Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଆସନ୍ତା ଏପ୍ରିଲ ମାସରେ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ମହାସଂଘର ରାଷ୍ଟ୍ରୀୟ ଅଧିବେଶନ

1 min read

କୋରାପୁଟଜିଲ୍ଲା/ଜୟପୁର (ସଖପ୍ର): ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ମହାସଂଘର ୨୧ତମ ରାଷ୍ଟ୍ରୀୟ ଅଧିବେଶନ ଆସନ୍ତା ଏପ୍ରିଲ ୧୬,୧୭ ଓ ୧୮ ତାରିଖ ତିନିଦିନ ଧରି ଜୟପୁର ଫୁଲବାଡସ୍ଥିତ ଏମ୍‍.ଏସ୍‍.ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ପରିସରରେ ଅନୁଷ୍ଠିତ ହେବ ବୋଲି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ସଂଗଠନର ସଭାପତି ରବି ରଥ ଓ କେବିକେ ସମାଚାରର ସମ୍ପାଦକ ତଥା ରାଷ୍ଟ୍ରୀୟ କାର୍ଯ୍ୟକାରୀ କମିଟି ସଦସ୍ୟ ବିନୋଦ ମହାପାତ୍ର ସୂଚନା ଦେଇଛନ୍ତି ।ଏହି ଅଧିବେଶନରେ ଭାରତବର୍ଷର ବିଭିନ୍ନ ସ୍ଥାନରୁ ପ୍ରକାଶିତ ସମ୍ୱାଦପତ୍ରର ସମ୍ପାଦକମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । କରୋନା ମହାମାରୀ ସମୟରେ ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ଗତ ଦୁଇ ବର୍ଷରେ ଶହ ଶହ ସମ୍ୱାଦପତ୍ର ବନ୍ଦ ହୋଇଗଲାଣି । ସରକାର ବିଭିନ୍ନ ବର୍ଗର ଲୋକଙ୍କ ସହାୟତା ପାଇଁ ବହୁ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ଚତୁର୍ଥସ୍ତମ୍ଭ ଗଣମାଧ୍ୟମ ପ୍ରତି ଅବହେଳା ପ୍ରଦର୍ଶନ ପରିତାପର ବିଷୟ ହୋଇଛି । ଅନ୍ୟପଟେ ରାଜ୍ୟରେ କାର୍ଯ୍ୟରତ ସାମ୍ୱାଦିକ ସୁରକ୍ଷିତ ନୁହନ୍ତି । ପ୍ରତିଦିନ କେଉଁଠି ନା କେଉଁଠି ପ୍ରଭାବଶାଳୀ ଲୋକ ଓ ସରକାରୀ ପଦାଧିକାରୀଙ୍କ ଦ୍ୱାରା ଆକ୍ରମଣର ଶିକାର ହେଉଛନ୍ତି । ସାମ୍ୱାଦିକମାନଙ୍କ ସଂଗଠନ ଏ ଦିଗରେ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରୁନାହାନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା ରାଜ୍ୟ ସରକାର ସାମ୍ୱାଦିକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ କହୁଥିବା ବେଳେ ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ବ ଦିନ ଧରି ସାମ୍ୱାଦିକ ମାନଙ୍କୁ ରାଜ୍ୟ ସଚିବାଳୟକୁ ଯିବାକୁ ଅନୁମତି ଦିଆଯାଉନାହିଁ । ଏସବୁ ଦୃଷ୍ଟିକୋଣରୁ ଓଡିଶାର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ସମ୍ପାଦକ ଓ ପ୍ରକାଶକ ମାନଙ୍କୁ ନେଇ ଏକ ଶକ୍ତଶାଳୀ ମଞ୍ଚ ଗଠନ ସହ ଏହାର ଦୃଢ ପ୍ରତିବାଦର ଆବଶ୍ୟକତା ରହିଛି । କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ସମ୍ପାଦକମାନଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ସହ ବୀମାରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି , ଓଡିଶାରେ ସାମ୍ୱାଦିକ ପେନସନ ଓ ସାମ୍ୱାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯିବା ସମ୍ପର୍କରେ ବ୍ୟାପକ ବିଚାର ବିମର୍ଷ କରାଯିବ । ଏହି ଅବସରରେ କେନ୍ଦ୍ର ଓ ରାଜ୍ୟର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ ବୋଲି ମହାସଂଘର ରାଜ୍ୟ ସଭାପତି ରବି ରଥ ଓ ରାଷ୍ଟ୍ରୀୟ କାର୍ଯ୍ୟକାରୀ କମିଟି ସଦସ୍ୟ ବିନୋଦ ମହାପାତ୍ର ପ୍ରକାଶ କରିଛନ୍ତି ।

ଜୟପୁର ପ୍ରତିନିଧି ନୀଳମାଧବ ରଥ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *