ଜୟପୁର ସହରରେ ସିସି କ୍ୟାମେରା ଲାଗିବା ପରେ ଦ୍ରୃତ ମୋଟର ସାଇକେଲ ଚାଳକଙ୍କ ସଂଖ୍ୟା ବୃଦ୍ଧି

କୋରାପୁଟଜିଲ୍ଲା: ଜୟପୁର ସହରରେ ଆଜକୁ ପ୍ରାୟ ଏକ ମାସ ହେଲା ସହରର ମୁଖ୍ୟ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ସିସି କ୍ୟାମେରା ଲଗାଯାଇଛି। ସିସି କ୍ୟାମେରା ଲାଗିବାପରେ ଅପରାଧିକ କାର୍ଯ୍ୟ କଳାପ ଓ ଟ୍ରାଫିକ ଅବ୍ୟବସ୍ଥା ଦୂର ହେବ ବୋଲି ପୋଲିସ ବିଭାଗ ଆଶା ବାନ୍ଧି ବସିଥିବାବେଳେ ଏହାର ସଂପୂର୍ଣ୍ଣ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଦ୍ରୃତ ମୋଟର ସାଇକେଲ ଚାଳକମାନେ ପୂର୍ବରୁ ଯେପରି ଖୋଲାଖୋଲି ଟ୍ରାଫିକ ନିୟମ ଉଲଙ୍ଘନ କରି ମୋଟର ସାଇକେଲ ଚାଳନା କରୁଥିଲେ ସିସି କ୍ୟାମେରା ଲାଗିବାପରେ ମଧ୍ୟ କୌଣସି ପରିବର୍ତ୍ତନ ନ ଘଟି ଦ୍ରୃତ ଚାଳକଙ୍କ ସଂଖ୍ୟା ବୃଦ୍ଧିପାଇବା ଦେଖିବାକୁ ମିଳିଛି। କାନଫଟା ଶଦ୍ଦ ସୃଷ୍ଟି କରୁଥିବା ସାଇଲେନସର ଲଗାଇ ଲୋକଙ୍କ ଶାନ୍ତିଭଙ୍ଗ କରୁଥିବା ଅଭିଯୋଗ ବାରମ୍ବାର କରାଯାଇଥିବା ବେଳେ ପ୍ରଶାସନିକ ସ୍ତରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିକରୁଛି।ଯେପରି ଏହି ଦ୍ରୃତ ଚାଳକମାନେ ଆଇନକୁ ଚାଲେଞ୍ଜ କରୁଥିଲା ପରି ଅନୁଭବ ହେଉଛି। ସହରର ମୁଖ୍ୟ ରାସ୍ତାରେ ଟ୍ରାଫିକ ନିୟମ ଉଲଙ୍ଘନକାରୀ ରାସ୍ତାରେ ଚଳପ୍ରଚଳ କରୁଥିବା ଲୋକଙ୍କୁ ହଇରାଣରେ ପକାଉଥିବା ଦେଖିବାକୁ ମିଳିଛି। ରାଜନୈତିକ ଚାପରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ସହରର ବୁଦ୍ଧିଜୀବୀ କହୁଛନ୍ତି। ସହରର ପାରାବେଡା ଅଞ୍ଚଳରେ ଦ୍ରୃତ ମୋଟର ସାଇକେଲ ଚାଳକ ମାନଙ୍କୁ ବେଶିମାତ୍ରାରେ ଦେଖିବାକୁ ମିଳୁଛି। ବିଶେଷ କରି ମହିଳା ଓ ବରିଷ୍ଠ ନାଗରିକମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପ୍ରଶାସନ ଶିଘ୍ର କୌଣସି ପଦକ୍ଷେପ ଗ୍ରହଣ ନକଲେ ଆସନ୍ତା ଦିନ ମାନଙ୍କରେ ଧନ ଜୀବନ କ୍ଷତିର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ। ଜୟପୁର ସହରର ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକମାନେ ଜିଲ୍ଲାପାଳଙ୍କୁ ଲିଖିତଭାବେ ଜଣାଇବାକୁ ପ୍ରସ୍ତୁତ ହେଉଥିବା ଜଣେ ବରିଷ୍ଠ ନାଗରିକ ପ୍ରକାଶ କରିଛନ୍ତି।