ଡୁଡୁମା ଜଳପ୍ରପାତ ନିକଟରୁ ଶୁଭାରମ୍ଭ ହେବ ‘ପରବ-୨୦୧୯’
କୋରାପୁଟ:୨୬/୦୯/୨୦୧୯: ଆସନ୍ତା ଅକ୍ଟୋବର ୨୦ରେ ଅନୁଷ୍ଠିତ ହେବ କୋରାପୁଟର ପ୍ରସିଦ୍ଧ ଜାତୀୟ ସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ-୨୦୧୯’ । ଚଳିତ ବର୍ଷ ଉତ୍ସବକୁ ଲମତାପୁଟ ବ୍ଲକ ଅନ୍ତର୍ଗତ ଡୁଡୁମା ଜଳପ୍ରପାତ ନିକଟରୁ ଶୁଭାରମ୍ଭ କରାଯିବ ।
କୋରାପୁଟ: ଆସନ୍ତା ଅକ୍ଟୋବର ୨୦ରେ ଅନୁଷ୍ଠିତ ହେବ କୋରାପୁଟର ପ୍ରସିଦ୍ଧ ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ-୨୦୧୯’ । ଚଳିତ ବର୍ଷ ଉତ୍ସବକୁ ଲମତାପୁଟ ବ୍ଲକ ଅନ୍ତର୍ଗତ ଡୁଡୁମା ଜଳପ୍ରପାତ ନିକଟରୁ ଶୁଭାରମ୍ଭ କରାଯିବ । ଏନେଇ ବୁଧବାର କୋରାପୁଟ ସଦଭାବନା ସଭାଗୃହରେ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଆୟୋଜିତ ସଭାରେ ନିଷ୍ପତ୍ତି ନିଆଯାଇଛି ।
ସୂଚନା ଅନୁଯାୟୀ, ୧୯୯୬ରେ କୋରାପୁଟ ଜିଲ୍ଲାର ଲୁକ୍କାୟିତ ପ୍ରତିଭା ଅନ୍ବେଷଣ ପାଇଁ ଆରମ୍ଭ କରାଯାଇଥିବା ଏହି ଉତ୍ସବର ଶୁଭାରମ୍ଭ କୌଣସି ଏକ ପର୍ଯ୍ୟଟନ କ୍ଷେତ୍ରରୁ ଆରମ୍ଭ କରିବାର ପରମ୍ପରା ରହି ଆସିଛି । ଏହି କ୍ରମରେ ଚଳିତ ବର୍ଷର ଉତ୍ସବକୁ ଲମତାପୁଟ ବ୍ଲକ ଅନ୍ତର୍ଗତ ଡୁଡୁମା ଜଳପ୍ରପାତ ନିକଟରୁ ଶୁଭାରମ୍ଭ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି ।
ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ବୁଧବାର ଆୟୋଜିତ ଏହି ସଭାରେ ପରବକୁ କେବଳ କିଛି ସ୍ଥାନରେ ସୀମିତ ନରଖି ପ୍ରତି ପଞ୍ଚାୟତସ୍ତରରୁ ଆରମ୍ଭ କରି ବ୍ଲକ ଓ ପରିଶେଷରେ ଜିଲ୍ଲା ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଓ ପ୍ରଦର୍ଶନ ମାଧ୍ୟମରେ ପାଳନ କରିବା ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଛି
ତେବେ ଗତବର୍ଷ ଏହି ଉତ୍ସବ ପାଳନ ପାଇଁ ବିଭିନ୍ନ ମାଧ୍ୟମରେ ୯୯ ଲକ୍ଷ ୫୨ ହଜାର ୯୬୪ ଟଙ୍କା ସଂଗ୍ରହ କରାଯାଇଥିବା ବେଳେ ୫୨ ଲକ୍ଷ ୫୨ ହଜାର ୧୩୦ ଟଙ୍କା ଖର୍ଚ୍ଚ ହୋଇଥିବା ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ ସେଠୀ ସୂଚନା ଦେଇଛନ୍ତି । ତେବେ ପରବ ଭଳି ଏକ ଜାତୀୟସ୍ତରର ଉତ୍ସବ ପାଳନ କରିବା ପାଇଁ ଅର୍ଥ ବାଧକ ହେବ ନାହିଁ ବୋଲି ଜିଲ୍ଲାପାଳ ମିଶ୍ର ମତ ରଖିଛନ୍ତି ।