10/25/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବାପୁଜୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନିର୍ମିତ ସଭାଗୃହ ଉଦଘାଟିତ

ଢେଙ୍କାନାଳ:ତା.୧୩.୦୭.୨୦୨୧ରିଖ: ନିକଟରେ ମୋ ସ୍କୁଲ୍ ଅଭିଯାନରେ ବାପୁଜୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନିର୍ମିତ ସଭାଗୃହ ଉଦ୍ଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆଲୁମିନି ସଭାପତି ଗୁପ୍ରେଶ୍ଵର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇ ତାଙ୍କ ବକ୍ତବ୍ୟରେ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ୍ ହେବା ପାଇଁ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସଦାସର୍ବଦା ନିଜ ପରିବାରରେ ଛୋଟ ପିଲାଠୁଁ ଆରମ୍ଭ କରି ବୟସ୍କଙ୍କୁ ସୃଜନଶୀଳ ବ୍ୟବହାର ପ୍ରଦର୍ଶନ କରିବା ନିମନ୍ତେ ପ୍ରବର୍ତ୍ତାଇବା ଆବଶ୍ୟକ । ଏହାଦ୍ଵାରା ଯେକୌଣସି ବିଦ୍ୟାଳୟରେ ବିଦ୍ୟାଶିକ୍ଷା ଲାଭ କରିଥିବାର ମାନ ବୃଦ୍ଧିହେବା ସହିତ ପ୍ରତ୍ୟକ୍ଷ ଭାବେ ମୋ ସ୍କୁଲ୍ ଅଭିଯାନର ମୂଲ୍ୟାଙ୍କନ ସାର୍ଥକ ହେବ । ସେଥିପାଇଁ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଆଗାମୀ ପିଢୀ ପାଇଁ ଏକ ସଂସ୍କାର ମୂଳକ ସମାଜ ଗଠନରେ ଉତ୍ତରଦାୟୀ ହୁଅନ୍ତି । ଯାହାକି ପରବର୍ତ୍ତୀ ପିଢୀଙ୍କ ପାଇଁ ମାର୍ଗଦର୍ଶନ ହୋଇଥାଏ ବୋଲି ସାଂସଦ ସ୍ଵୀୟ ବକ୍ତବ୍ୟରେ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ସାହୁ ତାଙ୍କ ଅଭିଭାଷଣ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ତଥା ବର୍ତମାନର ଶିକ୍ଷୟିତ୍ରୀମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରିଥିଲେ । ସମ୍ବର୍ଦ୍ଧନା କରିବାର ମୂଳ ଉଦେଶ୍ୟ ଥିଲା ଏହି ବାପୁଜୀ ସ୍କୁଲ୍‌କୁ ଆସି ପରିଚାଳନା ତୃଟିକୁ ସମାଧାନ କରିବା ଓ ନିଜ ସ୍କୁଲ୍ ଭାବି ସାହାଯ୍ୟ ସହଯୋଗ କରିବା ନିମନ୍ତେ ଅନୁରୋଧ କରିବା ସହିତ କରୋନା ମହାମାରୀ ସଂପର୍କରେ ସମସ୍ତ ପୁରାତନ ଛାତ୍ର, ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିଜ ପରିବାର ସହିତ ଛାତ୍ରମାନଙ୍କୁ ସଚେତନତା କରାଇବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ ସରକାରଙ୍କ ମୋ ସ୍କୁଲ୍ ଅଭିଯାନ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।

ବିଦ୍ୟୁତ ଲତା ନାୟକ,ପ୍ରଧାନ ଶିକ୍ଷୟତ୍ରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,କାଇମାଟି, ଢେଙ୍କାନାଳ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସମ୍ପାଦିକା ତଥା ପୂର୍ବତନ ଛାତ୍ରୀ ବାପୁଜୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଢେଙ୍କାନାଳର ମୋ ସ୍କୁଲ ଅଭିଯାନ ପାଣ୍ଠିକୁ ପାଞ୍ଚହଜାର ଟଙ୍କାର ଚେକ ସଭାରେ ମୁଖ୍ୟ ଅତିଥି ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ହସ୍ତରେ ପ୍ରଦାନ କରିଛନ୍ତି।ଏହାର ଦୁଇଗୁଣ ସରକାରୀ ମ୍ୟାଚିଂଗ୍ରାଣ୍ଟ ଦଶ ହଜାର ଟଙ୍କା ସ୍କୁଲ ମୋ ସ୍କୁଲ ସଞ୍ଚୟ ଅକାଉଣ୍ଟକୁ ଆସିବ ଫଳରେ ବିଦ୍ୟାଳୟକୁ ତାଙ୍କଦ୍ୱାରା ସମ୍ଭବ ହୋଇଥିବା ମୂଳ ଅନୁଦାନ ରାଶିର ତିନିଗୁଣ ମୋଟ ପନ୍ଦର ହଜାର ଟଙ୍କାର ଅର୍ଥରାଶିରେ ସ୍କୁଲର କୌଣସି ସର୍ବାଙ୍ଗୀନ ଉନ୍ନତି କାର୍ଯ୍ୟରେ ବିନିଯୋଗ ହୋଇପାରିବ।ସେହିଭଳି ଏହି ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଇଂ ସୂର୍ଯ୍ୟ ନାରାୟଣ ମିଶ୍ର ମୂଲ୍ୟବାନ ଆଲୋକ ଓ ଗୁଡ଼ିଏ ପଙ୍ଖାର ବ୍ୟବସ୍ଥା କରି ଅନ୍ୟମାନଙ୍କ ପାଇଁ ଆଦର୍ଶ ସାଜି ପାରିଛନ୍ତି।ଉପସ୍ଥିତ ସମସ୍ତେ ଉଭୟଙ୍କର ଏହି ବଦାନ୍ୟତାକୁ ଉଚ୍ଚ ପ୍ରଶଂସା କରି ସାଧୁବାଦ ଜଣାଇବା ସଂଗେ ସଙ୍ଗେ ଅନ୍ୟମାନେ ମଧ୍ୟ ତାଙ୍କର ପଦାଙ୍କ ଅନୁସରଣ କରି ତାଙ୍କପରି ଉଦାହରଣ ସୃଷ୍ଟି କରିପାରିବେ ବୋଲି ଆମର ଦୃଢ଼ ଆଶା ଓ ବିଶ୍ୱାସ ରହିଛି ବୋଲି ଦୃଢ଼ ମତପୋଷଣ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ହିନ୍ଦୋଳ ବ୍ଲକ୍‌ର ଅଧ୍ୟକ୍ଷ ପ୍ରିୟ ରଞ୍ଜନ ମାହୁନ୍ତ ତାଙ୍କ ଭାଷଣ ପ୍ରସଙ୍ଗରେ ବିଦ୍ୟାଳୟରେ ଗୋଟିଏ ସ୍ମାର୍ଟ କ୍ଲାସ୍ ପାଇଁ ସାଂସଦଙ୍କୁ ଅନୁରୋଧ କରିଥିଲେ ।ଢେଙ୍କାନାଳ ସଚେତନ ନାଗରିକ ଫୋରମର ଜିଲ୍ଲା ଶିକ୍ଷା ବିଭାଗର ସଭାପତି,ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ବରିଷ୍ଠ ବିଜ୍ଞାନ ଶିକ୍ଷକ ତଥା ମୋ ସ୍କୁଲ ଅଭିଯାନର ଦଳମୁଖ୍ୟ ଡା.ଦେବୀ ପ୍ରସାଦ ମିଶ୍ର ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ‘ମୋ ସ୍କୁଲ ଅଭିଯାନ’ର ଲକ୍ଷ୍ୟ, ଉଦ୍ଦେଶ୍ୟ,କାର୍ଯ୍ୟକାରିତା ଓ ଢେଙ୍କାନାଳ ଜିଲ୍ଲାରେ ଏହାର ସଫଳତା ପାଇଁ ବିଦ୍ୟାଳୟ ଗୁଡିକର ପ୍ରାକ୍ତନ ଛାତ୍ର ଛାତ୍ରୀ ମାନେ ଏକକ ଅଥବା ଦଳଗତ ଭାବରେ ସ୍ବ ଅନୁଦାନ ଅର୍ଥ ରାଶିର ଦୁଇଗୁଣ ଅର୍ଥରାଶି ଓଡ଼ିଶା ସରକାରଙ୍କ ଏକ ଶହ କୋଟି ଟଙ୍କାର କର୍ପସ ଫଣ୍ଡରୁ ଅନୁଦାନ ପାଇ ମୋଟ ତିନିଗୁଣ ଅର୍ଥରାଶିରେ ନିଜେ ପଢିଥିବା ବିଦ୍ୟାଳୟ ଗୁଡିକର ଆବଶ୍ୟକତା ଅନୁସାରେ ସର୍ବାଙ୍ଗୀନ ଉନ୍ନତି ପାଇଁ ଆଗେଇ ଆସିବାକୁ ଦୃଢ଼ ଆହ୍ୱାନ ଜଣାଇଥିଲେ ।