ଜୟପୁର ଉପଖଣ୍ଡ ସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ପାଳିତ
କୋରାପୁଟଜିଲ୍ଲା/ଜୟପୁର (ସଖପ୍ର): ଜୟପୁର ଉପଖଣ୍ଡ ସ୍ତରୀୟ ୭୫ତମ ପବିତ୍ର ସ୍ୱାଧୀନତା ଦିବସ ସ୍ଥାନୀୟ ମୁଖ୍ୟ ଟ୍ରାଫିକ ଛକ ନିକଟରେ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳ ୫ଟାରୁ ୬ଟା ମଧ୍ୟରେ ରାମଧୂନ ପରିବେଷଣ କରାଯାଇଥିଲା। ସକାଳ ୬ଟାରୁ ୭ଟା ମଧ୍ୟରେ ଜୟପୁର ସହରରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସକାଳ ୯ଟା ୧୫ମିନିଟରେ ମୁଖ୍ୟ ଅତିଥି ଜୟପୁର ଉପଜିଲ୍ଲାପାଳ ତଥା ଜୟପୁର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ IAS ହେମକାନ୍ତ ସଏ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ମୁଖ୍ୟ ଅତିଥି IAS ହେମକାନ୍ତ ସଏ ସ୍ବାଧୀନତା ସଂଗ୍ରାମୀଙ୍କ ବିଷୟରେ ଅଭିଭାଷଣ ଦେଇଥିଲେ। ଜୟପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପୀତବାସ ବିଶ୍ୱାଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲାବେଳେ ସମ୍ମାନୀୟ ଅତିଥି ଭାବେ SDPO ଶ୍ରୀ ଅରୂପ ଅଭିଷେକ ବେହେରା, ଜୟପୁର ତହସିଲଦାର ଟୁଲିଆମ୍ମା ପ୍ରଧାନ, ଜୟପୁର ଟାଉନ ଥାନା ଅଧିକାରୀ ସଂଜୟ ମଣ୍ଡଳ ଏବଂ ସଦର ଥାନା ଅଧିକାରୀ ଆଦିତ୍ୟ ମହାକୁର ଓ ସହରର ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ତାଙ୍କ ଉଦବୋଧନରେ ଭାରତରେ ଶହ ଶହ ବର୍ଷର ଇତିହାସକୁ ଦୋହରାଇବା ସହ ଭାରତକୁ ସ୍ୱାଧୀନତା ଆଣିଥିବା ମହାପୁରୁଷ ମାନଙ୍କୁ ମନେ ପକାଇ କହିଥିଲେ ଆଜି ଆମେ ଯେଉଁ ମହାପୁରୁଷ ମାନଙ୍କ ଚେଷ୍ଟା ପାଇଁ ସ୍ୱାଧୀନତା ଦିବସ ପାଳନ କରୁଛେ, ସେହି ମହାପୁରୁଷ ମାନଙ୍କୁ କୋଟି କୋଟି ପ୍ରଣାମ ଜଣାଉଛି। ଜୟପୁର ପୌରପରିଷଦର ସମସ୍ତ ଜନସାଧାରଣଙ୍କୁ ରାଜ୍ୟ ସରକାରଙ୍କ କୋଭିଡ ନିର୍ଦ୍ଦେଶକୁ ମାନି ସ୍ୱାଧୀନତା ଦିବସ ସୁଚାରୁ ରୂପେ ପାଳନ କରିବାକୁ କହିଥିଲେ । କୋଭିଡ ସମୟରେ ଯେଉଁ ସରକାରୀ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ, ସ୍ବେଚ୍ଛାସେବୀ ମାନେ ନିଜ ଜୀବନକୁ ବିପଦରେ ପକାଇ ଜୟପୁର ସହରବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଥିଲେ ସେମାନଙ୍କୁ କୋରନା ଯୋଦ୍ଧା ଭାବେ ମାନପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଜୟପୁର ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପୀତବାସ ବିଶ୍ବାଳ ଧନ୍ୟବାଦ ସହ କାର୍ଯ୍ୟକ୍ରମକୁ ଉଦଯାପନ କରିଥିଲେ।
ସ୍ବତନ୍ତ୍ର ପ୍ରତିନିଧି ଗଜେନ୍ଦ୍ର କୁମାର ସାହୁ