ଅସଜଡା ସ୍ୱାସ୍ଥ୍ୟସେବା ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର
ଧର୍ମଶାଳା, ୧୬/୧୦(ପ୍ରତିନିଧି ନାରାୟଣ ରଥ) ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଧର୍ମଶାଳା ବ୍ଲକ୍ ପ୍ରଶାସନ ପାଇଁ ଏକମାତ୍ର ଭରସାଯୋଗ୍ୟ ଡାକ୍ତରଖାନା ।ମାତ୍ର କିଛି ବର୍ଷ ହେଲା ଏଠାରେ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ମିଳିପାରୁନି । ଏ ନେଇ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଏଠାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ମାଳ ମାଳ ଅଟ୍ଟାଳିକା, ପଯ୍ୟାପ୍ତ ଭିତିଭୂମି ଏଠାରେ ପୂର୍ବ ପରି ବିଶେଷଜ୍ଞ ଡାକ୍ତର ନାହାନ୍ତି କିମ୍ବା ଆବଶ୍ୟକ ସଂଖ୍ୟକ ସ୍ୱାସ୍ଥ୍ୟ କର୍ମଚାରୀ ପଦବୀ ପୂରଣ କରାଯାଇନି । ଫଳରେ ସାମାନ୍ୟ ଅସୁସ୍ଥ ରୋଗୀ ଚିକିତ୍ସା ସେବା ନ ପାଇ ଏଠାରୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା କଟକ ବଡ ମେଡିକାଲକୁ ୫-ଟି କିମ୍ବା ‘ମୋ ସରକାର’ କାର୍ଯ୍ୟକ୍ରମର କାର୍ଯ୍ୟକାରୀତା ନେଇ ନାନା ଆଶଙ୍କା ପ୍ରକାଶ ପାଇଛି । ସୋମବାର ପୂର୍ବାହ୍ନରେ ଗଣମାଧ୍ୟମ ଏହି ଡାକ୍ତରଖାନାରେ ଚାଲିଥିବା ସ୍ୱାସ୍ଥ୍ୟସେବା ଉପରେ ନଜର ବୁଲାଇ ଆଣିଥିଲା । ସ୍ଥାନୀୟ କମାଗଡ ଗ୍ରାମର କ୍ଷୀରୋଦ ବଳଙ୍କ ଏକମାତ୍ର ପୁଅ ମିଲୁ (୧୮) ଙ୍କ ଅକାଳ ବିୟୋଗରେ ପରିବାର ଲୋକେ କାନ୍ଦି କାନ୍ଦି ମାଟିରେ ଲୋଟି ଯାଇଥିଲେ । ମିଲୁଙ୍କ ମୃତ ଦେହ ପୁରୁଣା ଆଉଟ୍ଡୋର୍ ବାରଣ୍ଡାରେ ପଡି ରହିଥିବା ବେଳେ ଡାକ୍ତରଖାନା ପକ୍ଷରୁ ତାଙ୍କୁ ବେଡ୍ ଟିଏ ମିଳିନଥିଲା । ଚାନ୍ଦପୁର ଗ୍ରାମର ସ୍ୱର୍ଗତ ଝୁଲଣ ମଲ୍ଲିକଙ୍କ ପତ୍ନୀ ପାର୍ବତୀ ମଲ୍ଲିକଙ୍କ (୯୦) ଅଂଟା ଯନ୍ତ୍ରଣାରେ ଛଟ୍ପଟ୍ ହୋଉଥିବା ବେଳେ ତାଙ୍କ ପାଖରେ ଡକ୍ତର କିମ୍ବା ନର୍ସଙ୍କ ଦେଖା ନଥିଲାା ସେହିପରି ଅରଖପଦା ଗ୍ରାମର ରକ୍ତଚାପ ରୋଗୀ ସ୍ୱର୍ଗତ ମହେଶ୍ୱର ଦଳାଇଙ୍କ ପତ୍ନୀ ପ୍ରେମଲତା ଦଳାଇ (୪୨)ଙ୍କୁ ସାଲାଇନ ଲଗାଇ ଦେଇ କାର୍ଯ୍ୟରତ ନର୍ସ ନିଜ ଦାୟିତ୍ୱ ସାରିଦେଇଥିଲେ ଆହୁରି ମଧ୍ୟ ଆଖି ଦେଖାଇବା ପାଇଁ ଆସିଥିବା ଚହଟା ଗ୍ରାମର ଅବସରପ୍ରାପ୍ତ ରାଜସ୍ୱ କର୍ମଚାରୀ ବିନୋଦ ବିହାରୀ ରାଉତ (୬୫), ଜାମୁବଣିଆ ଗ୍ରାମର ସତ୍ୟାନନ୍ଦ ପ୍ରଧାନ(୬୮) , ଡାକ୍ତର ଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ପଦବୀ ପୂରଣ କରିବା ପାଇଁ ଦାବି କରୁଥିଲେ । ସେହିପରି କଦମପାଳ ପଂଚାୟତର ପୂର୍ବତନ ସରପଂଚ ଇଶ୍ୱର ଚନ୍ଦ୍ର ପ୍ରଧାନ ଏଠାରେ ବିଭିନ୍ନ ଯୋଜନା ଅନୁଦାନ ଓ ରୋଗୀ କଲ୍ୟାଣ ସମିତି ଅର୍ଥ ହରିଲୁଟ କରାଯାଉଥିବା ଅଭିଯୋଗ ଉଠାଇଥିବା ବେଳେ ଏହାର ଭିଜିଲାନ୍ସ ତଦନ୍ତ ଦାବି କରିଥିଲେ । ଏହି ସମୟରେ ଡାକ୍ତର ଖାନାର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ. ମାନସ ରଂଜନ ସ୍ୱାଇଁଙ୍କ ପ୍ରକୋଷ୍ଠରେ ତାଲା ଝୁଲୁଥିବା ବେଳେ ସେ ଆଉଟ୍ଡୋର କାମରେ ଯାଇଥିବା ଜଣେ କର୍ମଚାରୀ ସୂଚନା ଦେଇଥିଲେ । ତାଙ୍କ ସହିତ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନ ଥିଲେ । ଏଠାରେ ନିଯୁକ୍ତି କୈାଣସି ଏମ୍ବିବିଏସ୍ ଡାକ୍ତରଙ୍କ ଦେଖା ମିଳି ନଥିବା ବେଳେ ବାଲି ସାହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ମାତ୍ର ଡାକ୍ତର ପ୍ରଦୀପ୍ତ ଜେନା ଏଠାକୁ ଡେପୁଟେସନରେ ଆସି ରୋଗୀ ଦେଖୁଥିଲେ । ସେପଟେ ବାଲିସାହି ଡାକ୍ତର ଖାନାରେ ରୋଗୀ ସେବା ଠପ୍ । ରୋଗୀ ନଥିବାରୁ ଆୟୁଷ ଡାକ୍ତର ଫାଙ୍କାରେ ବସିଥିବାବେଳେ ଚକ୍ଷୁ ଓ ଦାନ୍ତ ଡାକ୍ତର ରୋଗୀ ସେବା କରୁଥିବା ଦେଖିବାକୁ ମିଳିଥିଲା । ଏନ୍ଆର୍ଏଚ୍ଏମ୍ ଯୋଜନାରେ ୨୦୧୬ ମସିହାରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ୭ କୋଟି ଟଙ୍କା ବ୍ୟୟରେ ମାତୃ ଶିଶୁ ଚିକିତ୍ସାଳୟ (ଏନ୍ସିଏନ୍) ନିର୍ମାଣ ହୋଇଥିଲେ ମଧ୍ୟ ଦୀର୍ଘ ବର୍ଷ ହେଲା ଏଠାରେ ମହିଳା କିମ୍ବା ଶିଶୁବିଭାଗର ଡାକ୍ତର ପଦବୀ ଫାଙ୍କା ପଡିଛି । ଏହି ସଦୃଶ୍ୟ ଅଟ୍ଟାଳିକା ଏବେ ମାତ୍ର ଭୂତ କୋଠି ପାଲଟିଛି । ଏ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏମ୍ସିଏନ୍ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚଳାଇବା ପଇଁ ଉଦ୍ୟମ ହେଉଥିବା ଅଭିଯୋଗ ଉଠିଛି । ପ୍ରକାଶ ଥାଉକି ଗତ ମଇ ମାସ ୧୩ ତାରିଖରେ ଜଣେ ପ୍ରସୂତିଙ୍କ ମୃତୁ୍ୟକୁ ନେଇ ଉତ୍ୟକ୍ତ ଲୋକେ ଏମ୍ସିଏନ୍କୁ ଭଙ୍ଗାରୁଜା କରିବା ସହିତ ଡାକ୍ତରଖାନାର ବିଭିନ୍ନ ସାମଗ୍ରୀ ନଷ୍ଟ କରିଦେଇଥିଲେ, ଘଟଣାକୁ ୫ ମାସ ବିତିଯାଇଥିଲେ ମଧ୍ୟ ଏହାର ଏ ପର୍ଯ୍ୟନ୍ତ ମରାମତି ହୋଇନି । ଏପଟେ ସ୍ଥାୟୀ ଆଉଟ୍ଡୋର ନଥିବାରୁ ଜରୁରୀ କାଳୀନ (ଅଂଶୁଘାତ) ବିଭାଗ ପ୍ରକୋଷ୍ଠରେ ରୋଗୀ ଦେଖାଯାଉଛି ।ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଡାକ୍ତରଙ୍କ କ୍ୱାର୍ଟରର୍ସରେ ନର୍ସ ରହୁଛନ୍ତି । ଏକ୍ସରେ ମେସିନ୍, ଆମ୍ବୁଲାନ୍ସ, ଅଲଟ୍ରାସାଡଣ୍ଡ ମେସିନ ଆଦି ବିଭିନ୍ନ ଯନ୍ତ୍ରାଂଶ ଖତ ଖାଉଥିବା ବେଳେ ଶବ ବ୍ୟବଚ୍ଛେଦ ଗୃହ ଉଦ୍ଘାଟନ ହେଲା ଦିନରୁ ତାଲା ପଡିଛି । ଫଳରେ ଏଠାକାର ମୃତ ଦେହକୁ ବ୍ୟବଚ୍ଛେଦ ନିମନ୍ତେ ବଡଚଣା ଡାକ୍ତରଖାନାକୁ ପଠାଇ ଦିଆଯାଇଥାଏ ।୫-ଟି ଓ ‘ମୋ ସରକାର’ କାର୍ଯ୍ୟକ୍ରମକୁ ନେଇ ସମଗ୍ର ରାଜ୍ୟରେ ତନାଘନା ଚାଲିଥିବା ବେଳେ ଏଠାରେ ଏସବୁ କେବେ କାର୍ଯ୍ୟକାରୀ ହେବ ଦେଖିବାକୁ ବାକି ରହିଲା ।