02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଚାନକ ଗସ୍ତ ପୂର୍ବ ସୂଚନା ପାଇ ସମସ୍ତେ ସତର୍କ, ସପ୍ତାହକ ମଧ୍ୟରେ ସମସ୍ୟା ଅନୁଧ୍ୟାନ କରିବ ସ୍ୱତନ୍ତ୍ର ଟିମ୍

ଭଦ୍ରକ୩/୧୧ (ସ୍ପା) ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଆଜି ଅଚାନକ ଭଦ୍ରକ ଗସ୍ତରେ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ମନ୍ତ୍ରୀ ଶ୍ରୀ ଦାସ ମଧ୍ୟାହ୍ନ ଗୋଟାଏ ବେଳେ ଜିଲ୍ଲା ଚିକିତ୍ସାଳୟ ଆଉଟଡ଼ୋର ସମ୍ମୁଖରେ ପହଞ୍ଚିଥିଲେ । ମନ୍ତ୍ରୀ ଆସୁଥିବାର ଖବର ପାଇ ଡ଼ିଆରଡ଼ିଏ ସମ୍ମିଳନୀ କକ୍ଷରେ ଯୋଜନା ବୋର୍ଡ଼ ବୈଠକରେ ଉପସ୍ଥିତ ଥିବା ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ ମନ୍ତ୍ରୀଙ୍କ ନିକଟରେ ପହଞ୍ଚି ଯାଇଥିଲେ । ପ୍ରଥମେ ଆଉଟଡ଼ୋର ସମ୍ମୁଖରେ ମନ୍ତ୍ରୀ ଶ୍ରୀ ଦାସ ଅପେକ୍ଷାରତ କିଛି ରୋଗୀ ଓ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ପରେ ସେ ଡ଼ାଏଲିସିସ ସେଣ୍ଟର, ଟ୍ରମା ସେଣ୍ଟର ଓ ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ପହଞ୍ଚି ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ ସେମାନେ ପାଉଥିବା ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ତେବେ ଅର୍ନ୍ତବିଭାଗର କୌଣସି ରୋଗୀ ବା ସେମାନଙ୍କ ସମ୍ପର୍କୀୟଙ୍କ ଠାରୁ କୌଣସି ପ୍ରକାର ଅଭିଯୋଗ ମନ୍ତ୍ରୀଙ୍କ ଦୃଷ୍ଟି ଗୋଚର ହୋଇନଥିଲା । ତେବେ ବିଭିନ୍ନ ୱାର୍ଡ଼ ବୁଲିବା ପରେ ଶେଷରେ ମନ୍ତ୍ରୀ ଶ୍ରୀ ଦାସ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଉପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ବୈଠକରେ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ବ୍ୟତୀତ ଜିଲ୍ଲାପାଳ ଜ୍ଞାନ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ଆର୍ଯ୍ୟ ମିଶ୍ର, ଅତିରିକ୍ତ ଚିକିତ୍ସାଧିକାରୀ ଡ଼ା. ପ୍ରଦୀପ ଖୁଣ୍ଟିଆ, ତିହିଡ଼ି ବ୍ଳକ ଅଧ୍ୟକ୍ଷା ବିଦ୍ୟୁତ୍ ଲତା ନାୟକ, ଚାନ୍ଦବାଲି ବିଧାୟକଙ୍କ ପ୍ରତିନିଧି ଅଶୋକ ବଳ, ଯୁବନେତା ପ୍ରବୀର ଜେନା, ଛାତ୍ର ନେତା ତଥାଗତ ସାମଲଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ରଗତ ସମସ୍ୟା ଉପରେ ଆଲୋଚନା କରିଥିଲେ ।