ଏହି ଅର୍ଥ ଦାନ ବ୍ୟତୀତ ସେମାନେ ଆବଶ୍ୟକୀୟ ଦ୍ରବ୍ୟ ଓ ସେବା ପ୍ରଦାନ କରି ପ୍ରତ୍ୟେକ ବିଦ୍ୟାଳୟ ଆଲୁମିନି ଆସୋସିଏସନର ସମସ୍ତ ସଭ୍ୟ,ସଭ୍ୟାମାନେ ମଧ୍ୟ ବିଦ୍ୟାଳୟର ସମ୍ପର୍କର ସେତୁବଂଧ ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରି ଶିକ୍ଷା କ୍ଷେତ୍ରରେ ଆମ ଢେଙ୍କାନାଳ ଜିଲ୍ଲାକୁ ସର୍ବଶ୍ରେଷ୍ଠ କରିବା ପାଇଁ ସର୍ବଦା ଚେଷ୍ଟିତ ହେବାକୁ ସୁପରାମର୍ଶ ପ୍ରଦାନ କରିଥିଲେ। ପ୍ରଧାନଶିକ୍ଷୟିତ୍ରୀ ଅନୁକମ୍ପା ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦେବେନ୍ଦ୍ର ସିଂହ, ବିଦ୍ୟାଳୟ ଆଲୁମିନି ଆସୋସିଏସନର ସଦସ୍ୟ ଡା.ଦେବୀ ପ୍ରସାଦ ମିଶ୍ର,ବିଦ୍ୟୁତଲତା ନାୟକ,ଜଗଦୀଶ ଚନ୍ଦ୍ର ଦାଶ,ଭରତ ଦାସ,ଏସ୍.ଏମ୍.ସି.ର ପୁରାତନ ସଭାପତି ବ୍ରହ୍ମାନନ୍ଦ ସିଂହ,ସୁଦର୍ଶନ ମାଟି,ସଂଗ୍ରାମ କେଶରୀ ପାଣି, ସି.ଆର୍.ସି.ସି.ପ୍ରଭାତୀ ବେହେରା ଓ ସୁବାଶିନୀ ମିଶ୍ର,ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ନିର୍ମଳା ଆଚାର୍ଯ୍ୟ,କଲ୍ୟାଣୀ ସାହୁ,ସଂଧାରାଣୀ ମିଶ୍ର,ରଶ୍ମିରେଖା ପଣ୍ଡା ଓ ପ୍ରଣତୀ ପତି ତଥା ଏସ୍.ଏମ୍.ସି. ସଦସ୍ୟମାନଙ୍କ ସହଯୋଗରେ ଉଦ୍‌ଘାଟନ ଉତ୍ସବଟି ସାଫଲ୍ୟ ମଣ୍ଡିତ ହୋଇଥିଲା ।ଆଲୁମିନି ସଦସ୍ୟ ରୁଦ୍ରନାରାୟଣ ନନ୍ଦ ବିଦ୍ୟାଳୟର ଆବଶ୍ୟକତା ପୂରଣ ପାଇଁ ଆଉ ୨ ଜଣ ଶିକ୍ଷକଙ୍କ ନିଯୁକ୍ତି ପାଇଁ ଅନୁରୋଧ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନୁକମ୍ପା ମିଶ୍ର ସ୍କୁଲ୍‌ର ଅପୂରଣୀୟ କାମଗୁଡିକୁ ପୂରଣ କରିବା ପାଇଁ ଯାହା ଭିତ୍ତିଭୂମି ଆବଶ୍ୟକ ତାହା ଯୋଗାଇଦେବା ପାଇଁ ସାଂସଦଙ୍କୁ ବିନମ୍ର ଅନୁରୋଧ କରିଥିଲେ ।ପରିଶେଷରେ ଶିକ୍ଷୟିତ୍ରୀ ପ୍ରତିମା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଶେଷରେ ସାଂସଦ ଶ୍ରୀଯୁକ୍ତ ସାହୁ ସ୍କୁଲ୍ ପରିସର ମଧ୍ୟରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହିତ ସେଠାରେ ବନମହୋତ୍ସବ ଉପଲକ୍ଷେ ବୃକ୍ଷରୋପଣ କରିଥିଲେ ।

ଡା. ଦେବୀ ପ୍ରସାଦ ମିଶ୍ର,
ଦଳମୁଖ୍ୟ,ଢେଙ୍କାନାଳ ଜିଲ୍ଳା ମୋ ସ୍କୁଲ ଅଭିଯାନ
କ୍ୟାମ୍ପେନ ଟିମ
ଦୂରଭାଷ :୯୪୩୭୧୦୬୫୬୯
ଇ-ମେଲ :[email protected]

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *