ଅବହେଳିତ ଓ ନିଷ୍ପେସିତର ଗାଁ କୁଞ୍ଜରବାହାଳ ହୁଡ଼ିସାହି,
କେନ୍ଦୁଝର,୨୫/୯ସଦର ବ୍ଲକ୍ ଅନ୍ତର୍ଗତ କଣ୍ଡରାପଶି ପଞ୍ଚାୟତର କୁଞ୍ଜରବାହାଳ ହୁଡ଼ିସାହିର ଜନସାଧାରଣ ସମସ୍ୟା ଘେରରେ ଜର୍ଜରିତ ହେଉଥିବା ଦେଖିବାକୁ ମିଳିଛି । ପ୍ରାୟ ୧୮ରୁ ଉର୍ଦ୍ଧ୍ବ ଆଦିବାସୀ ପରିବାର ଏଠାରେ ବାସ କରୁଥିବା ବେଳେ ସେମାନଙ୍କ ପାଇଁ ସରକାରୀ ଯୋଜନା ସଠିକ ଭାବେ ପହଞ୍ଚି ପାରୁନାହିଁ । ରାସ୍ତାଘାଟ, ପାନୀୟଜଳ,ଆବାସ ଯୋଜନା,ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା,ଉଜ୍ଜ୍ୱଳା ଯୋଜନା,ପାଇଖାନା ଆଦିରୁ ବଞ୍ଚିତ ହୋଇଛନ୍ତି ଏମାନେ । କେନ୍ଦ୍ର ଓ ରାଜ୍ୟ ସରକାର ଗମନାଗମନର ସୁବିଧା ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ କୁଞ୍ଜରବାହାଳ ହୁଡ଼ି ସାହିକୁ ସବୁଦିନିଆ ରାସ୍ତାଟିଏ ନଥିବା ପରିତାପର ବିଷୟ ।
ରାସ୍ତା ନଥିବା ଯୋଗୁଁ ସାହିଲୋକେ ଯମ ଯନ୍ତ୍ରଣା ଭୋଗୁଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । ଉକ୍ତ ସାହିକୁ ଚଲାପଥ ଏକମାତ୍ର ବିକଳ୍ପ ହୋଇଥିବା ବେଳେ ରୋଗୀକୁ ଡାକ୍ତରଖାନା ନେବାକୁ ହେଲେ ସାହିକୁ ଆମ୍ବୁଲାନ୍ସ ନଆସିପାରି ନିକଟସ୍ଥ ମଧୁପୁର ଗାଁ ମୁଣ୍ଡରେ ଅପେକ୍ଷା କରେ । ତେବେ ମନରେଗା ଯୋଜନାରେ ଏକ ମାଟିରାସ୍ତା ପାଞ୍ଚବର୍ଷ ତଳୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲେ ହେଁ ତାହା ଅଧପନ୍ତରିଆ ହୋଇ ପଡିରହିଛି ।
ଅପରପକ୍ଷରେ ଏଠାକାର ବାସିନ୍ଦାଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ସାତସପନ ହୋଇପଡିଛି । ଏବେବି ନାଳରୁ ଚୁଆ ପାଣି ବ୍ୟବହାର କରୁଥିବା କହିଛନ୍ତି ଉକ୍ତ ସାହିର ସିଦ୍ଧୁ ଲେୟାଙ୍ଗୀ, ସିଙ୍ଗରାୟ ଲେୟାଙ୍ଗୀ, ମାଟୁ ମୁଣ୍ଡା, ରାମ ମୁଣ୍ଡା, ସମରା ମୁଣ୍ଡା । ଯାହାଫଳରେ କି ବହୁ ସମୟରେ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି ସାହିଲୋକେ । ଏଠାରେ ସମସ୍ତେ ଗରୀବ ଆଦିବାସୀ ଶ୍ରେଣୀର ଲୋକେ ବାସ କରୁଥିଲେ ମଧ୍ୟ ଆବାସ ଯୋଜନା ଅନେକ ହିତାଧିକାରୀଙ୍କୁ ପହଞ୍ଚି ପାରିନାହିଁ । ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତାରୁ ଅନେକ ବଞ୍ଚିତ ଥିବା ବେଳେ ପଞ୍ଚାୟତ ପକ୍ଷରୁ ସେମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି । ପ୍ରଶାସନ ଅଧିକାରୀଙ୍କ ଉହାଡରେ ରହିଯାଇଥିବା ଉକ୍ତ ସାହିରେ ଗର୍ଭବତୀ ମହିଳା ଓ ଛୋଟ ଛୋଟ ଶିଶୁମାନେ ନିଷ୍ପେସିତ ଅବସ୍ଥାରେ ରହୁଥିବା ଅଭିଯୋଗ ହେଉଛି । ଅଙ୍ଗନବାଡି କେନ୍ଦ୍ର ଦୂରରେ ରହିଥିବା ହେତୁ ଛୋଟ ଛୋଟ ପିଲା ମାନେ ଜଙ୍ଗଲୀ ରାସ୍ତା ଦେଇ ଯାଇପାରୁନାହାଁନ୍ତି । ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ମଧ୍ୟ ସମଦୁର୍ଦ୍ଦଶା ପରିଲକ୍ଷିତ ହେଉଛି । ଯାହାଫଳରେ ପୃଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ହୋଇ ପୃଷ୍ଟିହୀନତାର ଶିକାର ହେଉଛନ୍ତି । ତେଣୁ ଉକ୍ତ ସାହିରେ ଏକ ମିନି ଅଙ୍ଗନବାଡି ନିର୍ମାଣ କରାଯିବାକୁ ସାହି ଲୋକେ ଦାବି କରିଛନ୍ତି । ସେହିପରି ସୌଭାଗ୍ୟ ଯୋଜନା ଏଠି ପ୍ରହସନ ପାଲଟିଛି । ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ତରବରିଆ ଭାବେ ଖୁଣ୍ଟ ପୋତି ଟ୍ରାନ୍ସଫର୍ମର ଓ ତାର ଟାଣିଦେଇ ଜନୈକ ଠିକାଦାର ଜଣକ ଛୁ’ ମାରିଛି । ଫଳରେ ସାହିବାସୀଙ୍କ ବିଜୁଳୀ ଆଲୁଅ ଦେଖିବା ସ୍ୱପ୍ନରେ ରହିଯାଇଛି । ଏଣୁ ଉକ୍ତ ସମସ୍ୟା ଗୁଡ଼ିକ ଜିଲ୍ଲା ପ୍ରଶାସନ ଦ୍ୱାରା ସମାଧାନ କରାଯିବାକୁ ହୁଡ଼ିସାହି ଜନସାଧାରଣ ଦାବି କରିଛନ୍ତି ।
ଝୁମ୍ପୁରାରୁ= ରଶ୍ମିତା ନାଏକଙ୍କରିପୋର୍ଟ