ତେବେ ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ ପ୍ରଶ୍ନ ଉତଥାପନ କରିଥିଲେ । ୪ବର୍ଷ ଧରି ଅଲଟ୍ରା ସାଉଣ୍ଡ ମେସିନ ଅଚଳ ରହିଛି । ଡ଼ାକ୍ତରମାନେ ଠିକ ସମୟରେ ମେଡ଼ିକାଲ ଆସୁ ନାହାନ୍ତି । ଡ଼ାକ୍ତରଙ୍କ ଅଭାବ ରହିଛି । ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ବ୍ୟାପକ ଲାଞ୍ଚ କାରବାର ଚାଲିଛି । ଡ଼ାକ୍ତରଙ୍କ ଅବହେଳାରୁ ମହିଳା ମେଡ଼ିକାଲ ବାରଣ୍ଡାରେ ପ୍ରସବ କରୁଛନ୍ତି । ଅପରାହ୍ନ ୨ଟା ପରେ ନିଦାନ ବିଭାଗରୁ ରୋଗୀ ଉପକୃତ ହୋଇ ପାରୁ ନାହାନ୍ତି । ଜମି ଓ ଅର୍ଥ ଥାଇ ମଧ୍ୟ ଜିଲ୍ଲା ଚିକିତ୍ସାଳୟର ନୂତନ ବିଲଡ଼ିଂ ଗୃହ ନିର୍ମାଣ ହୋଇ ପାରୁନି । ଶଯ୍ୟା ଅଭାବରୁ ରୋଗୀ ବାରଣ୍ଡାରେ ଶୋଇ ଚିକିତ୍ସିତ ହେଉଛନ୍ତି । ଏହିପରି ବିଭିନ୍ନ ସମସ୍ୟାଭିତ୍ତିକ ପ୍ରଶ୍ନରେ ମନ୍ତ୍ରୀ ଶ୍ରୀ ଦାସ ନିରୁତ୍ତର ରହିବା ସହ ଉତ୍ତର ଦେବାକୁ ସିଡ଼ିଏମଓଙ୍କୁ କହିଥିଲେ । କିନ୍ତୁ ସିଡ଼ିଏମଓଙ୍କ ସମେତ ଜିଲ୍ଲାପାଳ ଓ ଅନ୍ୟାନ୍ୟ ନିର୍ବାଚିତ ଲୋକ ପ୍ରତିନିଧିମାନେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ଯାହାକି ଜିଲ୍ଲାରେ ନିମ୍ନଗାମୀ ସ୍ୱାସ୍ଥ୍ୟବସ୍ଥାର ବାସ୍ତବ ଚିତ୍ରକୁ ସମ୍ମୁଖକୁ ଆଣିଥିଲା । ତେବେ ମନ୍ତ୍ରୀ ଶ୍ରୀ ଦାସ ନୂତନ ବିଲଡ଼ିଂ ନିର୍ମାଣ ଓ ୪ବର୍ଷ ଧରି ଅଲଟ୍ରା ସାଉଣ୍ଡ ମେସିନ ଅଚଳ ହୋଇ ରହିବା ପ୍ରସଙ୍ଗରେ ବିରକ୍ତି ପ୍ରକାଶ କରିଥିଲେ । ଆସନ୍ତା ୭ଦିନ ମଧ୍ୟରେ ଏକ ସ୍ୱତନ୍ତ୍ର ଟିମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଭିତ୍ତିଭୂମୀ ଓ ସମସ୍ୟା ଉପରେ ଅନୁଧ୍ୟାନ କରିବ । ଏହା ବ୍ୟତୀତ ଭଦ୍ରକରେ ଏକ ମେଡ଼ିକାଲ କଲେଜ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱର ସହ ବିଚାର କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଦାସ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ ।

୫ଟି କାର୍ଯ୍ୟକ୍ରମରେ ମନ୍ତ୍ରୀ ଓ ସଚିବମାନେ ପୂର୍ବରୁ କୌଣସି ସୂଚନା ନଦେଇ ବିଭିନ୍ନ ଅଞ୍ଚଳ ଗସ୍ତ କରିବା କଥା । କିନ୍ତୁ ଆଶ୍ୱଯ୍ୟଜନକଭାବେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଆଗୁଆ ସୂଚନା ମିଳିଯାଇଥିଲା ଜିଲ୍ଲା ଓ ସ୍ୱାସ୍ଥ୍ୟ ବିଭାଗ ପ୍ରଶାସନକୁ । ତେଣୁ ସମସ୍ତେ ଖୁବ କମ୍ ସମୟ ମଧ୍ୟରେ ସତର୍କ ହୋଇଯାଇଥିଲେ । ଗତ ୧ମାସ ଧରି ସମ୍ଭାବ୍ୟ ୫ଟି ସଚିବଙ୍କ ଗସ୍ତକୁ ନେଇ ପ୍ରସ୍ତୁତ ଥିଲେ ମେଡ଼ିକାଲ କର୍ତ୍ତୃପକ୍ଷ । ତେଣୁ ବିଶେଷ କିଛି ପରିଶ୍ରମ କରିବାକୁ ପଡ଼ିନଥିଲା କର୍ତ୍ତୃପକ୍ଷଙ୍କୁ । ମନ୍ତ୍ରୀଙ୍କ ନଜରକୁ ମଧ୍ୟ ରୋଗୀ କିମ୍ବ ସେମାନଙ୍କ ସମ୍ପର୍କୀୟଙ୍କ ଠାରୁ କୌଣସି ଅଭିଯୋଗ କିମ୍ବା ଅନିୟମିତତା ଆସିନଥିଲା । ପରିମଳ ଠାରୁ ଆରମ୍ଭ କରି ରୋଗୀଙ୍କ ଖାଦ୍ୟ ବ୍ୟବସ୍ଥା ପର୍ଯ୍ୟନ୍ତ ସବୁକିଛିକୁ ନେଇ ସନ୍ତୋଷ ପ୍ରକଟ କରିଥିଲେ ମନ୍ତ୍ରୀ । ତେବେ ଜିଲ୍ଲାର ଅସଲ ସ୍ୱାସ୍ଥ୍ୟ ସମସ୍ୟାକୁ ମନ୍ତ୍ରୀଙ୍କ ନଜର ଆଣିଥିଲେ ଗଣମାଧ୍ୟମ ପ୍ରତିନିଧି । ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ନୂତନ ମେଡ଼ିକାଲ ବିଲଡ଼ିଂ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ମନ୍ତ୍ରୀ କହିବା ସହ ସମସ୍ତ ବିଧାୟକ ଓ ସାଂସଦଙ୍କୁ ନେଇ ଜିଲ୍ଲାର ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ଏକ ଜରୁରୀ ସମକ୍ଷା ବୈଠକ ସେ କରିବେ ବୋଲି କହିଥିଲେ । ବିଶେଷକରି ଫାଙ୍କା ପଡ଼ିଥିବା ଡ଼ାକ୍ତର ପଦବୀ ଶତପ୍ରତିଶତ ପୂରଣ ହୋଇ ନପାରିଲେ ମଧ୍ୟ ଅନ୍ୟ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *