Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଭଦ୍ରକ ଜିଲ୍ଲାରେ କରୋନା ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି

1 min read

ଭଦ୍ରକ ୨୫/୪(ସଖପ୍ର): ଭଦ୍ରକ ଜିଲ୍ଲାରେ କ୍ରମାଗତ ଭାବେ ବଢିଚାଲିଛି କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଏହି ସଂକ୍ରମଣ ଚେନ୍‌କୁ ରୋକିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ପୋଲିସ ଡିଜି ଅଭୟ ଭଦ୍ରକ ଜିଲ୍ଲା ଗସ୍ତରେ ଆସି କୋଭିଡ଼ ସ୍ଥିତି ଓ ପୋଲିସର କାର୍ଯ୍ୟକ୍ରମ ନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ସମୀକ୍ଷା ବୈଠକ କରିଛନ୍ତି । ସମୀକ୍ଷା ବୈଠକରେ ଏଡିଜି ଯଶୱନ୍ତ ଜେଠୱା, ପୂର୍ବାଞ୍ଚଳ ଆଇଜି ଦୀପତେଶ ପଟ୍ଟନାୟକ ଓ ଭଦ୍ରକ ଏସପି ଚରଣ ସିଂ ମିନାଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । କରୋନା ମୁକାବିଲାରେ ଭଦ୍ରକ ପୋଲିସ ଭଲ କାର୍ଯ୍ୟକ୍ରମ କରିବା ସହିତ ଭଦ୍ରକ ଜନସାଧାରଣ ପୋଲିସ, ପ୍ରଶାସନକୁ ସହଯୋଗ କରୁଥିବା କଥା ଡିଜି ଅଭୟ କହିଛନ୍ତି । ସେହିପରି ସମୀକ୍ଷା ବୈଠକରେ ଉପସ୍ଥିତ ଥିବା ଏଡିଜି କହିଛନ୍ତି ଯେ, ଭଦ୍ରକ ଜ଼ିଲ୍ଲାର ବିଭିନ୍ନ ସୀମାକୁ ଜଗିବା ପାଇଁ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ୪୯ଟି ଟ୍ୟାଙ୍କର ଯୋଗେ ୮୬୯ ମେଟ୍ରିକ ଟନ ଅକ୍ସିଜେନ ଉତ୍ତରପ୍ରଦେଶ, ହରିୟାଣା , ମଧ୍ୟପ୍ରଦେଶ, ତେଲେଙ୍ଗାନା, ଦିଲ୍ଲୀ ଆଦି ରାଜ୍ୟକୁ ପଠାସରିଛି । ଏହି ସବୁ ଅକ୍ସିଜେନ ଅନୁଗୁଳ, ଯାଜପୁର, ଢେଙ୍କାନାଳ, ରାଉରକେଲା ଆଦି ସ୍ଥାନରୁ ପଠାଯାଉଛି । ପୋଲିସ ନେତୃତ୍ୱରେ ସୁରକ୍ଷିତ ଭାବେ ଅନ୍ୟ ରାଜ୍ୟର ସୀମା ପର୍ଯ୍ୟନ୍ତ ପଠାଇବାର ସୁବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଜ଼ିଲ୍ଲାର ଏସ୍‌ପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ମେଡିକାଲ ଅକ୍ସିଜେନକୁ ତଦାରଖ କରୁଥିବା କଥା ଏଡିଜି କହିଛନ୍ତି ।

ଭଦ୍ରକ ପ୍ରତିନିଧି ଆଶିଷ ରଞ୍ଜନ ପତି

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *