାଇଁ ସ୍ଥାନୀୟ ହସ୍ପିଟାଲ ପରିସରରେ ଏକ ଓମଫେଡ ପାର୍ଲର ‘ସୁରଭି’ ନିର୍ମାଣ କରିଥିଲେ ।
ଗତ25ତାରିଖରେ ଆରମ୍ଭ ହୋଇଥିବା ଏହି କେନ୍ଦ୍ରରେ କିନ୍ନରମାନେ କ୍ଷୀର ଏବଂ ଚା’ ବିକ୍ରି କରୁଥିଲେ । ହେଲେ ଏହାକୁ ଆହୁରି ବ୍ୟାପକ କରିବା ପାଇଁ ଏସପି କିଛି ଲୋକଙ୍କ ସହାୟତାରେ ସେମାନଙ୍କ ପାଇଁ ଜଳଖିଆ ଏବଂ ଫଳରସ ପ୍ରସ୍ତୁତି ସାମଗ୍ରୀ ଯୋଗାଡ କରିବା ସହ ମଙ୍ଗଳବାର ଠାରୁ ଏହାକୁ ଆରମ୍ଭ କରାଇଛନ୍ତି । ଏନେଇ ଏସପି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ପୂର୍ବରୁ କିନ୍ନରମାନଙ୍କ ସଂପର୍କରେ ତାଙ୍କର ଭିନ୍ନ ମତ ରହିଥିଲା । ହେଲେ ସେମାନଙ୍କ ସଂପର୍କରେ ଅଧିକ ପଢାପଢି କରିବା ବେଳେ ସେମାନଙ୍କ ପାଇଁ କିଛି କରି ସମାଜର ମୁଖ୍ୟ ସ୍ରୋତରେ ସେମାନଙ୍କୁ ସାମିଲ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ।
ସ୍ଥାନୀୟ କିଛି ସହୃଦୟ ବ୍ୟକ୍ତିଙ୍କ ସହାୟତାରେ ସେମାନଙ୍କ ପାଇଁ ଏହା କରିଛନ୍ତି । ଏହାଦ୍ଵାରା କିନ୍ନରମାନେ ସ୍ବାବଲମ୍ବୀ ହେବା ସହ ସମାଜର ମୁଖ୍ୟ ସ୍ରୋତକୁ ଆସିପାରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଏହି ପାର୍ଲରକୁ ଉଦଘାଟନ କରିବା ଅବସରରେ ଜିଲ୍ଲାପାଳ କହିଛନ୍ତି ଯେ, କିନ୍ନରମାନେ ଏଭଳି କାର୍ଯ୍ୟରେ ନିୟୋଜିତ ହେବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ ପଦକ୍ଷେପ ।
ପାର୍ଲର ଉଦଘାଟନ ଏବଂ ଏହାର ପରବର୍ତ୍ତୀ ସମୟରେ ଏହାକୁ ବ୍ୟାପକ ଭାବେ ପ୍ରସ୍ତୁତି କରାଯାଉଥିବାରୁ କିନ୍ନରମାନେ ବେଶ ଖୁସି ପ୍ରକାଶ କରିବା ସହ ଜୀବିକା ନିର୍ବାହ କରିବେ ବୋଲି କହିଛନ୍ତି । ଏସପିଙ୍କ ଦ୍ଵାରା ପ୍ରତିଷ୍ଠା ହୋଇଥିବା ଏହି କେନ୍ଦ୍ର ତାଙ୍କ ପାଇଁ ନୂତନ ରାହା ହୋଇପାରିଥିବା ସେ କହିଛନ୍ତି ।
ମେଡିକାଲ ପାଖରେ ଏହି ପାର୍ଲର ଖୋଲିଥିବାରୁ ସେଠାକୁ ଆସୁଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ଏସବୁ ପାଇଁ ଆଗରୁ ଯେଉଁ ଅସୁବିଧା ଭୋଗ କରୁଥିଲେ ତାହା ଦୂର ହୋଇପାରିବା ସହ କିନ୍ନରମାନେ ମଧ୍ୟ ସ୍ବାବଲମ୍ବୀ ହୋଇପାରିବେ।