ଶୁଭଯାତ୍ରା ଟ୍ରେନ ମାଧ୍ୟମରେ ରାୟଗଡା ଷ୍ଟେସନରେ ପହଁଚିଥିବା ୪୬୧ଜଣ ପ୍ରବାସୀ ଓଡିଆ ଶ୍ରମିକଙ୍କୁ ସ୍ୱାଗତ

ରାୟଗଡା ଜ଼ିଲ୍ଲା:( ପ୍ରତିନିଧି ଅମୁଲ୍ୟ ନିଶଙ୍କ) ତାଲାବନ୍ଦ ଯୋଗୁଁ ଆନ୍ଧ୍ର ପ୍ରଦେଶରେ ଫସି ରହିଥିବା ଶ୍ରମିକଙ୍କୁ ନେଇ ଦୁଇଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଗତ କାଲି ରାୟଗଡା ଷ୍ଟେସନରେ ପହଂଚିଥିଲା। ପ୍ରଥମ ଟ୍ରେନ ସକାଳ ୭ଘ ୩୦ମି ଓ ଅନ୍ୟଟି ସନ୍ଧ୍ୟା ୭ଘ ସମୟରେ ୨୦୯ ଓ ୨୫୨ ସର୍ବମୋଟ ୪୬୧ଜଣ ଶ୍ରମିକଙ୍କୁ ନେଇ ଆସିଥିଲା। ଦକ୍ଷିଣ ଭାରତର ଆନ୍ଧ୍ରପ୍ରଦେଶର କୁର୍ନୁଲ ଠାରୁ ବଲାଙ୍ଗିର ଭାୟା ରାୟଗଡା ଅଭିମୁଖେ ଆସିଥିବା ଶ୍ରମିକ୍ ସ୍ପେଶାଲ ଟ୍ରେନ ଗୁଣ୍ଟୁରରୁ ବାଲେଶ୍ବର ଅଭିମୁଖେ ଟ୍ରେନ ରାୟଗଡା ଷ୍ଟେସନ ଦେଇ ଚାଲିଥିଵା ଟ୍ରେନରେ ରାୟଗଡା ସମେତ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ଗଜପତି ଓ କନ୍ଧମାଳ ୫ଟି ଜିଲ୍ଳାର ୨୫୨ଜଣ ପ୍ରବାସୀ ଶ୍ରମିକ ରାୟଗଡା ରେଳ ଷ୍ଟେସନରେ ଶନିବାର ଦିନ ସଂଧ୍ୟା ସାଢେ ୭ଟା ସମୟରେ ପଂହଚିଛନ୍ତି । ଏମାନଙ୍କ ମଧ୍ୟରେ ରାୟଗଡା ଜିଲ୍ଳାର ୬୧ଜଣ ପ୍ରବାସୀ ଓଡିଆ ଶ୍ରମିକ ରହିଥିବା ବେଳେ ମାଲକାନଗିରି ୨୭, ନବରଙ୍ଗପୁର ସର୍ବାଧିକ ୧୧୫, କୋରାପୁଟ ୧୧, ଗଜପତି ୨୯ ଓ କନ୍ଧମାଳ ଜିଲ୍ଳାର ୯ଜଣ ଓହ୍ଳାଇଛନ୍ତି । ରେଳ ଷ୍ଟେସନରେ ରାୟଗଡା ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା, ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡାକ୍ତର ଶର୍ବଣା ବିବେକ ଏମ., ପିଡି-ଡିଆରଡିଏ ଅମ୍ରିତ ଋତୁରାଜ, ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ପ୍ରବାସୀଙ୍କୁ ସ୍ୱାଗତ କରିଥିଲେ ।
ଜିଲ୍ଳା ଓ ପୋଲିସ ପ୍ରଶାସନ ତରଫରୁ ପ୍ରବାସୀ ଶ୍ରମିକଙ୍କୁ ସ୍କ୍ରିନିଂ ପରେ ଷ୍ଟାମ୍ପିଂ କରାଯାଇଥିଲା । ପୂର୍ବପରି ସେମାନଙ୍କୁ ଖାଦ୍ୟପାନୀୟ ସହ ମାସ୍କ ବଂଟନ କରାଯାଇଥିଲା । ସାନିଟାଇଜର ଦ୍ୱାରା ହାତ ସଫା କରିବା ପରେ କ୍ୱାରେନଟାଇନ ନିୟମ ପାଳନ କରି ପଂଚାୟତଗୁଡିକରେ ହୋଇଥିବା ସଂଗରୋଧ କେନ୍ଦ୍ରରେ ମାନି ଚଳିବାକୁ ପରାମର୍ଶ ଦିଆଯାଇଥିଲା । ରାୟଗଡା ଜିଲ୍ଳାକୁ ଛାଡି ଅନ୍ୟ ୫ଟି ଜିଲ୍ଳାର ସଂପୃକ୍ତ ଜିଲ୍ଳା ଅଧିକାରୀମାନେ ପ୍ରବାସୀମାନଙ୍କୁ ନିଜ ସାଥିରେ ବସ ଓ ବଲେରୋ ଗାଡି ଦ୍ୱାରା ନେଇଥିବା ବେଳେ ଜିଲ୍ଳା ପୋଲିସର ଗୋଟିଏ ଗୋଟିଏ ଏସକଟ୍ ଗାଡି ସେମାନଙ୍କ ସୁରକ୍ଷିତ ଯାତ୍ର୍ରା ପାଇଁ ଜିଲ୍ଳା ସୀମାନ୍ତ ଯାଏଁ ଛାଡି ଆସିବାର ବ୍ୟବସ୍ଥା କରାଯାଇଥିଲା ।
ରାୟଗଡା ଜିଲ୍ଳା କାଶିପୁର ବ୍ଳକକୁ ୨୯ଜଣ, ରାୟଗଡକୁ ୨୦ଜଣ, ଚନ୍ଦ୍ରପୁର ୨ଜଣ, କୋଲନରା ଜଣେ, ବିଷମକଟକ ୭ ଓ ଗୁଡାରୀ ବ୍ଳକର ୨ଜଣ ସମୁଦାୟ ୬୧ଜଣ ପ୍ରବାସୀ ଶ୍ରମିକଙ୍କୁ ଜିଲ୍ଳା ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବସ ଯୋଗେ ଛଡାଯାଇଥିଲା । ଶନିବାର ଦିନ ସକାଳ ୭ଟାରେ ଦକ୍ଷିଣ ଭାରତର କୋଏମ୍ବାଟୁର ରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଆଉ ଏକ ସ୍ପେଶାଲ ଟ୍ରେନରେ ମଧ୍ୟ ୨୦୯ଜଣ ପ୍ରବାସୀ ଓଡିଆମାନଙ୍କୁ ମିଶାଇ ସମୁଦାୟ ଶନିବାର ଦିନ ୨ଟି ଟ୍ରେନ ଯୋଗେ ୪୬୧ଜଣ ପ୍ରବାସୀ ଓହ୍ଳାଇଥିଲେ । ତେବେ ଫେରନ୍ତା ପ୍ରବାସୀଙ୍କ ପାଇଁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଳା ପ୍ରଶାସନ ତରଫରୁ ପ୍ରଥମେ ସକାଳ ୫ଟା ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏବଂ ସଂଧ୍ୟାରେ ଅପରାହ୍ନ ୫ଟାରୁ ପୁଣି ରାତ୍ର ୯ଟା ପର୍ଯ୍ୟନ୍ତ ରାୟଗଡା ସହରର କିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଥିଲା ।
