Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଓଏସ୍ଆରଟିସି ବସଷ୍ଟାଣ୍ଡ କାର୍ଯ୍ୟ ତୁରନ୍ତ ସାରିବାକୁ ରାଜ୍ୟପାଳ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

1 min read

କୋରାପୁଟ (ସଖପ୍ର) : ଜୟପୁରରେ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ି ରହିଥିବା ଓଏସଆରଟି ବସଷ୍ଟାଣ୍ଡ ତୁରନ୍ତ ନିର୍ମାଣ ନେଇ ଆଜି କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ଜୟପୁର ଜନ କଲ୍ୟାଣ ମଞ୍ଚ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ପତ୍ରରେ ଦର୍ଶାଯାଇଛି ଯେ, ଜୟପୁର ସହର ହେଉଛି ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରାଣକେନ୍ଦ୍ର । ସେହିପରି ଏହି ସହରରେ ରହିଥିବା ବସଷ୍ଟାଣ୍ଡକୁ ମଧ୍ୟ ଓଡ଼ିଶା ସହ ଆନ୍ଦ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ର ବହୁ ଅଂଚଳ ବାସିନ୍ଦା ନିର୍ଭର କରନ୍ତି । ଏଠାରୁ ବିଭିନ୍ନ ରାଜ୍ୟ ରାଜଧାନୀ ବିଶେଷ କରି ରାୟପୁର, ହାଇଦ୍ରାବାଦ, ଭୁବନେଶ୍ୱର ସହ ବିଜୟୱାଡା, ବିଶାଖାପାଟଣା ଭଳି ସହରକୁ ଯାତ୍ରୀବାହି ବସ ଚଳାଚଳ କରେ । ପ୍ରତ୍ୟେହ ଶହ ଶହ ବସର ହଜାର ହଜାର ଯାତ୍ରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏଠାରେ ଏକ ବିଶ୍ୱସ୍ତରୀୟ ବସ ଟର୍ମିନାଲ ପ୍ରତିଷ୍ଠା ନିଷ୍ପତ୍ତି ନେଇଥିଲେ । ଏପରିକି ୧୨ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳ କରି ରାଜ୍ୟ ପରିବହନ ନିଗମ ଅଧୀନରେ ରହିଥିବା ଜମି ମଧ୍ୟ ଯୋଗାଇ ଦେଇଥିଲେ । ନିଜେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୩-୧୨-୨୦୧୬ ମସିହାରେ ଜୟପୁର ଆସି ଏହାର ଶୁଭ ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟ ୭ ବର୍ଷ ବିତିଯାଇଥିଲେ ବି ଲୋକଙ୍କୁ ଏହି ବସଷ୍ଟାଣ୍ଡର ସୁବିଧା ମିଳୁ ନାହିଁ । ଫଳରେ ପ୍ରତିଦିନ ବସଯାତ୍ରୀ ମାନେ ନାନା ଦୁର୍ଦ୍ଦଶାର ସମ୍ମୁଖିନ ହୋଇଚାଲିଛନ୍ତି । ଯାହାକି ଭାରତ ଭଳି ଏକ ଜନମଙ୍ଗଳ ରାଷ୍ଟ୍ର ପାଇଁ ଶୋଭନୀୟ ନୁହେଁ । କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ନିଜେ ଶୁଭ ଦେଇଥିବା ଏହି କାର୍ଯ୍ୟକୁ ବିଳମ୍ବ କରୁଥିବାରୁ ଏହା ମୁଖ୍ୟମନ୍ତ୍ରୀଙ୍କ ଆଦେଶ ପ୍ରତି ଅପମାନ, ତେଣୁ କାର୍ଯ୍ୟ ନିର୍ବାହୀ ସଂସ୍ଥା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଦାବି କରିଛି ଆଜି ମଞ୍ଚ । ଏହି ପତ୍ର ପ୍ରଦାନ ବେଳେ ରାଜେନ୍ଦ୍ର କୁମାର ଗୌଡ଼, ବାଲା ରାୟ, ଚନ୍ଦ୍ରକାନ୍ତ ସୁତାର, ଟି ଗୌରି ଶଙ୍କର, ପ୍ରଦୀପ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।‍‌‍‌

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *