Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଟିକିରି ବନାଞ୍ଚଳ ପକ୍ଷରୁ ସମୂହ ଚାରା ରୋପଣ: ପ୍ରଥମ ଦିନରେ ଲାଗିଲା ୩୦୦୦ ଚାରା

1 min read

ରାୟଗଡା (ସଖପ୍ର): ୭୪ ତମ ବନ ମହୋତ୍ସବ ପାଳନ ଉପଲକ୍ଷେ କାଶୀପୁର ବ୍ଳକ ଟିକିରି ବନାଞ୍ଚଳ ପକ୍ଷରୁ ଆଜି ବିଭିନ୍ନ ତିନୋଟି ସ୍ଥାନରେ ବିଭିନ୍ନ ପ୍ରକାରର ତିନି ହଜାର ଚାରା ରୋପଣ କରାଯାଇଛି । ଟିକିରି ପଞ୍ଚାୟତର ପିତାଯୋଡ଼ି, ଗୋରଖପୁର ପଞ୍ଚାୟତ ସଦରସ୍ଥିତ କଲ୍ୟାଣ ବିଭାଗର ଆବାସିକ ଉଚ୍ଚବିଦ୍ୟାଳୟ ପରିସରରେ ଏବଂ ବାଙ୍କାମ୍ବ ପଞ୍ଚାୟତ କିନ୍ଦିରି ପଦର ଗ୍ରାମ ନିକଟରେ ଥିବା ପାହାଡ଼ରେ ଚାରା ରୋପଣ କରାଯାଇଥିଲା । ଟିକିରି ବନପାଳ ଡମ୍ବୁରୁଧର ସେନାପତିଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଏସିଏଫ ଦିବ୍ୟ ମାଧୁରୀ ସେଠୀ ସହିତ ସ୍ଥାନୀୟ ସରପଞ୍ଚ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏସ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ବନ ମହୋତ୍ସବ ପାଳନ ସମ୍ପର୍କରେ ଉପସ୍ଥିତ ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯାଇ ପରିବେଶ ସୁରକ୍ଷାରେ ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃ ଦଶଟି ଚାରା ରୋପଣ ପାଇଁ କୁହାଯାଇଥିଲା । ମୁଖ୍ୟ ଅତିଥି ଦିବ୍ୟ ମାଧୁରୀ ସେଠୀଙ୍କ ସହିତ ଅନ୍ୟ ଅତିଥି ଏବଂ ଛାତ୍ରଛାତ୍ରୀମାନେ ଚାରା ରୋପଣ କରିଥିଲେ । ସେହିପରି ଟିକିରି ବନାଞ୍ଚଳ କାର୍ଯ୍ୟାଳୟରେ ସୁଲଭ ମୂଲ୍ୟରେ ଫଳନ୍ତି ଚାରା ସହିତ ସିରିସ, କରଞ୍ଜ, ଶିଶୁ ଭଳି ବିଭିନ୍ନ ପ୍ରକାର ଚାରା ଉପଲବ୍ଧ ହେଉଥିବାର ସୂଚନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମର ପରିଚାଳନାରେ ଟିକିରି ବନାଞ୍ଚଳର ବନରକ୍ଷୀ ସହିତ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ ।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ପ୍ରତିନିଧିଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *