ଘରୋଇ କଳହରୁ ଦୁଇ ଶିଶୁ ସହ ମହିଳାଙ୍କ ଆତ୍ମହତ୍ୟା

କୋରାପୁଟଜିଲ୍ଲା(ସଖପ୍ର): କୋଟପାଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଓ୍ବାର୍ଡ ନଂ-୧୩ ବଣ୍ଡାଗୁଡା ମାଝିସାହିରେ ଏକ ଅଭାବନୀୟ ଘଟଣା ଦେଖାଯାଇଛି। ସ୍ବାମୀର ନିର୍ଯାତନା ସହି ନପାରି ଚରମ ନିଷ୍ପତ୍ତି ନେଲା ସ୍ତ୍ରୀ। ଦେଢ ବର୍ଷର ପୁଅ ଓ ୪ ବର୍ଷର ଝିଅ ସହ କୁଅକୁ ଡେଇଁ ଆତ୍ମହତ୍ୟା କରିଛି ମାଆ।ଏହି ଘଟଣା ଯେତିକି ହୃଦୟ ବିଦାରକ ସେତିକି ଲୋମହର୍ଷଣକାରୀ। ଘଟଣା ଘଟିଛି କୋଟପାଡର ୧୩ ନମ୍ବର ଓ୍ବାର୍ଡର,ବଣ୍ଡାଗୁଡା ସ୍ଥିତ ମାଝୀ ସାହିରେ। ମୃତକ ମାନେ ହେଲେ ମାଆ ୨୧ ବର୍ଷୀୟ ଲକ୍ଷ୍ମୀ ଭତ୍ରା ଓ ତାଙ୍କର ଦେଢ ବର୍ଷର ପୁଅ କ୍ରୀଷ୍ଣା ଭତ୍ରା ଓ ୪ ବର୍ଷର ଝିଅ ଗପଶ୍ରୀ ଭତ୍ରା।ପୋଲିସ ସମସ୍ତଙ୍କ ଶବ କୂଅରୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଥିବା ବେଳେ ମୃତ ମହିଳାଙ୍କ ସ୍ବାମୀଙ୍କୁ ଅଟକ ରଖି ଅଧିକ ପଚରା ଉଚୁରା କରୁଥିବା କହିଛନ୍ତି ବୋରିଗୁମ୍ମା ଏସ.ଡି.ପି.ଓ ଶ୍ରୀ ହରୀକୃଷ୍ଣ ମାଝୀ। ସ୍ବାମୀର ମଦ ପିଇବାକୁ ବିରୋଧ କରି ମୃତ ମହିଳା ଏମିତି ଚରମ ପଦକ୍ଷେପ ନେଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡୁଥିଲେ ବି ଘଟଣା ପଛର ପ୍ରକୃତ କାରଣକୁ ନେଇ ପୋଲିସ ଅଧିକ ତଦନ୍ତ କରୁଥିବା କହିଛନ୍ତି ଶ୍ରୀ ମାଝୀ। ମୃତ ମହିଳା ଲକ୍ଷ୍ମୀ ଭତ୍ରା ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ତାଙ୍କ ସ୍ବାମୀ କେଶବ ଭତ୍ରା ମିସ୍ତ୍ରୀ କାମ କରୁଥିଲେ। ଉଭୟଙ୍କର ଦୁଇଟି କୁନି ଛୁଆ ଥିଲେ ବି ସ୍ବାମୀ ସବୁଦିନ ପ୍ରଚୁର ମଦ ପିଈ ଘରକୁ ଆସୁଥିଲେ। ଏହାକୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସବୁ ଦିନ ଝଗଡା ହେଉଥିଲା। ପୂର୍ବରୁ ବହୁଵାର ମୃତ ଲକ୍ଷ୍ମୀ ନିଜ ଛୁଆଙ୍କ ସହ ଘର ଛାଡି ଚାଲି ଯାଇ ଥିବା ପଡୋଶୀ କହିଛନ୍ତି। ତେବେ ଗତ ବୁଧବାର ଦିନ ରାତିରେ ବି ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବା ପରେ ଏହି ଚରମ ନିଷ୍ପତ୍ତି ନେଇଥିଲେ ଲକ୍ଷ୍ମୀ। ଝଗଡା ପରେ ଲକ୍ଷ୍ମୀ ଦୁଇ ଛୁଆଙ୍କ ସହ ଘର ଛାଡି ଚାଲି ଯାଇଥିବାରୁ, ପରିବାର ଲୋକ ଓ ପଡୋଶୀ ବିଭିନ୍ନ ସ୍ଥାନରେ ସେମାନଙ୍କୁ ଖୋଜାଖୋଜି କରିଥିଲେ କିନ୍ତୁ ପାଇନଥିଲେ। ତେବେ ଆଜି ସାହିରେ ଥିବା କୁଅରେ ଏମାନଙ୍କ ଶବ ଭାସିବା ପରେ, ପଡୋଶୀ ଘଟଣା ସଂପର୍କରେ ପୋଲିସକୁ ଖବର ଦେଇଥିଲେ । ମୃତ ମହିଳାଙ୍କ ଭଉଣୀଙ୍କ ଏତଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି।