Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଅନୁଗୁଳ ଏସ୍‌ଡିପିଓଙ୍କ ବିରୋଧରେ ଆସିଛି ପରକୀୟାପ୍ରୀତିର ସଙ୍ଗିନ ଅଭିଯୋଗ

1 min read

ଭୁବନେଶ୍ବର(ସଖପ୍ର): ଅନୁଗୁଳ ଏସ୍‌ଡିପିଓ ଅଶ୍ବିନୀ କୁମାର ସାହୁଙ୍କ ବିରୋଧରେ ଆସିଛି ପରକୀୟାର ସଙ୍ଗିନ ଅଭିଯୋଗ। ସେ ଜଣେ ମହିଳା ଇନ୍ସପେକ୍ଟରଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ନେଇ ଅଭିଯୋଗ କରିଛନ୍ତି ପତ୍ନୀ ମମତା। ଏହି ଅଭିଯୋଗକୁ ପୁଷ୍ଟି କରୁଛି ଅଶ୍ୱିନୀ ଓ ମହିଳା ଆଇଆଇସିଙ୍କ ରୋମନ୍ସର ଏକ ଭାଇରାଲ୍ ଭିଡିଓ। ପ୍ରାୟ ଦେଢ଼ ମିନିଟର ଏହି ଭିଡିଓ ଏବେ ଆଲୋଡ଼ନ ସୃଷ୍ଟି କରିଛି। ତେବେ ଏହି ଭିଡିଓ କିଏ ରେକର୍ଡିଂ କରିଛି ଓ କିଏ ଭାଇରାଲ୍ କରିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ମିଳିଥିବା ସୂଚନା ଅନୁସାରେ, ଅଶ୍ୱିନୀ ଏବେ ଅନୁଗୁଳ ଏସ୍‌ଡିପିଓ ଭାବେ କାର୍ଯ୍ୟରତ ଥିବାବେଳେ ତାଙ୍କ ପ୍ରେମିକା କୁହାଯାଉଥିବା ମହିଳା ଇନ୍ସପେକ୍ଟର ଜଣକ ମୟୂରଭଞ୍ଜ ଜିଲାର ଏକ ଥାନାରେ ଆଇଆଇସି ଭାବେ କାର୍ଯ୍ୟ କରୁଛନ୍ତି। ଦୁଇ ବରିଷ୍ଠ ପୁଲିସ ଅଧିକାରୀଙ୍କ ଏ ପ୍ରେମ କାହାଣୀ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିବା ବେଳେ ଏହା ପୁଲିସ ମହଲରେ କମ୍ପନ ସୃଷ୍ଟି କରିଛି। ଭିଡିଓ ଭାଇରାଲ୍ ପରେ ଅଶ୍ୱିନୀଙ୍କ ପତ୍ନୀ ମମତା ସାହୁ ଆଜି ଗଣମାଧ୍ୟମକୁ କହିଛନ୍ତି, ୨୦୦୪ରେ ବୈଦିକ ରୀତିନୀତିରେ ସେମାନଙ୍କର ବିବାହ ହୋଇଥିଲା । ପ୍ରାୟ ୭ ବର୍ଷ ପର୍ଯ୍ୟନ୍ତ ସବୁ କିଛି ଠିକ୍‌ଠାକ୍ ଚାଲିଥିଲା। ହେଲେ ୨୦୧୧ ମସିହାରେ ଯାଜପୁର ଟାଉନ ଥାନାରେ ଅଶ୍ୱିନୀଙ୍କ ପୋଷ୍ଟିଂ ପରେ ବୈବାହିକ ସମ୍ପର୍କରେ ତିକ୍ତତା ଆସିଥିଲା। ସେତେବେଳେ ଥାନାରେ କାର୍ଯ୍ୟରତ ତତ୍କାଳୀନ ମହିଳା ସବ୍‌ଇନ୍ସପେକ୍ଟର(ଏବେ ଇନ୍ସପେକ୍ଟର)ଙ୍କ ସହ ଅଶ୍ୱିନୀଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଧୀରେ ଧୀରେ ଏହି ପ୍ରେମ ସମ୍ପର୍କକୁ ନେଇ ପୁଲିସ ମହଲରେ ଆଲୋଚନା ହେବା ପରେ ମମତା ମଧ୍ୟ ଜାଣିବକୁ ପାଇଥିଲେ। ସେ ଏ ନେଇ ଆପତ୍ତି ଉଠାଇବା ସହ ସ୍ବାମୀ ଅଶ୍ବିନୀଙ୍କୁ ଏଥିପାଇଁ ବାରଣ କରିଥିଲେ। ହେଲେ ଏହାକୁ ପ୍ରଫେସନାଲ ସଂପର୍କ କହି ଅଶ୍ବିନୀ କଥାକୁ ଏଡାଇ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ମମତା। ମମତା ଆହୁରି କହିଛନ୍ତି; ସେ ଘରେ ନ ଥିବା ସମୟରେ ସ୍ବାମୀ ଅଶ୍ବିନୀ ସଂପୃକ୍ତ ମହିଳା ସବ୍‌ଇନ୍ସପେକ୍ଟରଙ୍କୁ ସରକାରୀ କ୍ୱାଟର୍ସକୁ ଆଣନ୍ତି। ତିନିଚାରି ଦିନ ଏକାଠି ରହନ୍ତି। ଏପରିକି ଉଭୟଙ୍କ ରୋମାନ୍ସ ସମୟର ଭିଡିଓ ମଧ୍ୟ କରିଛନ୍ତି। ପରେ ମହିଳା ସବ୍‌ଇନ୍ସପେକ୍ଟର ଇନ୍ସପେକ୍ଟର ଭାବେ ପଦୋନ୍ନତି ପାଇ ମୟୂରଭଞ୍ଜ ଜିଲ୍ଲାକୁ ବଦଳି ହୋଇ ଯାଇଥିବାବେଳେ ଅଶ୍ୱିନୀଙ୍କର ଗଂଜାମ ଜିଲ୍ଲାକୁ ବଦଳି ହୋଇଥିଲା। ଉଭୟ ଦୁଇ ଭିନ୍ନ ଜିଲ୍ଲାରେ ରହୁଥିଲେ ବି ବହୁତ ସମୟ ଛୁଟି ନେଇ ଏକାଠି ମିଳାମିଶା କରନ୍ତି। ଏ ସବୁକୁ ବିରୋଧ କରିବାରୁ ସେ ମମତାଙ୍କୁ ବର୍ଦ୍ଦିର ଭୟ ଦେଖାନ୍ତି। ଏପିରିକି ତାଙ୍କୁ ଏଥିପାଇଁ ଏକାଧିକ ଥର ମାଡ଼ ମଧ୍ୟ ମାରିଛନ୍ତି। ମମତ‌ା କହିଛନ୍ତ, ‌‌’ସେ ମୋ ଅଜାଣତରେ କୋର୍ଟରେ ଛାଡ଼ପତ୍ର ଫାଇଲ କରିଛନ୍ତି। ଏହାକୁ ମୁଁ କେବେ ବି ଚାହୁଁ ନ ଥିଲି। କାରଣ ମୋ ପୁଅ ଏବେ ବଡ଼ ହୋଇଗଲାଣି।’ ତେଣୁ ଅଶ୍ୱିନୀ ଘରକୁ ଫେରି ଆସନ୍ତୁ ବୋଲି ଅନୁରୋଧ କରିଛନ୍ତି ମମତା । ଏଥିପାଇଁ ସେ ପୋଲିସ ଡିଜି, ମହିଳା କମିସନଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି। ହେଲେ ଇତିମଧ୍ୟରେ ଗୋଟିଏ ମାସ ବିତି ଯାଇଥିଲେ ବି ଏଯାଏ ତାଙ୍କୁ ନ୍ୟାୟ ମିଳି ନଥିବା ଅଭିଯୋଗ କରିଛନ୍ତି ମମତା। ଏ ସଂକ୍ରାନ୍ତରେ ଫୋନ୍ ଓ ଏସଏମଏସ ଯୋଗେ ଅଶ୍ବିନୀଙ୍କ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ କରାଯାଇଥିଲା, କିନ୍ତୁ ତାଙ୍କର କୌଣସି ଉତ୍ତର ମିଳି ନ ଥିଲା।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *