01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

୭୩ବର୍ଷ ପରେ ମିଳିଲା ବିଜୁଳି ସଂଯୋଗ

ଗଜପତି:(ସଖପ୍ର) ଦିନେ ବିଜୁଳି ଆଲୋକ ଥିଲା ସାତ ସପନ । ଆଲୋକ ପାଇଁ ସାହାଭରସା ଥିଲା ଡିବିରି ଓ ଲଣ୍ଠନ । ସୂର୍ଯ୍ୟସ୍ତ ପରେ ଗାଁକୁ ମାଡି ଆସୁଥିଲା ଅନ୍ଧକାର । ପିଲାଙ୍କ ପାଠ ପଢାରେ ଉପୁଜୁଥିଲା ସମସ୍ୟା । କିନ୍ତୁ ଏବେ ଆଉ ସେପରି ହେବନି । କାରଣ ଗଜପତି ଜିଲ୍ଲା ବଡଅଞ୍ଜ ଗାଁରେ ଜଳିଛି ବିଜୁଳି ଆଲୋକ । ବିଳମ୍ବରେ ହେଉ ପଛେ ଗ୍ରାମବାସୀଙ୍କ ଦୀର୍ଘ ଦିନର ସମସ୍ୟା ହୋଇଛି ଦୂର । ଏମିତି ଏକ ଖୁସିର ମୂହୂର୍ତ୍ତକୁ ଉପଭୋଗ କରିଛନ୍ତି ଗ୍ରାମବାସୀ
ବିଦ୍ୟୁତ୍ ସଂଯୋଗ ପାଇଁ ଗାଁକୁ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଯାହାର କାମ ନେଇଥିଲା ଏନଟିପିସି । ଆଲୋକ ସଂଯୋଗ ପାଇଁ ଗାଁରେ 57ଟି ଖୁଣ୍ଟ ପୋତା ଯାଇଥିଲା । ଏପିକି ଘରେ ମିଟର ମଧ୍ୟ ଲଗାଯାଇଥିଲା । ହେଲେ ପାହାଡିଆ ଅଞ୍ଚଳ ଥିବାରୁ କାମ ବିଳମ୍ବ ହେବା ସହ ବିଦ୍ୟୁତ୍‌ ସଂଯୋଗ ହୋଇନଥିଲା । ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଶାସନ ନିକଟରେ ଏନେଇ ଅଭିଯୋଗ ଆଣିଥିଲେ
ତେବେ ଏସମ୍ପର୍କରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଲ ରାଣା ଜାଣିବା ପରେ ପ୍ରତ୍ୟକ୍ଷ ଭାବେ ସେ ଦାୟିତ୍ବ ଗ୍ରହଣ କରି ଗାଁକୁ କିଭଳି ଶୀଘ୍ର ବିଦ୍ୟୁତ ଯୋଗାଣ ହୋଇପାରିବ ସେ ନେଇ ପ୍ରକ୍ରିୟା ଆରମ୍ଭ କରିଥିଲେ । ଶେଷରେ ତାଙ୍କ ପ୍ରଚେଷ୍ଟାରେ ଗାଁରେ ଜଳିଛି ବିଦ୍ୟୁତ ଆଲୋକ । ବିଦ୍ୟୁତ ସଂଯୋଗ ପାଇଁ ଗାଁକୁ ଅଧିକାରୀମାନେ ଆସୁଥିବା ଖବର ଜଣାପଡିବା ପରେ ଗାଁ ଲୋକେ ଖୁସିରେ ଅଧାରାସ୍ତାରୁ ସେମାନଙ୍କୁ ସ୍ବାଗତ କରିବା ସହ ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚି ଏକ ବିରାଟ ପଟୁଆରରେ ପାଛୋଟି ନେଇଥିଲେ । ପରେ ଗାଁରେ ବିଜୁଳି ସଂଯୋଗ ଦେଇ ଗାଁରୁ ସବୁଦିନ ପାଇଁ ଅନ୍ଧକାର ଦୂର କରିଥିଲେ । ବଣ ପାହାଡ ଘେରା ଏହି ଗାଁରେ ସ୍ବାଧୀନତାର 73 ବର୍ଷ ପରେ ବିଦ୍ୟୁତ ସଂଯୋଗ ହୋଇଥିବାରୁ ଗ୍ରାମବାସୀ ବେଶ ଉତ୍ସାହିତ ଅଛନ୍ତିସେପଟେ ଗାଁର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଉନ୍ନତିମୂଳକ ଯୋଜନା କରିଛନ୍ତି । ଲୋକମାନେ ନିଜ ସମସ୍ୟା ପ୍ରଶାସନକୁ ଜଣାଇବା ସହ ସହଯୋଗ କଲେ ସବୁ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ । ବିଜୁଳି ଆଲୋକ ପରେ ଏହି ଦୁର୍ଗମ ଅଞ୍ଚଳର ବାକି ସମସ୍ୟା କେବେ ସମାଧାନ ହେଉଛି ତାହା ଦେଖିବାର କଥା

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *