ଗଞ୍ଜେଇ ଚାଲାଣକାରୀଙ୍କୁ ପୋଲିସର ଆଇନ ପାହାର
ଜୟପୁର:ଜୟପୁର ଉପଖଣ୍ଡରେ ବୈପାରୀଗୁଡା ଥାନାଅଧିକାରୀ ଓ ଜୟପୁର ସଦର ଥାନାଅଧିକାରୀ ଉଭୟ ନିଜ ନିଜ କ୍ଷେତ୍ରାଧିକାର ମଧ୍ୟରେ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି।କୋରାପୁଟ ପୁଲିସର ଅପରେସନ ଗ୍ରୀନ୍ କ୍ଲିନକୁ ସଫଳତା ମିଳୁଥିବାବେଳେ ଏହି ଗଞ୍ଜେଇ ଚାଲାଣର ମୁଖ୍ୟ ନିୟନ୍ତ୍ରକ ପାଖରେ ପହଞ୍ଚିବାରେ ପୋଲିସର ବିଫଳତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ଚୋରା ଗଞ୍ଜେଇ ଚାଲାଣରେ ଅନ୍ତଃରାଜ୍ୟ ଗ୍ୟାଙ୍ଗ ସାମିଲ ରହିଥିବା ବେଳେ ମାଲକାନଗିରି ଜିଲ୍ଲାରୁ ରାଜ୍ୟ ସମେତ ରାଜ୍ୟ ବାହାର ଦିଲ୍ଲୀ,ଉତ୍ତରପ୍ରଦେଶ,ଛତିଶଗଡ,ମଧ୍ୟପ୍ରଦେଶ,ହରିଆନା ଆଦି ଅଞ୍ଚଳକୁ ଗଞ୍ଜେଇ ଚାଲାଣ କରାଯାଉଛି।ଚୋରାଚାଲାଣ ବେଳେ ଛୋଟ ମାଛ ଧରାପଡୁଥିବା ବେଳେ ବଡ ମାଛ ପୁଲିସ ଜାଲରେ ପଡୁନାହାଁନ୍ତି।ପୁଲିସର ଏହି ଅପରେସନରେ ପୁଲିସ ହାତରେ ଧରାପଡିଛନ୍ତି ୮ଜଣ ଗଞ୍ଜେଇ ଚାଲାଣକାରୀ।ବଲାଙ୍ଗୀର,କଳାହାଣ୍ଡି ଓ ଉତ୍ତରପ୍ରଦେଶ ଅଞ୍ଚଳକୁ ଚାଲାଣ କରୁଥିବା ବେଳେ ଧରାପଡିଛନ୍ତି।ପୁଲିସ ଭିନ୍ନଭିନ୍ନ ସ୍ଥାନରେ ଚଢାଉ କରି ୧୦୦୦କିଲୋରୁ ଅଧିକ ଗଞ୍ଜେଇ ଜବତ କରିଛି।ଗିରଫ ୮ଅଭିଯୁକ୍ତଙ୍କ ଠାରୁ ପୁଲିସ ୮ଟି ମୋବାଇଲ ଫୋନ୍ ସହ ୨୦ହଜାର ଟଙ୍କା ଜବତ କରିଛି। ଆଜି ସାମ୍ବାଦିକମାନଙ୍କୁ ଏସଡିପିଓ ବରୁଣ ଗୁଣ୍ଠୁପାଲ୍ଲୀ ଜବତ ହୋଇଥିବା ଗଞ୍ଜେଇ ଓ ଗିରଫ ହୋଇଥିବା ୮ଜଣ ଅଭିଯୁକ୍ତଙ୍କ ସଂପର୍କରେ ସୂଚନା ଦେଇଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ସଦରଥାନା ଅଧିକାରୀ ଶିବ ଶଙ୍କର ସାହୁ,ବୈପାରୀଗୁଡା ଥାନାଅଧିକାରୀ ମହେନ୍ଦ୍ର ସାହୁ ଓ ଏସ ଆଇ ରମେଶ କୁମାର ଦେବତା ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାନୁଯାୟୀ ସଦର ପୁଲିସ ୩୨୬ଜାତୀୟ ରାଜପଥର ଖୁଡୁପି ଛକ ନିକଟରେ ପୂର୍ବରୁ ଖବରପାଇ ଚଢାଉକରି ୪୯୯କିଲୋ,୭ଟି ମୋବାଇଲ ଫୋନ,୨୦ହଜାର ଟଙ୍କା ଓ ବୋଲେରୋ,ଆଇଚର ଟ୍ରକ,ହିରୋହୋଣ୍ଡା ଗ୍ଲାମର ଓ ଆପାଚି ମୋଟର ସାଇକେଲ ଜବତ କରିଛି।ଜେରା ସମୟରେ ସେମାନେ ଲମତାପୁଟ ଅଞ୍ଚଳରୁ ଗଞ୍ଜେଇ ଆଣିଥିବା ସ୍ବୀକାର କରିଛନ୍ତି। ବୈପାରୀଗୁଡା ପୁଲିସ ଦଶମନ୍ତପୁର ଗାଁ ନିକଟରୁ ଏକ ମହିନ୍ଦ୍ରା ଟ୍ରାକ୍ଟରରୁ ୨୫ଟି ପ୍ୟାକେଟରେ ୬୦୦କିଲୋ ଗଞ୍ଜେଇ ଜବତ କରିଥିବାବେଳ ଅଭିଯୁକ୍ତମାନଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।