November 18, 2025

Sabubarga Khabar

All category news

ଜୟପୁର ପୌରପାଳିକା ସଭାକକ୍ଷରେ ଦଶହରା ମହୋତ୍ସବ ପାଳନ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜୟପୁର,09/10: ଜୟପୁର ସହରରେ ଶାନ୍ତି ଶୃଙ୍ଖଳା ସହ ଦଶହରା ମହୋତ୍ସବ ପାଳନ ପାଇଁ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଜୟପୁର ଉପ ଜିଲ୍ଲାପାଳ, ଜୟପୁର ତହସିଲଦାର, ଏସଡିପିଓ,ଜୟପୁର ସଦର ଓ ଟାଉନଥାନା ଅଧିକାରୀ, ପୌର ଅଧିକାରୀ, ପୌର ଅଧ୍ୟକ୍ଷ ଓ ସହରର ବୁଦ୍ଧିଜୀବୀ ଙ୍କ ସହ ଦଶହରା ପୂଜା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ପାର୍ବଣ ଗହଳିରୁ ଫାଇଦା ଉଠାଇବାକୁ ଜୟପୁରରେ ସକ୍ରିୟ ହୋଇଛନ୍ତି ଲୁଟେରା ଦଳ ଗଞ୍ଜାମର ଆସିକା, ପୁରୀର ପେଣ୍ଟାକୋଟ, ଛତିଶଗଡର ନଗରନାର ସହ ଆନ୍ଧ୍ରର ଲୁଟେରା ଦଳ ଜୟପୁରରେ ଘୁରି ବୁଲୁଛନ୍ତି। ଚୋରି ରୋକିବାକୁ ସତର୍କତା ଅବଲମ୍ବନ କରିବାକୁ ପୁଲିସ୍ ଜନସାଧାରଣଙ୍କୁ ନିବେଦନ କରିବା ସହ ପାଟ୍ରୋଲିଂକୁ କଡାକଡି କରିବାକୁ ନିଷ୍ପତ୍ତି ନେଇଛି। ଦଶହରା ମହୋତ୍ସବ ସହ ରଥଯାତ୍ରା ସମୟରେ ଜୟପୁରରେ ପ୍ରବଳ ଭିଡ଼ ହୋଇଥାଏ। ସହରବାସୀଙ୍କ ସମେତ ଆଖପାଖ ଗ୍ରାମର ହଜାର ହଜାର ଲୋକ ଯାତ୍ରାକୁ ଆସୁଥିବାରୁ ଭିଡ଼ର ସୁଯୋଗ ନେଇ ଲୁଟେରା ଦଳ ମୋବାଇଲ୍ ସହ ସୁନା ଲୁଟି ନେଇଥାନ୍ତି। ଚଳିତ ବର୍ଷ ରଥଯାତ୍ରା ସମୟରେ ଲୁଟେରାମାନେ ବହୁ ଶ୍ରଦ୍ଧାଳୁଙ୍କ ନିକଟରୁ ଅତି ସତର୍କତାର ସହ ମୋବାଇଲ୍ ଚୋରି କରି ନେଇଥିଲେ। ଅଭିଯୋଗ ପରେ ପୁଲିସ୍ ଟ୍ରାକିଂ କରି ମୋବାଇଲ୍ ଉଦ୍ଧାର କରି ମାଲିକମାନଙ୍କୁ ହସ୍ତାନ୍ତର କରିଥିଲା। କିନ୍ତୁ ଧରା ପଡିଥିବା ଚୋରଙ୍କ ମଧ୍ୟରେ ଅଧିକାଂଶ ନାବାଳକ ଥିବାରୁ ପୁଲିସ୍ ପାଇଁ ଏହା ଚିନ୍ତା ବଢ଼ାଇଛି। ଚୋରି ରୋକିବାକୁ ପୁଲିସ୍ ସତର୍କତା ଅବଲମ୍ବନ କରିବାକୁ ପାଇଁ କହିଛି। ମେଢ଼ ବୁଲି ଆସିବା ସମୟରେ ବେକରେ ସୁନା ନ ପିନ୍ଧିବାକୁ ପୁଲିସ୍ କହିଛି। ସେହିପରି ମୋବାଇଲକୁ ସୁରକ୍ଷିତ ଭାବେ ରଖିବା, ବ୍ୟାଙ୍କରୁ ଟଙ୍କା ଉଠାଣ ପରେ ସିଧା ଘରକୁ ଯିବାକୁ ପୁଲିସ୍ ପରାମର୍ଶ ଦେଇଛି। ରାତି ୧୦ଟା ପରେ ବାହାରେ ବୁଲାବୁଲି ଓ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ଉପରେ ପୁଲିସ୍ କଟକଣା ଲଗାଇଛି । ରାତି ୧୧ଟା ପରେ ସହରର ସମସ୍ତ ଦୋକାନ, ବଜାର ବନ୍ଦ ରଖିବାକୁ ମାଲିକଙ୍କୁ ନିର୍ଦ୍ଦେଶ ହୋଇଛି। ପୁଲିସ୍ ପାଟ୍ରୋଲିଂ ସମୟରେ ଦୋକାନ ଖୋଲିବା କିମ୍ବା ରାସ୍ତାରେ ବୁଲିବା ନଜର ଆସିଲେ ପୁଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଜୟପୁର ଟାଉନ୍ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.