Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପୋଲ ନ ଥିବାରୁ ବନ୍ୟାପାଣି ହେଉଛି କାଳ,ଲୋକେ ହେଉଛନ୍ତି ହଇରାଣ

1 min read

ବାଲେଶ୍ବର ୧୮/୭(ସଖପ୍ର): ରାସ୍ତା ଅଛି ପୋଲ ନାହିଁ ବନ୍ୟା ଜଳରେ ଭାସୁଛନ୍ତି ଲୋକେ । ଏମିତି ଏକ ଘଟଣା ଦେଖାଯାଇଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଖଇରା ପଞ୍ଚାୟତ ଆଳଦା ଗ୍ରାମରେ । ଏହି ଗ୍ରାମକୁ ୫୭ ନମ୍ବର ରାଜ୍ୟ ରାଜପଥ କରିଛି ଦୁଇଭାଗ । ରାଜପଥ ପାର୍ଶ୍ବରେ ଥିବା ଶିବମନ୍ଦିର ଠାରୁ ମହାରଥା ସାହି ଦେଇ ତୋରାଣିପଦାକୁ ଯାଇଛି ଏକ ମାଟି ରାସ୍ତା । ହେଲେ ଏହି ରାସ୍ତାରେ ଗୋଟିଏ ବି ହେଲେ ପକ୍କା ଢଳେଇ ପୋଲ ନାହିଁ, କିନ୍ତୁ ପ୍ରତିବର୍ଷ ମାଟିକାମ ଦ୍ବାରା ରାସ୍ତା ଉଚ୍ଚା ହେବାରେ ଲାଗିଛି । ପୋଲ ନ ଥିବାରୁ ବନ୍ୟା ସମୟରେ ବନ୍ୟା ପାଣି ଜମି ରହିବା ଦ୍ବାରା ଗ୍ରାମର ୮ନମ୍ବର ୱାର୍ଡ କୁମ୍ଭାର ସାହି ପ୍ରତିବର୍ଷ ବନ୍ୟାରେ ଉବୁଡୁବୁ ହେଉଛି । ଲୋକ ମାନେ ନିଜ ଜୀବନକୁ ବଞ୍ଚାଇବା ଏଣେତେଣେ ଧାଇଁବା ସହିତ ବାଧ୍ୟ ହେଉଛନ୍ତି ରାସ୍ତା ହାଣିବାକୁ । ଅପରପକ୍ଷେ ରାସ୍ତାରେ ଘାଇ ସୃଷ୍ଟି ହେବା ଯୋଗୁଁ ସେହି ରାସ୍ତା ଉପରେ ନିର୍ଭର କରୁଥିବା ଲୋକମାନେ ଯାତାୟତରେ ହଇରାଣ ହେଉଛନ୍ତି । ପୋଲଟିଏ ନିର୍ମାଣ ପାଇଁ ପ୍ରଶାସନ ଓ ରାଜନେତାଙ୍କ ପାଖରେ ଗୁହାରି ମଧ୍ୟ କରିଛନ୍ତି । ତା’ପରେ ବି ସ୍ଥାନୀୟ ବିଧାୟକ ତଥା ପର୍ଯ୍ୟଟନ ମନ୍ତ୍ରୀ ଜ୍ଯୋତିପ୍ରକାଶ ପାଣିଗ୍ରାହୀଙ୍କୁ ଭେଟି ପୋଲ ନିର୍ମାଣ ନିମନ୍ତେ ଗୁହାରି କରିଛନ୍ତି ଗ୍ରାମବାସୀ । ତୁରନ୍ତ ମନ୍ତ୍ରୀ ମହୋଦୟ ଘଟଣା ସ୍ଥଳ ପରିଦର୍ଶନ କରି ଏକ ପୋଲ ନିର୍ମାଣର ବ୍ଯବସ୍ଥା କରାଇଲେ ବନ୍ୟା ପାଣି ନିଷ୍କାସନ ସହିତ କୁମ୍ଭାରସାହି ବାସିନ୍ଦାଙ୍କ ଜନଜୀବନ ରକ୍ଷା ପାଇପାରନ୍ତା ବୋଲି ଗ୍ରାମବାସୀ କହିଛନ୍ତି । ଦେଖାଯାଉ ହୁମପାଇପ୍ ପରିବର୍ତ୍ତେ ପକ୍କା ଢଳେଇ ପୋଲ ନିର୍ମାଣ ପାଇଁ କେବେ ହେଉଛି ମନ୍ତ୍ରୀଙ୍କ ଦୟା ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *