‘ଇମାମୀ’ ସିମେଣ୍ଟ କାରଖାନା ବିରୋଧରେ ଜନଆକ୍ରୋଶ
ଯାଜପୁର: କଳିଙ୍ଗନଗର ଶିଳ୍ପାଞ୍ଚଳର ଇମାମୀ ସିମେଣ୍ଟ କାରଖାନା ବିରୁଦ୍ଧରେ ଜମିହରାଙ୍କ ଧାରଣା ଓ ଆନ୍ଦୋଳନ । କାରଖାନା ପ୍ରତିଷ୍ଠା ପୂର୍ବରୁ କମ୍ପାନୀ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ଦେଇଥିବା ପ୍ରତିଶୃତି ପାଳନ ନ କରିବା ପ୍ରତିବାଦରେ ଜମି ହରାଇଥିବା ପରିବାର ମାନେ ଧାରଣାରେ ବସିଛନ୍ତି । ସ୍ଥାନୀୟ ବେକାରଙ୍କୁ କାରଖାନାରେ ନିଯୁକ୍ତି ଦେବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ କାରଖାନା କର୍ତ୍ତୃପକ୍ଷ ପ୍ରତିଶୃତି ଦେଇଥିଲେ । କିନ୍ତୁ ପ୍ରତିଶୃତିରେ ଖିଲାଫ୍ ହେବାରୁ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗ୍ରାମବାସୀ ।
ବାରମ୍ବାର ପ୍ରତିଶୃତି ଦେଇ ଫେଲ ମାରୁଛି କଳିଙ୍ଗନଗର ସ୍ଥିତ ଇମାମୀ ସିମେଣ୍ଟ କମ୍ପାନୀ । କମ୍ପାନୀ ସରକାରୀ ନିୟମକୁ ଖୋଲାଖୋଲି ଉଲଙ୍ଘନ କରି ମନମାନୀ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସ୍ଥାନୀୟ ବେକାର ଓ ଜମିହରାଙ୍କୁ ନିଯୁକ୍ତିର ପ୍ରତିଶୃତି ଦେଇ ଆଜି ପର୍ଯ୍ୟନ୍ତ ଭଣ୍ଡାଇ ଆସୁଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । ନିଯୁକ୍ତି ଓ ରୋଜଗାର ଆଶାରେ ଜମି ଦେଇ ସର୍ବସ୍ବ ହରାଇଥିବା ଗ୍ରାମବାସୀ ଏବେ ଚିନ୍ତାରେ ଦିନ କାଟୁଛନ୍ତି । ଯାହାର ପ୍ରତିବାଦ କରି ମାଣତିରା ଗ୍ରାମର ଜମିହରା ଲୋକେ କାରଖାନା ସମ୍ମୁଖରେ ଧାରଣାରେ ବସିଛନ୍ତି । କାରଖାନାରୁ ନିର୍ଗତ ଧୂଳି, ଧୂଆଁ ଯୋଗୁଁ ସ୍ଥାନୀୟ ଅଧିବାସୀ ପ୍ରଦୂଷଣର ଶିକାର ହୋଇଛନ୍ତି । ଏସବୁ ସମସ୍ୟା ପ୍ରତି କମ୍ପାନୀ କର୍ତ୍ତୃପକ୍ଷ ଆଖି ବୁଜି ଦେଇଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।
କମ୍ପାନୀ କର୍ତ୍ତୃପକ୍ଷ ଅଞ୍ଚଳବାସୀଙ୍କ ସ୍ବାର୍ଥକୁ ଅଣଦେଖା କରି ରାଜ୍ୟ ବାହାରର ଠିକାସଂସ୍ଥାକୁ କର୍ମ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଛି । ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସ୍ଥାନୀୟ ବେକାର ଏବଂ ଜମିହରାଙ୍କୁ ଉପେକ୍ଷା କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । ସମସ୍ୟା ସମ୍ପର୍କରେ ବାରମ୍ବାର କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ହେଁ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ସେମାନେ କାରଖାନା ଗେଟ୍ ସମ୍ମୁଖରେ ଧାରଣାରେ ବସିଥିବା କହିଛନ୍ତି । ସ୍ଥାନୀୟ ତହସିଲଦାର ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । କମ୍ପାନୀ କର୍ତ୍ତୃପକ୍ଷ ଏବଂ ଜମିହରାଙ୍କ ମଧ୍ୟରେ ଆପୋଷ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ପ୍ରଶାସନିକ ଅଧିକାରୀ ।