ଜୟପୁରରେ ସହୀଦ ଲକ୍ଷ୍ମଣ ନାୟକ ପଥୋତ୍ସବର ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଜୟପୁର: ଆଜି ଜୟପୁର ଆଇ,ଟି,ଡିଏ ସମ୍ମିଳନୀ କକ୍ଷରେ ୧୦ତାରିଖରେ ହେବାକୁ ଥିବା ପଥୋତ୍ସବ କାର୍ଯ୍ୟକ୍ରମର ପୂର୍ବପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ସହରରେ ରହିଥିବା ବିଭିନ୍ନ ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବାପାଇଁ ତଥା ବିକଶିତ କରାଇବା ପାଇଁ ଏହା ସହିଦ ଲକ୍ଷ୍ମଣ ନାୟକ ପଥୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜୟପୁର ଉପଜିଲ୍ଲାପାଳ ଲୋକନାଥ ଦଳବେହେରା କହିଛନ୍ତି।ଉପଜିଲ୍ଲାପାଳ ଶ୍ରୀ ଦଳବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସହରର ବୁଦ୍ଧିଜୀବି,କଳାକାର,କ୍ରୀଡାପ୍ରେମୀ ତଥା ମାନ୍ୟଗଣ୍ୟ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ।ଆସନ୍ତା ୧୦ତାରିଖ ଦିନ ସକାଳ ୭ଟାରୁ ଆରମ୍ଭ ହୋଇ ୧୧ଟା ପର୍ଯ୍ୟନ୍ତ ଜୟପୁର ସହର ମୁଖ୍ୟରାସ୍ତାର ରାଜନଅର ଛକଠାରୁ ବାଙ୍କମଠ ପର୍ଯ୍ୟନ୍ତ ପଥୋତ୍ସବର ଆୟୋଜନ କରାଯିବ।ଏହି ସମୟରେ ସହରର ମୁଖ୍ୟରାସ୍ତାରେ ଯାନବାହାନ ଚଳାଚଳକୁ ସଂପୂର୍ଣ୍ଣ ବନ୍ଦ କରାଯିବ।ପଥୋତ୍ସବରେ କେଉଁ କେଉଁ କାର୍ଯ୍ୟକ୍ରମ ଆୟୋଜନ କରାଯିବ ଏହାର ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରାଯାଇଥିଲା।ଆସନ୍ତା ୧୦ତାରିଖରେ ଯେଉଁଦଳ ଭାଗନେବେ ସେମାନେ ଆସନ୍ତା ୭ତାରିଖରେ ନିଜ ନାମ ପଞ୍ଜିକୃତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।ଆଜିର ଏହି ବୈଠକରେ କାର୍ଯ୍ୟନିର୍ବାହୀ ଅଧିକାରୀ ଗୋପିନାଥ ସାରକା, ଏସ,ଡି,ପି,ଓ ବରୁଣ ଗୁଣ୍ଟପାଲି, ତହସିଲଦାର ମାତାରାମ ଲେହେଙ୍ଗି, ଟାଉନଥାନା ଅଧିକାରୀ ବାଲେଶ୍ୱର ଗିଧି , ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ପୀତବାସ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।