ବହୁଚର୍ଚ୍ଚିତ କାଶୀପୁର ବ୍ଲକର ଗୁମୁଣ୍ଡିମାଣ୍ଡି ଗ୍ରାମବାସୀଙ୍କୁ ପକ୍କାରାସ୍ତା ସାତସପନ, ବିକାଶ ଅପହଂଚ
ରାୟଗଡଜ଼ିଲ୍ଲା:( ପ୍ରତିନିଧି ଅମୁଲ୍ୟ ନିଶଙ୍କ) ଗମନାଗମନର ସୁବିଧା ଯେଉଁଠି ଥାଏ ସେଠାରେ ସରକାରଙ୍କ ବିକାଶର ପାଦଚିହ୍ନ ଆପେ ଆପେ ଦେଖିହୁଏ । ତେବେ ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଗମନାଗମନ,ଶିକ୍ଷା,ସ୍ୱାସ୍ଥ୍ୟ ଭଳି ମୈାଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇପଡିଛନ୍ତି ରାୟଗଡ ଜିଲ୍ଳା କାଶିପୁର ବ୍ଳକର ଗୁମୁଣ୍ଡିମାଣ୍ଡି ଗ୍ରାମବାସୀ । ବର୍ଷ ବର୍ଷ ଧରି ଗ୍ରାମକୁ ପକ୍କାରାସ୍ତାଟିଏ ନ ଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ରାସ୍ତାଟିଏ ନ ଥିବାରୁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇବାରୁ ମଧ୍ୟ ବଂଚିତ ହେଉଛନ୍ତି ଶିଶୁ,ଗର୍ଭବତୀ ମହିଳା,ବୃଦ୍ଧବୃଦ୍ଧା ଓ ଶିକ୍ଷା ପାଇ ପାରୁନାହାନ୍ତି କୋମଳମତି ଶିଶୁମାନେ । ଅପରପକ୍ଷେ ଏଠାର ବିକାଶ ଦିଗରେ ପ୍ରଶାସନ ଆଖି ବୁଜି ଦେଇଥିବାରୁ ବିକାଶ ଏଠି ଅପହଂଚ ହୋଇପଡିଛି । ଫଳରେ ଏକ ଅଭିଶପ୍ତ ଜୀବନ ବିତାଉଛନ୍ତି ଗୁମୁଣ୍ଡିମୁଣ୍ଡି ଗ୍ରାମବାସୀ । ଏହି ଗ୍ରାମରେ ପାଖାପାଖି ୨ଶହ ପରିବାର ବସବାସ କରୁଥିବା ବେଳେ ୮ଶହରୁ ଉର୍ଦ୍ଧ ଗ୍ରାମବାସୀ ରହୁଛନ୍ତି । ଗ୍ରାମକୁ ପକ୍କା ରାସ୍ତାଟିଏ ନ ଥିବାରୁ ଗ୍ରାମର ଗର୍ଭବତୀ ମହିଳା ଓ ଅନ୍ୟ ରୋଗୀମାନଙ୍କୁ କାନ୍ଧରେ ବୋହି ବୋହି ପ୍ରାୟ ୨୦କିଲୋମିଟର ଦୂର ଡଙ୍ଗାସିଲ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି । ଅନେକ ସମୟରେ ଅଧାବାଟରେ ହିଁ ରୋଗୀମାନେ ମୃତ୍ୟୁବରଣ କରୁଥିବା ନଜିର ରହିଛି । ସେହିପରି ଗ୍ରାମରେ ବିଦ୍ୟାଳୟଟିଏ ନ ଥିବାରୁ ଶିକ୍ଷକମାନେ ଯାଉ ନ ଥିବା ଅଭିଯୋଗ ହେଉଛି । ଫଳରେ ପିଲାମାନେ ପାଠପଢାରୁ ବଂଚିତ ହେଉଥିବା ବେଳେ ଅନ୍ୟ କୈାଣସି ଉପାୟ ନ ପାଇ ଚାଷକାର୍ଯ୍ୟରେ ନିଜ ବାପାମାଙ୍କୁ ସାହାଯ୍ୟ କରୁଛନ୍ତି । ପାନୀୟ ଜଳ ସମସ୍ୟା ମଧ୍ୟ ଗ୍ରାମବାସୀଙ୍କୁ ଘାରିଛି । ଅନେକ ନଳକୂପଗୁଡିକ ଅଚଳ ହୋଇ ରହିଥିବାରୁ ଗ୍ରାମବାସୀମାନେ ବାଧ୍ୟ ହୋଇ ନିକଟସ୍ଥ ଝରଣା ପାଣି ଉପରେ ନିର୍ଭର କରୁଛନ୍ତି ଓ ପାଣିଜନୀତ ରୋଗର ଶୀକାର ହେଉଛନ୍ତି । ସେହିପରି ଗର୍ଭବତୀ ଓ ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ମିଳୁ ନ ଥିବା ଅଭିଯୋଗ ଗ୍ରାମବାସୀମାନେ କରିଛନ୍ତି । ତେବେ ରାୟଗଡ ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଗ୍ରାମବାସୀଙ୍କୁ ମୈାଳିକ ସୁବିଧା ଯୋଗାଇଦେବାକୁ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି । କାଶିପୁର ବ୍ଳକର ଦୁର୍ଗମ ଅଂଚଳର ଏହି ଗୁମୁଣ୍ଡିମାଣ୍ଡି ଗ୍ରାମବାସୀ କେବେ ମୈାଳିକ ସୁବିଧା ପାଇ ଉପକୃତ ହେବେ ତାହା ଦେଖିବାକୁ ବାକି ରହିଛି ।