ମୋବାଇଲ ଠାରୁ ଦୁରେଇ ରୁହ: ଗଣଶିକ୍ଷା ମନ୍ତ୍ରୀ
ଖୋର୍ଦ୍ଧା : ସମୟକୁ ବ୍ୟବହାର କରିବା ଶିଖ । କାରଣ ସମୟକୁ ଚୋରି କରିନିଏ ମୋବାଇଲ ଆଉ ଯଥା ସମ୍ଭବ ମୋବାଇଲ ଠାରୁ ଦୂରେଇ ରହିବାକୁ ଚେଷ୍ଟା କର । ସୋମବାର ଗୋପବନ୍ଧୁ ବିଦ୍ୟାଳୟର ୭୬ତମ ବାର୍ଷିକ ଉତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଏପରି କିଛି ପରାମର୍ଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।
ତାହା ସହ ଅଭିଭାବକ ମାନେ ପିଲାମାନଙ୍କ ନମ୍ବର ପଛରେ ଗୋଡାଇ ଛାତ୍ରଛାତ୍ରୀଙ୍କୁ ଭାରାକ୍ରାନ୍ତ ନକରି ଭଲ ମଣିଷ ହେବାକୁ ପ୍ରେରଣା ଦେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେହିପରି ‘ଜୀବନ ସାରା ଆମକୁ ପରୀକ୍ଷା ଦେବାକୁ ପଡିବ କିନ୍ତୁ ପରୀକ୍ଷା ଆଜି ପାଇଁ ନୁହଁ ବରଂ ଆସନ୍ତା କାଲି ପାଇଁ ସେଥିପାଇଁ ପ୍ରସ୍ତୁତ ହୁଅ’ ।
ଏଭଳି କିଛି ଶିକ୍ଷଣୀୟ ବାର୍ତ୍ତା ଦେଇଛନ୍ତି ମନ୍ତ୍ରୀ । ସରକାର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଅନେକ ପଦକ୍ଷେପ ନେଇଥିବା କହିବା ସହ ଅଭିଭାବକ ମାନେ ନିୟମିତ ବିଦ୍ୟାଳୟକୁ ଆସି ପିଲାମାନଙ୍କ ବିଷୟରେ ଟିକିନିଖି ଖବର ରଖିବା ପାଇଁ ପରାମର୍ଶ ଦେଇଥିଲେ । ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ଏହି ବାର୍ଷିକ ଉତ୍ସବରେ ବିଭାଗୀୟ ମନ୍ତ୍ରୀଙ୍କ ସହ ଜିଲ୍ଲା ଏବଂ ବ୍ଲକ ଶିକ୍ଷା ଅଧିକାରୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।