Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପ୍ରସିଦ୍ଧ କାଳୀ ମନ୍ଦିରର ଉଚ୍ଚତା ନେଇ ନୋଟିସ୍‌ , ତୀବ୍ର ପ୍ରତିବାଦ କଲେ ଭକ୍ତ

1 min read

ରାୟଗଡ଼ା (ସଖପ୍ର) :ରାୟଗଡ଼ା ସହରର ପ୍ରସିଦ୍ଧ କାଳୀ ମନ୍ଦିରକୁ ନେଇ ଜିଲ୍ଲା ପୁଲିସ ପ୍ରଶ୍ନ ଉଠାଇଛି । କାଳୀ ମନ୍ଦିରର ଉଚ୍ଚତା କାରଣରୁ ନିକଟରେ ରହିଥିବା ଜିଲ୍ଲାପାଳ, ଡିଏଫଓ ଓ ଏସପିଙ୍କ ବାସଗୃହ ଉପରେ ବିପଦ ରହିଛି ବୋଲି ଜିଲ୍ଲା ପୁଲିସ କାର୍ଯ୍ୟାଳୟ ପକ୍ଷରୁ ଏକ ଚିଠି ଜିଲ୍ଲାପାଳଙ୍କୁ ଦିଆଯାଇଛି। ଏହାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଜି ରାୟଗଡ଼ା ତହସିଲ ପକ୍ଷରୁ ମାପଚୁପ ହୋଇଥିଲା। ଘଟଣାରୁ ପ୍ରକାଶ ଯେ, ଶନିବାର ସକାଳ ପ୍ରାୟ ୧୦ଟା ସମୟରେ ରାୟଗଡ଼ା ତହସିଲ କାର୍ଯ୍ୟାଳୟ ତରଫରୁ ରାଜସ୍ୱ ନିରୀକ୍ଷକ ଏକ ଟିମ୍ ସହିତ ଆସି ଥିଲେ। ସେ ବ୍ଲକ ଅଫିସ ଛକ ନିକଟରେ ରହିଥିବା କାଳୀ ମନ୍ଦିରର ମାପଚୁପ କରିଥିଲେ। ତେବେ ସେଠାରେ ଉପସ୍ଥିତ ଶ୍ରଦ୍ଧାଳୁ ଓ ପୂଜା କମିଟି ପ୍ରଶ୍ନ କରିବା ସହିତ ଏହାକୁ ବିରୋଧ କରିଥିଲେ। ରାଜସ୍ୱ ନିରୀକ୍ଷକ ଟି.ଶ୍ୟାମ ସୁନ୍ଦର ତଦନ୍ତ ପାଇଁ ତାଙ୍କୁ ମିଳିଥିବା ଚିଠି ଦେଖାଇଥିଲେ। ଉକ୍ତ ଚିଠି ଅନୁସାରେ ମନ୍ଦିର ନିକଟରେ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ବାସଗୃହ ରହୁଥିବାରୁ କେହି ମଧ୍ୟ ମନ୍ଦିର ଉପରେ ଚଢ଼ି ଏସପି, ଜିଲ୍ଲାପାଳ ଓ ଡିଏଫଓଙ୍କ ବାସଗୃହ ଉପରେ ନଜର ରଖିପାରିବେ ବୋଲି ଉଲ୍ଲେଖ ରହିଛି।
ସେହିଭଳି ମନ୍ଦିର ପରିଚାଳନା କମିଟି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଉଲ୍ଲେଖ ରହିଛି। ଏଥିସହ ପ୍ରତି ବର୍ଷ ସେଠାରେ କାଳୀ ପୂଜା ହେଉଥିବାରୁ ଟ୍ରାଫିକ ଜାମ୍ ହେବା ସହ ବହୁତ ଜନଗହଳି ହେଉଥିବା ମଧ୍ୟ ଲେଖା ଯାଇଛି। ମନ୍ଦିରର ଉଚ୍ଚତା ଅତି ଅଧିକ ଏବଂ ନିକଟରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରହିଥିବାରୁ ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବିଗିଡ଼ିପାରେ ବୋଲି ଚିଠିରେ ଦର୍ଶାଯାଇଛି । ତେବେ ଏନେଇ ଫ୍ରେଣ୍ଡସ ୟୁଥ ଆସୋସିଏସନ ତଥା କାଳୀ ପୂଜା ପାଳନ କମିଟି ସାଧାରଣ ସମ୍ପାଦକ ଶିବ ପଟ୍ଟନାୟକ ଓ ଉପସଭାପତି ଶିବାଜୀ ଦାସ କହିଛନ୍ତି ଯେ, ରାୟଗଡ଼ା ସହର ତତ୍କାଳୀନ କୋରାପୁଟ ଜିଲ୍ଲା ଅଧୀନରେ ରହିଥିବା ସମୟରେ ୧୯୮୨ ମସିହାରେ ଏହାର ପଞ୍ଜୀକରଣ କରାଯାଇଛି। ଏହାର ପଞ୍ଜୀକରଣ ସଂଖ୍ୟା ହେଉଛି କେପିପି ୧୬୦/୨୧ ।
ଏହି ପଞ୍ଜୀକରଣକୁ ଦୃଷ୍ଟିରେ ରଖି ସାଂସଦ ଉନ୍ନୟନ ପାଣ୍ଠି ଓ ବିଧାୟକ ପାଣ୍ଠିରୁ ମନ୍ଦିରର ବିକାଶ ପାଇଁ ଅନୁଦାନ ମଧ୍ୟ ମିଳିଛି। ତେଣୁ ଜିଲ୍ଲା ପୁଲିସ ବିଭାଗ କେଉଁ ଆଧାରରେ ଏହାକୁ ବେଆଇନ ଏବଂ ବିପଦ ବୋଲି ଘୋଷଣା କରିଛି। ସେମାନେ କହିଛନ୍ତି ଯେ, ଦୀର୍ଘ ବର୍ଷର କାଳୀ ପୂଜାରେ କେବେ କୌଣସି ଅଘଟଣ ଘଟିନାହିଁ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପୁଲିସ କେଉଁ ଉଦ୍ଦେଶ୍ୟରେ ମନ୍ଦିର ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ତାହା ତଦନ୍ତ ସାପେକ୍ଷ । ତେବେ ପ୍ରଶାସନର ଏହି କାର୍ଯ୍ୟ ପାଇଁ ଭକ୍ତ, ଶ୍ରଦ୍ଧାଳୁ ଓ ଧର୍ମାବଲମ୍ବୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଏନେଇ ଏସପି ବିବେକାନନ୍ଦ ଶର୍ମାଙ୍କୁ ପଚାରିବାରୁ ସୁରକ୍ଷା ଦୃଷ୍ଟିରୁ କେବଳ ଏକ ଅନୁଧ୍ୟାନ କରାଯାଉଛି । ନିକଟରେ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ବାସଗୃହ ରହୁଥିବାରୁ ସୁରକ୍ଷା ଦୃଷ୍ଟିରୁ ତଦନ୍ତ କରାଯାଉଛି । ମନ୍ଦିର ଭାଙ୍ଗିବା ତଥା କୌଣସି ଧର୍ମ ପ୍ରତି ଆଙ୍ଗୁଠି ଉଠାଇବା ଆମର ଉଦ୍ଦେଶ୍ୟ ନାହିଁ ବୋଲି ଏସପି ଶ୍ରୀ ଶର୍ମା କହିଛନ୍ତି । ଯଦି ପ୍ରସିଦ୍ଧ କାଳୀ ମନ୍ଦିରର କୌଣସି ମଧ୍ୟ କ୍ଷତି କରିବାକୁ ଜିଲ୍ଲା ପ୍ରଶାସନ ଏବଂ ଜିଲା ପୋଲିସ ଚେଷ୍ଟା କରେ ତେବେ ଫ୍ରେଣ୍ଡସ ୟୁଥ ଆସୋସିଏସନ ସମେତ ସହରର ସମସ୍ତ ଜନସାଧାରଣ ଓ ଶ୍ରଦ୍ଧାଳୁ ଏହାକୁ ଦୃଢ଼ ବିରୋଧ କରିବା ସହ ଆବଶ୍ୟକ ପଡ଼ିଲେ ଆଇନକୁ ହାତକୁ ନେବାକୁ ପଛାଇବେ ନାହିଁ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି । ଏ ନେଇ ଆଜି ସନ୍ଧ୍ୟାରେ ମନ୍ଦିର ପରିସରରେ ସହର ବୁଦ୍ଧିଜୀବି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ପୁଲିସ ଓ ପ୍ରଶାସନର ଏହିଭଳି କାର୍ଯ୍ୟକୁ ନିନ୍ଦା କରାଯିବା ସହ , ଆସନ୍ତା ସୋମବାର ଦିନ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ ଦାଖଲ କରିବା ପାଇଁ ନିଷ୍ପତ୍ତି ଗ୍ରହଣ ହୋଇଥିଲା। ଏହି ବୈଠକରେ ମନ୍ଦିର ପରିଚାଳନା କମିଟି ଉପସଭାପତି ଶିବାଜୀ ଦାସ ଅଧ୍ୟକ୍ଷତା କରିଥିଲେ।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *