10/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବନ୍ଦେ ଭାରତ ଟ୍ରେନ୍ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଦେଲା ଉତ୍କଳ ସମ୍ମିଳନୀ

ଜୟପୁର, ୧୭ା୭ :- ଭୁବନେଶ୍ୱର-ବିଶାଖପାଟଣା ମଧ୍ୟରେ ସପ୍ତାହରେ ୬ ଦିନ ଚାଲୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍‌କୁ ଭାୟା ଆରାକୁ ଦେଇ କୋରାପୁଟ ଯାଏଁ ସଂପ୍ରସାରଣ କରିବାକୁ ଆଜି ଉତ୍କଳ ସମ୍ମିଳନୀ ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏକ ଅନୁରୋଧ ପତ୍ର ପ୍ରଦାନ କରାଯାଇଛି । ସମ୍ମିଳନୀର କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ଏହି ଅନୁରୋଧ ପତ୍ରକୁ ଉପସଭାପତି ରାଜେନ୍ଦ୍ର କୁମାର ଗୌଡ଼ ଏବଂ ରାଜ୍ୟ ପରିଷଦ ସଭ୍ୟ ବାଲା ରାୟ ଜୟପୁର ଷ୍ଟେସନ୍‌ରେ ପୂର୍ବତଟ ରେଳ ଅଧିନସ୍ଥ ବିଶାଖପାଟଣା ରେଳ ଡିଭିଜନ୍‌ର ବାଣିଜ୍ୟ ପରିଚାଳକ ପ୍ରବୀଣ କୁମାର ଏବଂ ଏଡିଆର୍‌ଏମ୍ ଇ ସାନ୍ଥାରାମ୍‌ଙ୍କୁ ଭେଟି ଆଲୋଚନା କରିବା ସହ ପ୍ରଦାନ କରିଥିଲେ । ଆଲୋଚନା କାଳରେ ସମ୍ମିଳନୀ ପକ୍ଷରୁ କୁହାଯାଇଥିଲା ଯେ, ସାଧାରଣତଃ ୮୦୦ କିମି ଦୂରତା ମଧ୍ୟରେ ରହିଥିବା ପ୍ରମୁଖ ସହର ଗୁଡ଼ିକର ଯାତ୍ରୀଙ୍କ ସୁବିଧା ପାଇଁ ରେଳ ବିଭାଗ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ପରିକଳ୍ପନା କରିଛି । କିନ୍ତୁ ଓଡ଼ିଶାରେ ଚାଲୁଥିବା ୫ଟି ମଧ୍ୟରୁ ଭୁବନେଶ୍ୱର-ବିଶାଖପାଟଣା ବନ୍ଦେ ଭାରତ ୫ ଘଂଟାରେ ସର୍ବନିମ୍ନ ୪୪୨ କିମି ଗଡ଼ି ବିଶାଖପାଟଣାରେ ୪ ଘଂଟା ଏବଂ ଭୁବନେଶ୍ୱରରେ ୬ ଘଂଟା ଠିଆ ରହୁଛି । ଏହି ୧୦ ଘଂଟାର ହାଲ୍ଟିଂ ସମୟକୁ ଉପଯୋଗ କରି ଯଦି ଏହି ଟ୍ରେନ୍‌କୁ ଆରାକୁ ଦେଇ କୋରାପୁଟ ଯାଏଂ ମାତ୍ର ୨୧୫ କିମି ସଂପ୍ରସାରଣ କରାଯାଇ ପାରିଥାନ୍ତା, ତେବେ ବନ୍ଦେ ଭାରତ ଏକ୍ସପ୍ରେସ୍ ପରିକଳ୍ପନାର ସାର୍ଥକତା ଆସିବା ସମ୍ଭବ ବୋଲି ପତ୍ର ମାଧ୍ୟମରେ କୁହାଯାଇଥିଲା । ପୁଣି ଦର୍ଶାଯାଇଛି ଯେ, କୋରାପୁଟରୁ ୬୮୦ କିମି ଅତିକ୍ରାନ୍ତ କରି ରାୟଗଡ଼ା ଦେଇ କେବଳ ଗୋଟିଏ ମାତ୍ର ଟ୍ରେନ୍ ହିରାଖଣ୍ଡ ଏକ୍ସପ୍ରେସ୍ ରାଜ୍ୟ ରାଜଧାନୀକୁ ୧୩ ଘଂଟା ଯାତ୍ରା କରି ପ୍ରତ୍ୟେହ ସଂଯୋଗ କରୁଛି । ଯଦି ବନ୍ଦେ ଭାରତ ୨୦୮୪୧କୁ ସଂପ୍ରସାରଣ କରାଯାଏ ତେବେ କୋରାପୁଟରୁ ଭୁବନେଶ୍ୱର ଯାତ୍ରା ହିରାଖଣ୍ଡ ତୁଳନାରେ ୩୦ କିମି କମ୍ ପଡିବା ସହ ଯାତ୍ରୀଙ୍କ ୫ ଘଂଟା ସମୟ ଅପଚୟ ନ ହୋଇ ବଂଚିଯିବ । ତେଣୁ ବିଭାଗ ପକ୍ଷରୁ ତୁରନ୍ତ ଏହାକୁ କରାଯିବା ଉଚିତ ବୋଲି ସମ୍ମିଳନୀ ପକ୍ଷରୁ କୁହାଯାଇଥିଲା । ଏହାକୁ ନେଇ ଡିଭିଜିନାଲ୍ କମର୍ସିଆଲ୍ ମ୍ୟାନେଜର ପ୍ରବୀଣ କୁମାର କହିଥିଲେ ଯେ, ଏ ଦାବି ସଂପର୍କିତ ସୂଚନା ଆମ ପାଖେ ପହଂଚିଛି ଏବଂ ଏହାର ତର୍ଜମା ଚାଲିଛି । ସେହିପରି ଦୀର୍ଘ ୧୮ ଦିନ ହେଲା ଯାତ୍ରୀବାହି ଟ୍ରେନ୍ ଗୁଡ଼ିକ ଜୟପୁର ଦେଇ ଯିବା ଆସିବ କରୁନଥିବାରୁ ତୁରନ୍ତ ଏହାର ସମାଧାନ କରିବାକୁ ଦାବି ରଖାଯାଇଥିବା ବେଳେ ଜୟପୁରରେ ନିର୍ମାଣାଧିନ ଅମୃତ ଭାରତ ରେଳ ଷ୍ଟେସନ୍‌ରୁ ସିଧା ସଳଖ ଜାତୀୟ ରାଜପଥ ୩୨୬କୁ ଏକ ସଂଯୋଗ ରାସ୍ତା ନିର୍ମାଣ ପାଇଁ କୁହାଯାଇଥିଲା । ଉଭୟ ଅଧିକାରୀ ଦାବି ଗୁଡ଼ିକୁ ଗଂଭିରତାର ସହ ବିଚାର କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଦାବି ପତ୍ର ପ୍ରଦାନ ସମୟରେ ପବିତ୍ର ମୋହନ ପାତ୍ର, ବଳରାମ ପାଇକରାୟ, ସତ୍ୟ ନାରାୟଣ ତ୍ର୍ରିପାଠୀ, ପ୍ରଭାକର ରଥ, ସୁଶୀଲ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ବାଣିଜ୍ୟ ନିରୀକ୍ଷକ ସୁନୀଲ କୁମାର ପୃଷ୍ଟିଙ୍କ ଅନେକ ରେଳ ବିଭାଗ ଅଧିକାରୀ ଉପସ୍ଥିତ ରହିଥିଲେ । ରେଳ ବିଭାଗ ଅଧିକାରୀ ମାନେ ଜୟପୁର ରେଳ ଷ୍ଟେସନ୍‌ରେ ଚାଲୁରହିଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *