ଆରମ୍ଭ ହେଲା ‘ଆମ ସାଥୀ’ ହ୍ବାଟ୍ସ ଆପ୍, ମିଳିବ ଜନ୍ମ, ମୃତ୍ୟୁ ସାର୍ଟିଫିକେଟ ଓ ଉତ୍ତରାଧିକାରୀ, ବାସସ୍ଥାନ, ଆୟ ପ୍ରମାଣପତ୍ର

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶ ପରେ ଓଡ଼ିଶା ହେଉଛି ଦେଶର ଦ୍ୱିତୀୟ ରାଜ୍ୟ, ଯିଏ ମେଟା ସହ ମିଶି ଏଭଳି ଏକ ଚାଟବଟ୍ ଆରମ୍ଭ କରିଛି । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ମେସେଜ୍ କିମ୍ବା ଭଏସ କମାଣ୍ଡ ପଠାଇ ଏହି ସରକାରୀ ସେବାଗୁଡ଼ିକୁ ହାସଲ କରିହେବ ।
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଜି ଲୋକସେବା ଭବନରେ ‘ଆମ ସାଥୀ’ ନାମକ ହ୍ୱାଟସଅପ ଚାଟବଟ୍ ଓ ଓଡ଼ିଶା ରାଇଟ ଟୁ ପବ୍ଲିକ ସର୍ଭିସେସ ଆକ୍ଟ (ORTPSA) ସେଂଟ୍ରାଲ ମନିଟରିଂ ସିଷ୍ଟମ-୨ ଡାସବୋର୍ଡର ଲୋକାର୍ପଣ କରିଛନ୍ତି । ଏହି ପ୍ରୟାସ ରାଜ୍ୟରେ ଡିଜିଟାଲ ଶାସନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ଉଭୟ (Odia)ଓଡ଼ିଆ ଓ (English) ଇଂରାଜୀ ଭାଷାରେ ମେସେଜ୍ କିମ୍ବା ଭଏସ କମାଣ୍ଡ ପଠାଇ ଏହି ସରକାରୀ ସେବାଗୁଡ଼ିକୁ ହାସଲ କରିହେବ । ଆଗାମୀ ଦିନରେ ଏହି ହ୍ୱାଟସଅପ୍ ଚାଟବଟ୍ ମାଧ୍ୟମରେ ନାଗରିକଙ୍କୁ ୫୦୦ରୁ ଅଧିକ ସରକାରୀ ସେବା ପ୍ରଦାନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଆନ୍ଧ୍ରପ୍ରଦେଶ ପରେ ଓଡ଼ିଶା( Government of Odisha) ହେଉଛି ଦେଶର ଦ୍ୱିତୀୟ ରାଜ୍ୟ, ଯିଏ ମେଟା ସହ ମିଶି ଏଭଳି ଏକ ଚାଟବଟ୍ ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ(CM Mohan Majhi)ଙ୍କ ସରକାର ରାଜ୍ୟରେ ଡିଜିଟାଲ ନାଗରିକ ସେବା ପ୍ରଦାନ ବ୍ୟବସ୍ଥାରେ ଏହି ଐତିହାସିକ ପଦକ୍ଷେପ ନେଇଛନ୍ତି ।
‘ଆମ ସାଥୀ’ ଚାଟବଟ୍: ନାଗରିକଙ୍କୁ ସେବା ପ୍ରଦାନ ପାଇଁ ଡିଜିଟାଲ ସାଥୀ
ମେଟା ସହଭାଗିତାରେ ରାଜ୍ୟ ସରକାର ଆରମ୍ଭ କରିଥିବା ‘ଆମ ସାଥୀ’ ଚାଟବଟ୍ ହେଉଛି ଏକ ଏକୀକୃତ ପ୍ଲାଟଫର୍ମ, ଯାହା ମାଧ୍ୟମରେ ସାଧାରଣ ନାଗରିକ ୧୨୦ରୁ ଅଧିକ ସରକାରୀ ସେବାର ଲାଭ ଉଠାଇ ପାରିବେ । ଏହି ଚାଟବଟ୍ ଏକ ନିର୍ଦ୍ଦିଷ୍ଟ ହ୍ୱାଟ୍ସଆପ ନମ୍ବର-୯୪୩୭୨୯୨୦୦୦ ମାଧ୍ୟମରେ ଉପଲବ୍ଧ ହେବ । ଏହା ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ କାର୍ଯ୍ୟ କରିବ । ଏଥିରେ ଭଏସ କମାଣ୍ଡ ବା ଭଏସ୍ ଆଦେଶ ସୁବିଧା ମଧ୍ୟ ରହିଛି, ଯାହାକି ଏହାର ବ୍ୟବହାରକୁ ଅଧିକ ସହଜ ଓ ସରଳ କରାଇଛି । ଆଗାମୀ କିଛି ମାସ ମଧ୍ୟରେ ଏହି ଚାଟବଟ୍ ମାଧ୍ୟମରେ ରାଜ୍ୟ ସରକାର ୫୦୦ରୁ ଅଧିକ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି । ୨୦୨୬ ମାର୍ଚ୍ଚ ସୁଦ୍ଧା ସମସ୍ତ ସରକାରୀ ସେବା ଏହି ପ୍ଲାଟଫର୍ମ ମାଧ୍ୟମରେ ଉପଲବ୍ଧ କରାଇବାର ଲକ୍ଷ୍ୟ ରହିଛି । ଏହି ଚାଟବଟ୍ ସେଂଟର ଫର ମଡର୍ନାଇଜିଂ ଗଭର୍ନମେଂଟ ଇନିସିଏଟିଭ (CMGI) ଏବଂ ମେଟା ଇଣ୍ଡିଆ ଦ୍ୱାରା ବିକଶିତ ହୋଇଛି ।
ମୁଖ୍ୟ ସେବାଗୁଡ଼ିକ
ପ୍ରମାଣପତ୍ର ପାଇଁ ଆବେଦନ: ଜନ୍ମ, ଆୟ, ଜାତି ଓ ବାସସ୍ଥାନ ପ୍ରମାଣପତ୍ର ।
ଲାଇସେନ୍ସ ଆବେଦନ: ଡ୍ରାଇଭିଂ ଲାଇସେନ୍ସ ଏବଂ ଫର୍ଟିଲାଇଜର ଲାଇସେନ୍ସ ।
ପ୍ରୋତ୍ସାହନ ଯୋଜନା: ଜାତୀୟ ପରିବାର ଏବଂ ଅନ୍ତଃଜାତି ବିବାହ ପ୍ରୋତ୍ସାହନ ରାଶି ।
ଅଭିଯୋଗ ଦାଏର ଓ ଟ୍ରାକିଂ: ନିଜର ଅଭିଯୋଗ ଦାଏର କରି ତା’ର ସ୍ଥିତି ଯାଂଚ କରିପାରିବେ ।
ଅନ୍ୟାନ୍ୟ ସେବା: ଜରୁରୀ ସହାୟତା ପାଇଁ ପୋଲିସ ସହ ଯୋଗାଯୋଗ ।
ଜମି ରେକର୍ଡ ଓ ରାଜସ୍ୱ: ଜମି ସମ୍ବନ୍ଧୀୟ ତଥ୍ୟ ଏବଂ ରାଜସ୍ୱ ସେବା ।
ଶିକ୍ଷା, କୃଷି ଓ ଉଦ୍ୟାନ କୃଷି: ଛାତ୍ରଛାତ୍ରୀ ଓ କୃଷକମାନଙ୍କ ପାଇଁ ସମୟୋପଯୋଗୀ ସୂଚନା ଓ ସହାୟତା ।
ଗୃହ ଓ ସହରାଂଚଳ ଉନ୍ନୟନ: ସହରାଂଚଳ ସେବା ଏବଂ ସାଧାରଣ ପ୍ରଶାସନ ସଂପର୍କିତ ସୁବିଧା ।
ନାଗରିକଙ୍କୁ ସେବା ପ୍ରଦାନରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ
ଏହି ଅବସରରେ ଓଡ଼ିଶା ରାଇଟ ଟୁ ପବ୍ଲିକ ସର୍ଭିସେସ ଆକ୍ଟ (ଓଆରଟିପିଏସଏ) ସେଂଟ୍ରାଲ ମନିଟରିଂ ସିଷ୍ଟମ ୨.୦ ଡାସବୋର୍ଡର ମଧ୍ୟ ଲୋକାର୍ପଣ କରାଯାଇଛି । ଏହି ଡାସବୋର୍ଡ ସରକାରୀ ସେବାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବ । ଏହା ମାଧ୍ୟମରେ ଆବେଦନର ଅଗ୍ରଗତି ଟ୍ରାକ କରାଯାଇପାରିବ ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେବା ଯୋଗାଇ ନଦେଲେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମୁଖ୍ୟ ସଚିବ ମନୋଜ ଆହୁଜା କହିଛନ୍ତି, ଆମ ସାଥୀ’ ଚାଟବଟ୍ ଏବଂ ଓଆରଟିପିଏସଏ ଡାସବୋର୍ଡ ୨.୦ ମାଧ୍ୟମରେ ଆମେ ଶାସନ ବ୍ୟବସ୍ଥା ଓ ସେବାକୁ ନାଗରିକଙ୍କ ଡୋରଷ୍ଟେପକୁ ନେଇ ଆସିବୁ । ଏହି ପ୍ଲାଟଫର୍ମ ଗ୍ରାମାଂଚଳରୁ ସହରାଂଚଳ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ନାଗରିକ ସେବା ପ୍ରଦାନରେ ଥିବା ପ୍ରତିବନ୍ଧକକୁ ଦୂର କରିବ ।
ଆବେଦନ କରିବେ କିପରି ?
‘ଆମ ସାଥୀ’ ଚାଟବଟ୍ ବ୍ୟବହାର କରିବା ଅତ୍ୟନ୍ତ ସରଳ । ନାଗରିକମାନେ ଏସବୁ ପଦକ୍ଷେପ ଅନୁସରଣ କରି ସେବା ପାଇଁ ଆବେଦନ କରିପାରିବେ: ପ୍ରଥମେ ମୋବାଇଲ୍ ଫୋନ୍ ନମ୍ବର-୯୪୩୭୨୯୨୦୦୦କୁ ହ୍ୱାଟ୍ସଅପରେ ମେସେଜ ପଠାନ୍ତୁ । ନିଜ ବିବରଣୀ ପ୍ରଦାନ କରନ୍ତୁ । ଆବଶ୍ୟକୀୟ ସେବା ଚୟନ କରି ଆବେଦନ କରନ୍ତୁ । ଆବେଦନର ସ୍ଥିତି ଟ୍ରାକ କରନ୍ତୁ ଏବଂ ବିଳମ୍ବର କାରଣ ଜାଣନ୍ତୁ ।