ମୁହଁ ଖୋଲିଲେ ସମିତି ସଭ୍ୟା ମହରମପୁର ପଞ୍ଚାୟତରେ ଆବାସ ଯୋଜନାରେ ଜାଲିଆତି
ତିହିଡି,୩/୧୧ (ସ୍ପା) ପୁରୁଣା ନଦୁ କାନ୍ଥ, ଭଙ୍ଗା ଦଦରା ଚାଳ ଓ ଆଜବେଷ୍ଟସ୍ ଘର ଆଉ ରହିବ ନାହିଁ । ଦୀନଦୁଃଖି, ଗରିବ, ଅସହାୟ, ଭିନ୍ନକ୍ଷମ, ବିଧବା ଓ ବିପନ୍ନମାନଙ୍କୁ ପ୍ରାଥମିକ ସ୍ତରରେ ଚିହ୍ନଟ କରିବା ସହିତ ତକ୍ରାଳ ଭିତ୍ତିରେ ସରକାରୀ ପକ୍କାଗୃହ ଯୋଗାଇ ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ସରକାରଙ୍କ ପକ୍ଷରୁ ଅନୁମୋଦିତ ଉକ୍ତ ଆବାସ ଯୋଜନାର ପ୍ରାୟୋରିଟ୍ ଲିଷ୍ଟ ମୁତାବକ ଗୃହ ଯୋଗାଇ ଦେବାର ପ୍ରଶାସନର ଦାୟିତ୍ୱ ରହିଥିବା ବେଳେ ସ୍ଥାନୀୟ ନେତା, ଦଲାଲ ଏପରିକି ପ୍ରଶାସନିକ ସ୍ତରରେ ତଳିଆ କର୍ମଚାରୀମାନଙ୍କ ଲିଷ୍ଟକୁ ବାଦ୍ ଦିଆଯାଉଛି । ଯାହା ଫଳରେ ପ୍ରକୃତ ହିତାଧିକାରୀ ବାଦ୍ ପଡୁଥିବା ବେଳେ ମାମେମାଲ ହେଉଛି ସରକାରୀ କର୍ମଚାରୀ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମହରମପୁର ପଞ୍ଚାୟତର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକଭାବେ ଜାଲିଆତି ହୋଇଥିବା ସମ୍ପର୍କରେ ମୁହଁ ଖୋଲିଛନ୍ତି ସମିତି ସଭ୍ୟା ପ୍ରିତିକଳା ଦାସ । ଏହି ପଞ୍ଚାୟତରେ ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀ ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ହାତଖର୍ଚ୍ଚ ନେଇ ଆବାସ ଯୋଜନା ପ୍ରଦାନ କରୁଥିବା ବେଳେ ବହୁ ପକୃତ ହିତାଧିକାରୀ ବାଦ୍ ପଡୁଥିବା ତାଙ୍କ ନଜରକୁ ଆସିଛି । ମୂଳ କ୍ରମିକ ନମ୍ବର ବାଦ୍ ଦିଆଯାଇ ପଛରେ ଥିବା ହିତାଧିକାରୀଙ୍କୁ ତାଲିକାଭୁକ୍ତ କରାଯାଇଛି । ପୂର୍ବରୁ ଏହି ଯୋଜନାରେ ଭାଗିଦାର ହୋଇଥିବା ବ୍ୟକ୍ତିଙ୍କୁ ମଧ୍ୟ ସାମିଲ କରାଯାଇଛି । କୋଠାବାଡି ଥିବା ବ୍ୟକ୍ତି ବିଶେଷ, ବିତ୍ତଶାଳୀ ଲୋକଙ୍କୁ ମଧ୍ୟ ସାମିଲ କରାଯାଇଥିବା ବେଳେ ଏକାଧିକ ଗୃହ ପାଇଥିବା କେତେକ ଉଦାହରଣ ରହିଛି । ଏହି ପଞ୍ଚାୟତର ଗୋଲକ ନାୟକ, କାଶିନାଥ ପଶୁପାଳକ, ଦୁରମଣି ରାଉତ, ବସନ୍ତ ନାୟକ, ହେମନ୍ତ ବେହେରା, ଦୁର୍ଗାବତୀ ନାୟକ, ଅରୁଣ ସାହୁ, କୁନ୍ତଳା ବେହେରା, ଗୋକୁଳ ବଳ, ସାରଦା ବାରିକ ଓ କୋଇଲିତ ପତି ପ୍ରମୁଖ ବହୁ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବାଦ୍ ପଡିଥିବା ଅଭିଯୋଗ ହୋଇଛି । ବ୍ଲକ ପ୍ରଶାସନ ପକ୍ଷରୁ ଉପଯୁକ୍ତ ତଦନ୍ତ କରାଯିବା ସହିତ ପ୍ରକୃତ ହିତାଧିକାରୀଙ୍କୁ ତୁରନ୍ତ ଏହି ଯୋଜନାରେ ସାମିଲ କରିବା ଏବଂ ଜାଲିଆତି କରିଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ବିଡିଓଙ୍କ ଠାରେ ଦାବୀ କରିଛନ୍ତି । ଏଥିରେ ବ୍ୟତିକ୍ରମ ହେଲେ ପ୍ରକୃତ ହିତାଧିକାରୀଙ୍କ ସହିତ ସେ ଆଇନ୍ ଅମାନ୍ୟ ଆନ୍ଦୋଳନରେ କରିବା ଲାଗି ଚେତାବନି ଦେଇଛନ୍ତି । ଏ ସମ୍ପର୍କରେ ବିଡିଓ ଦିବ୍ୟଜ୍ୟୋତି ସ୍ମତିରଞ୍ଜନ ଦେଓଙ୍କୁ ପଚାରିବାରୁ ସମିତି ସଭ୍ୟାଙ୍କ ଅଭିଯୋଗ ମୁତାବକ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀଙ୍କ ଜରିଆରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି