01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋଟପାଡ଼ ବ୍ଲକରେ ସି.ଆର.ସି.ସି ନିଯୁକ୍ତିରେ ଅନିୟମିତତା ଅଭିଯୋଗ

କୋରାପୁଟଜିଲ୍ଲା:(ସଖପ୍ର) କୋଟପାଡ଼ ବ୍ଳକରେ ସି.ଆର.ସି.ସି ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି।ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷା ଅଭିଯାନ, କୋରାପୁଟଙ୍କ ଚିଠି ନଂ-୧୮୨୯/୧୯, ତା ୧୨/୭/୨୦୧୯ ଅନୁସାରେ ନୂଆରେ ସି ଆର ସି ସି ନିଯୁକ୍ତି ସକାଶେ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା। ଉକ୍ତ ଚିଠିରେ ସି.ଆର.ସି.ସି ନିଯୁକ୍ତି ସକାଶେ ଥିବା ନିୟମ ଅନୁସାରେ ଜଣେ ୫ ବର୍ଷ ପୂର୍ବରୁ ସି.ଆର.ସି.ସି ରୂପେ କାର୍ଯ୍ୟ କରି ସାରିଥିବା ପରେ ଆଉ ଥରେ ଉକ୍ତ ପଦ ପାଇଁ ଆବେଦନ କରି ପାରିବେ ନାହିଁ। କୌଣସି ଅଭିଯୋଗ ହେବା ପରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ଶିକ୍ଷକ ଆବେଦନ କରି ପାରିବେ ନାହିଁ। ଏହି ନିୟମାବଳୀକୁ ନମାନି ଯେଉଁ ଶିକ୍ଷକ ଆବେଦନ କରିବେ ସେମାନେ ଅଯୋଗ୍ୟ ବିବେଚିତ ହେବେ।ଏସବୁ ଯଥାଚିତ ଆବେଦନ ଗୁଡିକର ତଦନ୍ତ ନିଜେ ଗୋଷ୍ଠି ଶିକ୍ଷାଅଧିକାରୀ କରି ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ନିକଟକୁ ପଠାଇବାର ଉକ୍ତ ନିର୍ଦେଶନାମାରେ ଉଲ୍ଲେଖ ଅଛି। କିନ୍ତୁ ମିଳିଥିବା ଖବର ଅନୁସାରେ କୋଟପାଡ଼ ବ୍ଲକ ସି.ଆର.ସି.ସି ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଛି।ଏହି ବ୍ଲକରେ ନିଯୁକ୍ତି ପାଇଥିବା ସି.ଆର.ସି.ସି ମାନଙ୍କ ଭିତରୁ ଜଣେ କୁଆଡେ ପୂର୍ବରୁ ଏହି ପଦରେ ରହି ସାରିଛନ୍ତି। ତଥା କୌଣସି କାରଣରୁ ସେ ସି.ଆର.ସି.ସି ପଦ ହରାଇ ଥିଲେ। ପୂର୍ବରୁ ଏହି ପଦରେ ଥିବା ସତ୍ତ୍ବେ ତାଙ୍କ ଆବେଦନକୁ ପୁନର୍ବାର ଉକ୍ତ ପଦ ପାଇଁ ଗୋଷ୍ଠି ଶିକ୍ଷାଅଧିକାରୀ କେମିତି ଅନୁମୋଦନ ପ୍ରଦାନ କଲେ, ତାହା ଶିକ୍ଷକ ମହଲରେ ଆଲୋଚନାର ବିଷୟ ପାଲଟିଛି। ପ୍ରକୃତପକ୍ଷେ ଗୋଷ୍ଠି ଶିକ୍ଷାଅଧିକାରୀ ସରକାରୀ ନିର୍ଦେଶନାମାର ଜାଣିଶୁଣି ଚଞ୍ଚକତା କରି ପଦବୀ ସକାଶେ ଯୋଗ୍ୟତା ନଥିବା ବ୍ୟକ୍ତି ବିଶେଷଙ୍କ ନାମ ଅନୁମୋଦନ କରିବା ନିଶ୍ଚିତ ଭାବେ ଆଇନକୁ ଆଖିଠାର ସଦୃଶ ମନେ ହେଉଛି। ଯାହାର ଉଚ୍ଚସ୍ତରୀୟ ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

ପୁଣି ସେହି ଯୋଗ୍ୟତା ପର୍ଯ୍ୟାୟରେ ଜଣେ ଅଯୋଗ୍ୟ ବ୍ୟକ୍ତି ବିଶେଷ ବର୍ତ୍ତମାନ କୋଟପାଡ଼ ବ୍ଲକର ଏକ କ୍ଲଷ୍ଟରରେ କାର୍ଯ୍ୟରତ ଥିବା ନିଶ୍ଚିତ ଭାବେ ଉପସ୍ଥିତ ଅଧିକାରୀ ତଥା ସରକାରୀ ନିର୍ଦ୍ଦେଶନାମାର ଖୋଲା ଉଲଂଘନର ଏକ ନଗ୍ନ ନମୁନା । ଏଥି ସକାଶେ ଏହି ନିଯୁକ୍ତିର ପ୍ରଶାସନିକ ସ୍ତରରେ ନିରପେକ୍ଷ ଭାବେ ତଦନ୍ତ କରାଯାଇ,ଦାୟୀ ଥିବା ଅଧିକାରୀଙ୍କ ବିରୋଧରେ ଯଦି କାର୍ଯ୍ୟାନୁଷ୍ଠାନ ନ ହୁଏ, ତେବେ ସରକାରଙ୍କ ନିର୍ଦ୍ଦେଶନାମାକୁ ଉଲ୍ଲଙ୍ଘନ କରୁଥିବା ଅଧିକାରୀ ମାନଙ୍କ ମନୋବଳ ବୃଦ୍ଧିରେ ଯଥେଷ୍ଟ ସହାୟକ ହେବ । ଏହାସହ ପ୍ରଶାସନିକ ସ୍ତରରେ ଠିକ କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚି ସୃଷ୍ଟି ହେବା ସ୍ବାଭାବିକ।
ତେଣୁ ମାନ୍ୟବର କୋରାପୁଟ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ନିରପେକ୍ଷ ତଦନ୍ତ କରି ଦୋଷୀ ଅଧିକାରୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଜନ ସାଧାରଣରେ ଚର୍ଚ୍ଚା ହେଉଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *