ଗିରଫ ହେଲା ନକଲି ଶିକ୍ଷା ଅଧିକାରୀ
ରାୟଗଡ଼ା ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ ଶିକ୍ଷା ଅଧିକାରୀ ତ ଆଉ କେତେବେଳେ ଶିଶୁ କଲ୍ୟାଣ ଅଧିକାରୀ ପରିଚୟ ଦେଇ ବେଆଇନ ଭାବରେ ଟଙ୍କା ଆଦାୟ କରୁଥିବା ଜଣେ ନକଲି ଅଧିକାରକୁ ରାୟଗଡା ଜିଲ୍ଲା ଵିଷମକଟକ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେ ହେଲା କୋଳନରା ବ୍ଲକ ଖେଦାପଡ଼ା ଗ୍ରାମର ଭୀମ ଗାଣ୍ଟା ବୋଲି ଜଣାପଡିଛି । ମଙ୍ଗଳବାର ଵିଷମକଟକ ବ୍ଲକ ସାନ ସର୍ତ୍ତେଲି ପ୍ରାଥମିକ ସ୍କୁଲକୁ ଯାଇ ଜିଲ୍ଲା ଶିକ୍ଷା ବିଭାଗର ଅଧିକାରୀ କହି ଶିକ୍ଷୟତ୍ରୀଙ୍କୁ ବିଦ୍ୟାଳୟ ସମ୍ଭନ୍ଧୀୟ ପ୍ରଶ୍ନ କରିବା ସହ ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲା । ଏଥିସହ ବିଦ୍ୟାଳୟରେ ବିଭିନ୍ନ ତ୍ରୁଟି ରହିଛି ତୁମକୁ ଚାକିରିରୁ ନିଲମ୍ବିତ କରାଯିବ ବୋଲି ଭୟ ଦେଖାଇଥିଲା । ତେବେ କାର୍ଯ୍ୟାନୁଷ୍ଠାନ ନନେବା ଲାଗି ଛଅ ହଜାର ଟଙ୍କା ଦାବି କରି ଅଡୁଆରେ ପଡିଥିଲା ଏହି ନକଲି ଅଧିକାରୀ ।
ଦାୟିତ୍ବରେ ଥିବା ଶିକ୍ଷୟତ୍ରୀଙ୍କ ମନରେ ସନ୍ଦେହ ହୋଇଥିଲା । ତେବେ ନକଲି ଅଧିକାରୀକୁ ପାନେ ଦେବାଲାଗି ଚତୁରତାର ସହ ଟଙ୍କା ନେବାକୁ ଆସନ୍ତା କାଲି ଆସନ୍ତୁ ବୋଲି ଶିକ୍ଷତ୍ରୀ କହିଥିଲେ । ଏହାପରେ ଶିକ୍ଷୟତ୍ରୀ ବିଦ୍ୟାଳୟ କମିଟି ଓ ଗ୍ରାମବାସୀଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ ।
ପରଦିନ ନକଲି ଅଧିକାରୀ ଟଙ୍କା ନେବାକୁ ଆସିବାରୁ ପୂର୍ବ ଯୋଜନା ମୁତାବକ ଗ୍ରାମବାସୀ ତାକୁ କାବୁ କରିବା ସହ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିକୁ ଥାନାକୁ ଆଣି ପଚରା ଉଚରା କରିଥିଲା । ଏନେଇ ବିଦ୍ୟାଳୟ କମିଟି ତରଫରୁ ଲିଖିତ ଅଭିଯୋଗ ପରେ ଭୀମ ଗାଣ୍ଟା ନାମରେ ମାମଲା ରୁଜୁ କରି କୋର୍ଟ ତାକୁ ଚାଲାଣ କରାଯାଇଛି ବୋଲି ରାୟଗଡା ଏସପି ସୂଚନା ଦେଇଛନ୍ତି