10/10/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

୧୫ କାର୍ଯ୍ୟାଳୟରେ ଅଧିକାରୀଙ୍କ ଦରମା ବନ୍ଦ

କଟକ: ଜିଲାର ବିିଭିନ୍ନ କାର୍ଯ୍ୟାଳୟରେ ସଂଖ୍ୟାଧିକ ଅଭିଯୋଗ ରହିଥିବାବେଳେ ଏହାକୁ ସମାଧାନ କରାଯାଉନାହିଁ। ଲୋକଙ୍କ ସମସ୍ୟା ସମାଧାନରେ ବିଳମ୍ବ ହେଉଥିବାରୁ ଏହା ଅଧିକାରୀଙ୍କ ଉପରେ ମହଙ୍ଗା ପଡ଼ିଛି।  ଜିଲାର ୧୫ ସରକାରୀ କାର୍ଯ୍ୟାଳୟରେ ସବୁ ଅଧିକାରୀଙ୍କ ଦରମା ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି। ସେଥିରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମଓ),ଏକାଧିକ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ରହିଛନ୍ତି।  ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ଚଳିତ ସେପ୍ଟେମ୍ବର ମାସର ଦରମା ବନ୍ଦ ନିମନ୍ତେ ଜିଲା କୋଷାଗାର ଅଧିକାରୀଙ୍କୁ ଜିଲାପାଳ ଚିଠି ଲେଖିଛନ୍ତି।

ରାଜ୍ୟ ସରକାର ଜନ ଶୁଣାଣି ପୋର୍ଟାଲ ମାଧ୍ୟମରେ ଲୋକଙ୍କ ସମସ୍ୟାର ସମାଧାନ କରିବା ଉପ​ରେ ଗୁରୁତ୍ବ ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସବୁ ଜିଲାରେ କିଭଳି ତ୍ବରିତ ପଦକ୍ଷେପ ନିଆଯିବ, ସେଥିପାଇଁ ନିର୍ଦେଶ ଦିଆଯାଇଛି। ଏଥିସହ ଏହାର ଏକ ରିପୋର୍ଟ ମଧ୍ୟ ଦେବାର ବ୍ୟବସ୍ଥା ରହିଛି; କିନ୍ତୁ ଚଳିତ ମାସ ଜିଲାରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ବହୁ ଅଭିଯୋଗ ସମାଧାନ ହୋଇପାରିନଥିବା ଜଣାପଡ଼ିଛି। ସେଥିମଧ୍ୟରୁ ମାହାଙ୍ଗା ବିଡିଓଙ୍କ କାର୍ଯ୍ୟାଳୟରେ ୬୨ ଅଭିଯୋଗର ସମାଧାନ ହୋଇପାରିନଥିବାବେଳେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ୪୮ ଅଭିଯୋଗ ବଳକା ରହିଛି।

ସେହିଭଳି ନିଶ୍ଚିନ୍ତକୋଇଲି ବିଡିଓଙ୍କ କାର୍ଯ୍ୟାଳୟରେ ୪୩, ନରସିଂହପୁର ବିଡିଓଙ୍କର ଅଫିସରେ ୩୭,ତିଗିରିଆ ବିଡିଓଙ୍କ ଅଫିସରେ ୧୦, ଆଠଗଡ ବିଡିଓଙ୍କ କାର୍ଯ୍ୟାଳୟରେ ୧୦, ସାଲେପୁର ବିଡିଓଙ୍କ କାର୍ଯ୍ୟାଳୟରେ ୧୬,ନିଆଳି ବିଡିଓଙ୍କ କାର୍ଯ୍ୟାଳୟରେ ୧୫,ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ୪୧, ଜିଲା ଗ୍ରାମ୍ୟ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ୧୫, ଜଳସମ୍ପଦ ବିଭାଗରେ  ୧୩, ରାସ୍ତା ଏବଂ ନିର୍ମାଣ ଡିଭିଜନ-୧ ଏବଂ ୨ରେ  ୨୬ଟି ଅଭିଯୋଗର ସମାଧାନ ହୋଇପାରିନାହିଁ। ତେଣୁ ଦାୟିତ୍ବରେ ଅବହେଳା ଯୋଗୁଁ ସମ୍ପୃକ୍ତ କାର୍ଯ୍ୟାଳୟର ସବୁ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ଜିଲାପାଳ ଦତ୍ତାତ୍ରେୟ ଭାଉସ‌ାହେବ ସିନ୍ଦେ ନିର୍ଦେଶ ଦେଇଛନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *